କେବଳ ଚାଲାଣ କାଟିଲେ ହେବନି, ସିଧା ଗାଡ଼ି ହେବ ଜବତ! ଆରଟିଓଙ୍କୁ ପରିବହନ କମିଶନରଙ୍କ କଡ଼ା ନିର୍ଦ୍ଦେଶ
ପରିବହନ କମିଶନର ରାଜ୍ୟର ସମସ୍ତ ଆରଟିଓ (RTO) ଏବଂ ଚେକିଂ କର୍ମଚାରୀଙ୍କୁ ମୋଟର ଯାନ ଆଇନର ଧାରା ୨୦୭ ଅନୁସାରେ ଗାଡ଼ି ଜବତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱର: ଓଡ଼ିଶାରେ ବିନା କାଗଜପତ୍ରରେ ଚାଲୁଥିବା ଗାଡ଼ିଗୁଡ଼ିକ ଉପରେ ଏବେ ମୋଟର ଯାନ ଆଇନର ଧାରା ୨୦୭ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଧ ପଞ୍ଜୀକରଣ (RC), ଫିଟନେସ୍, ପରମିଟ୍ ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ନଥାଇ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ ପରିବହନ କମିଶନର ରାଜ୍ୟର ସମସ୍ତ ଆରଟିଓ (RTO) ଏବଂ ଏନଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଏପ୍ରିଲ ୧, ୨୦୨୬ ରୁ ଜୁନ୍ ୩୦, ୨୦୨୬ ମଧ୍ୟରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଢିଲା ରହିଥିବାରୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଏନଫୋର୍ସମେଣ୍ଟ କର୍ମଚାରୀଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରାଯାଇଛି।
Uttarakhand Govt.
ଇ-ଚାଲାଣ (e-Challan) ତଥ୍ୟ ଅନୁସାରେ, ଏହି ସମୟ ମଧ୍ୟରେ ଧାରା ୧୯୨ ଅଧୀନରେ ବହୁ ସଂଖ୍ୟାରେ ଚାଲାଣ କଟାଯାଇଛି, କିନ୍ତୁ ସେହି ତୁଳନାରେ ଧାରା ୨୦୭ ଅନୁସାରେ ଗାଡ଼ି ଜବତ କରାଯାଇ ନାହିଁ। ଅଧିକାରୀମାନେ କେବଳ ଚାଲାଣ କାଟି ଗାଡ଼ିଗୁଡ଼ିକୁ ଛାଡ଼ି ଦେଉଥିଲେ, ଯାହାକୁ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ‘ଅତ୍ୟନ୍ତ ଅସନ୍ତୋଷଜନକ’ ବୋଲି କହିଛି। ଏହାଦ୍ୱାରା ସଡ଼କ ସୁରକ୍ଷା ନିୟମର କୌଣସି ଲାଭ ହେଉନାହିଁ। ଯଦି ଗୋଟିଏ ଗାଡ଼ିର ଆରସି, ଫିଟନେସ୍ କିମ୍ବା ପରମିଟ୍ ନାହିଁ, ତେବେ କେବଳ ଜରିମାନା କାଟି ତାକୁ ରାସ୍ତାରେ ଚାଲିବାକୁ ଅନୁମତି ଦିଆଯାଇପାରିବ ନାହିଁ।
ନିକଟରେ ଜୁଲାଇ ୩ ତାରିଖ ଦିନ ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲାବଣି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ସେହି ଦୁର୍ଘଟଣାରେ ସାମିଲ ଥିବା ଗାଡ଼ିଗୁଡ଼ିକର କୌଣସି ବୈଧ ଫିଟନେସ୍, ପରମିଟ୍ କିମ୍ବା ଇନସ୍ୟୁରାନ୍ସ (ବୀମା) ନଥିଲା। ଯଦି ଗାଡ଼ିର ବୀମା ନଥାଏ, ତେବେ ଦୁର୍ଘଟଣାର ଶିକାର ହୋଇଥିବା ଲୋକ ଓ ସେମାନଙ୍କ ପରିବାର ବହୁତ ହଇରାଣ ହୁଅନ୍ତି। ଏହି ଚିଠିରେ ୨୦୦୫ ମସିହାର ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ବିଷୟରେ ମଧ୍ୟ କୁହାଯାଇଛି, ଯେଉଁଥିରେ କୁହାଯାଇଥିଲା ଯେ ଜରିମାନା ଆଦାୟ କରିବାର ଅର୍ଥ ନୁହେଁ ଯେ ଗାଡ଼ି ଚାଳକ ସେହି ବେଆଇନ କାମକୁ ଜାରି ରଖିବ। ତେଣୁ, ସମସ୍ତ ଆରଟିଓଙ୍କୁ ଏହି ନିୟମ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ିର ଆରସି ସସପେଣ୍ଡ କିମ୍ବା ବାତିଲ କରିବା ସହ ପୂର୍ବରୁ କେବଳ ଚାଲାଣ କଟାଯାଇ ଛାଡ଼ି ଦିଆଯାଇଥିବା ଗାଡ଼ିଗୁଡ଼ିକର ପୁନଃ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

