fbpx

ବଢ଼ି ଚାଲିଛି ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର, ତଥାପି ଦେଶରେ ଲାଗୁ ହେବନି ସମ୍ପୂର୍ଣ୍ଣ ଲକଡାଉନ୍

ନୂଆଦିଲ୍ଲୀ, ୩ା୫: ସମଗ୍ର ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନାହିଁ । କୋଭିଡ୍ ଗୋଷ୍ଠୀ ସଂକ୍ରମଣକୁ ହ୍ରାସ କରିବା ପାଇଁ ବିଭିନ୍ନ ରାଜ୍ୟ କେନ୍ଦ୍ର ସରକାରଙ୍କୁ କଠୋର ପଦକ୍ଷେପ ନେବା ସହ ଲକଡାଉନ୍ ଲାଗୁ ନେଇ ପରାମର୍ଶ ଦେଇଛନ୍ତି । ପ୍ରାୟ ୧୦ଟି ରାଜ୍ୟ ଓ କିଛି କେନ୍ଦ୍ର ଶାସିତ ଅଞ୍ଚଳ କୋଭିଡ୍ କଟକଣା କଡ଼ାକଡ଼ି କରିବାକୁ ଚାହୁଁଛନ୍ତି । ତେବେ କେନ୍ଦ୍ର ସରକାର ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରିବା ସପକ୍ଷରେ ନାହାନ୍ତି, ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, କରୋନା ମହାମାରୀ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଗତ ମେ ମାସ ୧ ତାରିଖରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁଥିଲା । ସେହିପରି ଗତ ଏପ୍ରିଲ ମାସ ୨୨ ତାରିଖରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୩ ଲକ୍ଷ ଓ ଏପ୍ରିଲ ୫ରେ ଦୈନିକ ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଥିଲା । ପ୍ରାୟ ୧୫୦ଟି ଜିଲ୍ଲାରେ ଲକଡାଉନ ଜାରି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି । ଏହି ଜିଲ୍ଲାମାନଙ୍କରେ ସଂକ୍ରମିତଙ୍କ ହାର ୧୫ ପ୍ରତିଶତରୁ ଅଧିକ ରହିଛି ।

ବର୍ତ୍ତମାନ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷ ଅତିକ୍ରମ କରିସାରିଲାଣି । ଗତ ଏକ ସପ୍ତାହ ଧରି ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ୩ ହଜାର ଛୁଇଁଛି । ଗତକାଲି ସମଗ୍ର ଦେଶରେ ୩.୬୩ ଲକ୍ଷ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ପରି ୧୦ଟି ରାଜ୍ୟରୁ ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଫଳରେ ବିଗତ ୧୦ ଦିନ ମଧ୍ୟରେ ଏହି ସମସ୍ତ ରାଜ୍ୟମାନଙ୍କରେ ରୋଗୀମାନେ ବେଡ୍, ଔଷଧ, ଅକ୍ସିଜେନ ଅଭାବ ପରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଯଦି ଦେଶରେ ଲକଡାଉନ ଲାଗୁ କରାଯାଏ, ତେବେ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହ ଏହାଦ୍ୱାରା ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିବ ।

Get real time updates directly on you device, subscribe now.