fbpx

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ନାଁରେ ବିବାଦ, ଜାଣନ୍ତୁ କଣ କହିଲେ ମହାସଚିବ…

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣକୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି । ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମନ୍ଦିର ନିର୍ମାଣ ଦାୟିତ୍ୱରେ ରହିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବିରୋଧରେ ଦୁର୍ନୀତି ଅଭିଯୋଗ ଉଠାଯିବା ପରେ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ପ୍ରସଙ୍ଗରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏକ ବିବୃତି ଦେଇଛନ୍ତି । ବିରୋଧୀ ଦଳଗୁଡ଼ିକ କେବଳ ରାଜନୀତିକ ଉଦ୍ଦେଶ୍ୟରେ ମିଥ୍ୟା ଆରୋପ ଲଗାଉଛନ୍ତି ବୋଲି ମହାସଚିବ ଶ୍ରୀ ରାୟ କହିଛନ୍ତି ।

ଶ୍ରୀ ରାୟ ଆହୁରି କହିଛନ୍ତି ଯେ ମନ୍ଦିର ପରିସରକୁ ବାସ୍ତୁଶାସ୍ତ୍ର ଅନୁସାରେ ସୁଧାର ଆଣିବା, ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ରାସ୍ତା ପ୍ରସ୍ତୁତି ଏବଂ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଛୋଟବଡ଼ ମନ୍ଦିର ସମେତ କିଛି ଘର ପୂର୍ଣ୍ଣ ସହମତିରେ କ୍ରୟ କରାଯାଇଥିଲା । ତେବେ ଜମି ମୂଲ୍ୟ ୨ କୋଟିରୁ ବୃଦ୍ଧି ପାଇଁ ୧୮ କୋଟିରେ ପହଞ୍ଚିବା ନେଇ ସେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍ କୋର୍ଟ ନିଷ୍ପତ୍ତି ନେବା ପରେ ପରେ ଅଯୋଧ୍ୟାରେ ଜମି କିଣିବା ଲୋକଙ୍କ ସଂଖ୍ୟା ବଢ଼ି ଯାଇଛି । ସେହିପରି ଅଯୋଧ୍ୟାର ବିକାଶ ପାଇଁ ଉତ୍ତର ପ୍ରଦେଶ ସରକାର ମଧ୍ୟ ଅଧିକ ଜମି କ୍ରୟ କରିଥିଲେ । ଫଳରେ ଜମି ମୂଲ୍ୟରେ ପୂରା ବୃଦ୍ଧି ଘଟିଯାଇଛି । ଅଯୋଧ୍ୟା ରେଳ ଷ୍ଟେସନ୍ ନିକଟାଞ୍ଚଳରେ ଜମି କିଣାଯାଇଥିବା ବେଳେ ଖୋଲା ବଜାର ଦରଠାରୁ କମ୍ ମୂଲ୍ୟରେ ଟ୍ରଷ୍ଟ ପକ୍ଷରୁ କିଣାଯାଇଛି । ଏ ସମ୍ପର୍କିତ କୋର୍ଟ ଫି’ ଓ ଷ୍ଟାମ୍ପ ପେପର୍ ଆଦି ଅନଲାଇନ୍ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ଶ୍ରୀ ରାୟ କହିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅନେକ ଅଭିଯୋଗ ଉଠାଯାଇଛି । ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ତଥା ଅଯୋଧ୍ୟାର ପୂର୍ବତନ ବିଧାୟକ ପବନ ପାଣ୍ଡେ ଟ୍ରଷ୍ଟ ବିରୋଧରେ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ସେହିପରି କଂଗ୍ରେସ ଓ ଆମ୍ ଆଦମୀ ପାଟି ମଧ୍ୟ ଟ୍ରଷ୍ଟ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । କଂଗ୍ରେସ କହିଛି ଯେ, ଭଗବାନ ଶ୍ରୀରାମଙ୍କ ନାଁରେ ମିଳୁଥିବା ଦାନ ରାଶିର ଦୁରୁପୋଯୋଗ ହେଉଛି । ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ ଜରିଆରେ ଅଭିଯୋଗ ଉଠାଇଚନ୍ତି ଯେ- ହେ! ରାମ, ଏ କିଭଳି ଦିନ ଆସିଗଲା… ଆପଣଙ୍କ ନାଁରେ ଚାନ୍ଦା ଆଦାୟ କରି ବାଟମାରଣା କରାଯାଉଛି । ଲଜ୍ଜାହୀନ ଲୁଟେରାମାନେ ଭରସାକୁ ବିକ୍ରି କରି ‘ରାବଣ’ ଭଳି ଅହଙ୍କାରୀ ହୋଇପଡ଼ିଛନ୍ତି ବୋଲି ସୁରଜେୱାଲା ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.