ଟାଟାର ବିଶ୍ୱବଜାରରେ ବଡ଼ ଧମାକା! ଇଟାଲୀର ଇଭେକୋକୁ ୩୬ ହଜାର କୋଟିରେ କିଣିଲା ଟାଟା ମୋଟର୍ସ

ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଇଟାଲୀର ରାଜଧାନୀ ରୋମ୍ ସ୍ଥିତ ସରକାରୀ ମୁଖ୍ୟାଳୟ ପାଲାଜୋ ଚିଗିରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଛି

ରୋମ: ବିଶ୍ୱ ଅଟୋମୋବାଇଲ୍ ବଜାରରେ ନିଜର ଦବ୍‌ଦବା ବଢ଼ାଇବାକୁ ଟାଟା ଗ୍ରୁପ୍ ଆଉ ଏକ ବଡ଼ ପଦକ୍ଷେପ ନେଉଛି! ପ୍ରାୟ ୩୬ ହଜାର କୋଟି ଟଙ୍କାରେ ଇଟାଲୀର ପ୍ରତିଷ୍ଠିତ ଯାନ ନିର୍ମାତା କମ୍ପାନୀ ଇଭେକୋ ଗ୍ରୁପ୍‌କୁ ନିଜ ଅଧୀନକୁ ଆଣିଛି ଟାଟା ମୋଟର୍ସ। ଏହି ବଡ଼ ବ୍ୟବସାୟିକ ଡିଲ୍ ପରେ ବିଶ୍ୱର କମର୍ସିଆଲ୍ ଯାନ ବଜାରରେ ଟାଟାର ସ୍ଥିତି ଆହୁରି ମଜଭୁତ ହେବାକୁ ଯାଉଛି। ଟ୍ରକ୍‌, ବସ୍ ଓ ଅନ୍ୟ ବାଣିଜ୍ୟିକ ଯାନ ନିର୍ମାଣ କ୍ଷେତ୍ରରେ ଦୁଇ କମ୍ପାନୀର ଶକ୍ତି ଏକାଠି ହେବାକୁ ଯାଉଥିବାରୁ ଏହାକୁ ଅଟୋମୋବାଇଲ୍ ଶିଳ୍ପର ଏକ ବଡ଼ ଘଟଣା ଭାବେ ଦେଖାଯାଉଛି।

ଏହି ବଡ଼ ଡିଲ୍‌କୁ ନେଇ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ଇଟାଲୀର ରାଜଧାନୀ ରୋମ୍ ସ୍ଥିତ ସରକାରୀ ମୁଖ୍ୟାଳୟ ପାଲାଜୋ ଚିଗିରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଛି। ଭାରତ ଓ ଇଟାଲୀ ମଧ୍ୟରେ ଶିଳ୍ପ, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି। ତେବେ ଏହି ସାକ୍ଷାତ ସମୟରେ କୌଣସି ନୂଆ ଚୁକ୍ତି ବା ଘୋଷଣା ହୋଇଥିବାର ବିସ୍ତୃତ ସୂଚନା ସାମ୍ନାକୁ ଆସିନାହିଁ।

ସୂଚନା ଅନୁସାରେ ଇଭେକୋ ଗ୍ରୁପ୍‌ର ୮୯.୪୨ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଛି ଟାଟା ମୋଟର୍ସ। ଏହି ଡିଲ୍‌ରେ ସହଯୋଗ ପାଇଁ ଇଟାଲୀ ସରକାର ଓ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏନ୍‌. ଚନ୍ଦ୍ରଶେଖରନ୍‌। ତାଙ୍କ କହିବା ଅନୁସାରେ, ୟୁରୋପ ଓ ଲାଟିନ୍ ଆମେରିକାରେ ଇଭେକୋର ଏକ ମଜଭୁତ ବ୍ୟବସାୟିକ ଉପସ୍ଥିତି ରହିଛି। ଟ୍ରକ୍‌, ବସ୍ ଓ ପାୱାରଟ୍ରେନ୍ ନିର୍ମାଣରେ କମ୍ପାନୀର ଦୀର୍ଘ ଅଭିଜ୍ଞତା, ଆଧୁନିକ ଟେକ୍ନୋଲୋଜି ଓ ଶକ୍ତିଶାଳୀ ଶିଳ୍ପ ଭିତ୍ତିଭୂମି ରହିଛି। ଏହାର ବିଭିନ୍ନ ପ୍ରତିଷ୍ଠିତ ବ୍ରାଣ୍ଡ ମଧ୍ୟ ବିଶ୍ୱ ବଜାରରେ ପରିଚିତ।

କାହିଁକି ଗୁରୁତ୍ୱପୂର୍ଣ୍ଣ ଟାଟା-ଇଭେକୋ ଡିଲ୍‌? ଏହି ଅଧିଗ୍ରହଣ ଫଳରେ ଟାଟା ମୋଟର୍ସକୁ ୟୁରୋପ ଓ ଲାଟିନ ଆମେରିକାର ବଜାରରେ ନିଜର ପ୍ରଭାବ ବଢ଼ାଇବାର ବଡ଼ ସୁଯୋଗ ମିଳିବ। ଅନ୍ୟପଟେ ଇଭେକୋକୁ ଟାଟାର ବିଶ୍ୱସ୍ତରୀୟ ଉତ୍ପାଦନ କ୍ଷମତା ଓ ବଜାର ଅଭିଜ୍ଞତାର ଲାଭ ମିଳିପାରିବ।

ଦୁଇ କମ୍ପାନୀର ଟେକ୍ନୋଲୋଜି, ଉତ୍ପାଦନ କ୍ଷମତା ଓ ବଜାର ନେଟ୍‌ୱର୍କ ଏକାଠି ହେବା ଦ୍ୱାରା ବିଶ୍ୱର କମର୍ସିଆଲ୍ ଯାନ ଶିଳ୍ପରେ ଏକ ବଡ଼ ଶକ୍ତି ସୃଷ୍ଟି ହେବାର ଆଶା ରହିଛି। ଟ୍ରକ୍ ଓ ବସ୍ ନିର୍ମାଣ ସହ ଭବିଷ୍ୟତର ଅଟୋମୋବାଇଲ୍ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ସହଯୋଗ ବଢ଼ିପାରେ।
ସବୁଠାରୁ ବଡ଼ କଥା ହେଉଛି, ଏହି ଡିଲ୍ କେବଳ ଦୁଇଟି କମ୍ପାନୀର ବ୍ୟବସାୟିକ ମିଶ୍ରଣ ନୁହେଁ; ବରଂ ଭାରତ ଓ ଇଟାଲୀ ମଧ୍ୟରେ ଶିଳ୍ପ ଓ ଅର୍ଥନୈତିକ ସହଯୋଗକୁ ନୂଆ ଦିଗ ଦେବାର ଏକ ବଡ଼ ସୁଯୋଗ। ବିଶ୍ୱ ଅଟୋମୋବାଇଲ୍ ବଜାରରେ ଟାଟାର ଏହି ନୂଆ ଇନିଂସ୍ ଉପରେ ଏବେ ସମସ୍ତଙ୍କ ନଜର।