ଆସିଲା ଧମକପୂର୍ଣ୍ଣ ଇ-ମେଲ; ବିସ୍ଫୋରଣ କରି ମୁଖ୍ୟମନ୍ତ୍ରୀ ଘର ଓ ବିଧାନସଭା ଉଡ଼ାଇଦେବୁ

ମାମଲାରେ ସେକ୍ଟର-୩ ଥାନା ପୋଲିସ ତଦନ୍ତରେ କରୁଛନ୍ତି। ଧମକ ପଠାଇଥିବା ବ୍ୟକ୍ତିର ପରିଚୟ ଓ ଇ-ମେଲ୍‌ର ଉତ୍ସ ଜାଣିବା ପାଇଁ ପୋଲିସ ପକ୍ଷରୁ ବୈଷୟିକ ତଦନ୍ତ ଚଳାଉଛି

ଚଣ୍ଡିଗଡ଼: ଆଜି ପଞ୍ଜାବ ପୋଲିସ କଣ୍ଟ୍ରୋଲ୍ ରୁମ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନଙ୍କ ଘର ଉଡ଼ାଇବାକୁ ଧମକ ଦିଆଯାଇଛି। ଏହାଛଡ଼ା ପଞ୍ଜାବ ଓ ହରିୟାଣା ସିଭିଲ ସଚିବାଳୟ ଏବଂ ପଞ୍ଜାବ ବିଧାନସଭାକୁ ବୋମା ପକାଇ ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଏହି ଇ-ମେଲ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପଞ୍ଜାବ ପୋଲିସ।

ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ଆକ୍‌ସନ୍ ମୋଡକୁ ଆସିଛି ପଞ୍ଜାବ ପୋଲିସ। ବୋମା ସ୍କ୍ୱାଡ୍, ଅପରେସନ୍ ସେଲ୍, ଅଗ୍ନିଶମ ବାହିନୀ, ମେଡିକାଲ୍ ଫାଷ୍ଟ ରେସପନ୍ସ ଟିମ, ଆମ୍ବୁଲାନ୍ସ ଓ ସିଭିଲ୍ ଡିଫେନ୍ସ ଟିମ ସଜାଗ ହୋଇଛି। ସମସ୍ତ ସମ୍ପୃକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

ମାମଲାରେ ସେକ୍ଟର-୩ ଥାନା ପୋଲିସ ତଦନ୍ତରେ କରୁଛନ୍ତି। ଧମକ ପଠାଇଥିବା ବ୍ୟକ୍ତିର ପରିଚୟ ଓ ଇ-ମେଲ୍‌ର ଉତ୍ସ ଜାଣିବା ପାଇଁ ପୋଲିସ ପକ୍ଷରୁ ବୈଷୟିକ ତଦନ୍ତ ଚଳାଉଛି। ହେଲେ ଏ ପର୍ଯ୍ୟନ୍ତ ମେଲ୍ ଆସିଥିବା ବ୍ୟକ୍ତିି ପାଖରେ ପୋଲିସ ପହଞ୍ଚି ପାରିନି।

ଧମକ ସମ୍ପର୍କିତ ସୂଚନା ମିଳିବା ପରେ ବୋମା ସ୍କ୍ୱାଡ୍ ସମ୍ପୃକ୍ତ ସ୍ଥାନ ଗୁଡ଼ିକରେ ଯାଞ୍ଚ ଆରମ୍ଭ କରିଛି। କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ମୁକାବିଲା କରିବା ପାଇଁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସକୁ ମଧ୍ୟ ଘଟଣାସ୍ଥଳରେ ନିୟୋଜିତ ରଖାଯାଇଛି।