fbpx

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । କେନ୍ଦ୍ର କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ମୋଦୀ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି ପାଇଛି । ଦଶହରା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କର ଡିଏ ବୃଦ୍ଧି ହେବା ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହେଉଥିଲା । କେନ୍ଦ୍ର ସରକାରଙ୍କ ଏହି ବଡ଼ ଘୋଷଣା ପରେ ଏବେ ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହେବେ । କର୍ମଚାରୀଙ୍କ ମୋଟ ଡିଏ ଏବେ ୩୮ ପ୍ରତିଶତରେ ପହଞ୍ଚି ଯାଇଛି ।

କେନ୍ଦ୍ର ସରକାରଙ୍କ ଏହି ଘୋଷଣାର ଫାଇଦା ୫୦ ଲକ୍ଷ କର୍ମଚାରୀ ଓ ୬୨ ଲକ୍ଷ ପେନସନଧାରୀ ସିଧାସଳଖ ପାଇବେ । ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କର୍ମଚାରୀଙ୍କ ଡିଏ ବୃଦ୍ଧି ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପୂର୍ବରୁ କର୍ମଚାରୀମାନେ ୩୪ ପ୍ରତିଶତ ଡିଏ ପାଉଥିବା ବେଳେ ଏବେ ତାହା ୪ ପ୍ରତିଶତ ବୃଦ୍ଧି ପାଇ ୩୮ ପ୍ରତିଶତରେ ପହଞ୍ଚି ଯାଇଛି ।

ଏହି ବୃର୍ଦ୍ଧିତ ଡିଏର ଫାଇଦା କର୍ମଚାରୀଙ୍କୁ ଗତ ଜୁଲାଇ ୧ ତାରିଖଠାରୁ ଲାଗୁ ହେବ । ଏହା ପୂର୍ବରୁ କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ଡିଏ ବୃଦ୍ଧି କରିଥିଲେ, ତାହା ଜାନୁଆରୀ ଠାରୁ ଲାଗୁ ହୋଇଥିଲା । ଏବେ କର୍ମଚାରୀମାନେ ଦୁଇ ମାସର ଏରିଅର ପାଇବେ । ୨୮ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିବା ନେଇ ପୂର୍ବରୁ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ହେଉଥିଲା । ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ଏଆଇସିପିଆଇ) ଆଧାରରେ ସ୍ଥିରୀକୃତ ହୋଇଥାଏ ।

Get real time updates directly on you device, subscribe now.