ମା’ ଦୁର୍ଗାଙ୍କ ଦର୍ଶନ ବେଳେ ହଠାତ୍ ହାହାକାର, ପୂଜା ମଣ୍ଡପରେ ଦଳାଚକଟା, ୧୭ ମୃତ
ଦୁର୍ଗାପୂଜା ପେଣ୍ଡାଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ, ଅଘଟଣ ପରେ ତେଜିଲା ଅସନ୍ତୋଷ।
କଲିକତା: ଚାରିଆଡ଼େ ମା’ ଦୁର୍ଗାଙ୍କ ଜୟଜୟକାର, ଭକ୍ତଙ୍କ ଭିଡ଼ ଆଉ ପୂଜାର ଉତ୍ସବମୁଖର ପରିବେଶ। ହେଲେ ହଠାତ୍ ସବୁକିଛି ବଦଳିଗଲା। ଆନନ୍ଦ ଓ ଉତ୍ସାହର ମାହୋଲ୍ରେ ଖେଳିଗଲା ଆତଙ୍କ। ମା’ଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ସୃଷ୍ଟି ହେଲା ଦଳାଚକଟା ଭଳି ପରିସ୍ଥିତି।
କିଏ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିଲେ ତ ଆଉ କିଏ ଭିଡ଼ ଭିତରେ ପଡ଼ିଗଲେ। ଆଉ ଏହି ଅଘଟଣରେ ଅନେକ ଲୋକ ଆହତ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।
ଏଭଳି ଦୁଃଖଦ ଘଟଣା ଘଟିଛି ପଶ୍ଚିମବଙ୍ଗର କୋଲକାତାସ୍ଥିତ ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ କମିଟିର ପୂଜା ପେଣ୍ଡାଲରେ। ଦୁର୍ଗାପୂଜାର ସପ୍ତମୀ ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
ଏହି ସମୟରେ ପ୍ରବଳ ବର୍ଷା ହେବାରୁ ଲୋକେ ବର୍ଷାରୁ ରକ୍ଷା ପାଇବା ପାଇଁ ପେଣ୍ଡାଲ ଭିତରକୁ ଧସେଇ ପଶିଥିଲେ। ଫଳରେ ହଠାତ୍ ଭିଡ଼ ବଢ଼ିଯାଇଥିଲା ଏବଂ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।
ସନ୍ଧ୍ୟାରେ ଘଟିଗଲା ଅଘଟଣା: ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏହି ଅଘଟଣ ଘଟିଥିଲା। ପ୍ରାଥମିକ ସୂଚନାରେ ୪ରୁ ୫ ଜଣ ଆହତ ହୋଇଥିବା କୁହାଯାଇଥିବା ବେଳେ, ଅନ୍ୟ ରିପୋର୍ଟରେ ଏକାଧିକ ଲୋକ ଆହତ ହୋଇଥିବା ଖବର ରହିଛି।
ପରେ ଆହତଙ୍କୁ ତୁରନ୍ତ କୋଲକାତା ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି। ସେମାନଙ୍କ ଭିତରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତେବେ ଏହି ଅଘଟଣର ପ୍ରକୃତ କାରଣକୁ ନେଇ ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସିଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପେଣ୍ଡାଲର କୌଣସି ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା।
ଅନ୍ୟ କିଛି ଲୋକଙ୍କ ମତରେ, ପ୍ରବଳ ବର୍ଷାରୁ ରକ୍ଷା ପାଇବାକୁ ଏକାସାଙ୍ଗରେ ଅଧିକ ଲୋକ ପେଣ୍ଡାଲ ଭିତରକୁ ପଶିବାରୁ ଦଳାଚକଟା ଭଳି ସ୍ଥିତି ସୃଷ୍ଟି ହୋଇଥିଲା।
ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଲା: ଏହି ଘଟଣା ପରେ ପୂଜା ପେଣ୍ଡାଲରେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକ ଏବଂ ଦର୍ଶନାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି। ସେଠାରେ ହଜାର ହଜାର ସ୍ୱେଚ୍ଛାସେବୀ ଓ ପୋଲିସ ମୁତୟନ ଥିବା ସତ୍ତ୍ୱେ ଠିକ୍ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇନଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ ଆଉ ଏକ ଅଭିଯୋଗ ହେଉଛି, ଘଟଣାସ୍ଥଳରେ ପୋଲିସ ଗାଡ଼ି ଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସେମାନେ ତୁରନ୍ତ ଆଗକୁ ଆସିନଥିଲେ। ସ୍ଥାନୀୟ ଲୋକେ ନିଜେ ଆହତଙ୍କୁ ସହାୟତା କରିଥିବା ସେମାନେ ଦାବି କରିଛନ୍ତି। ଏତେ ବଡ଼ ପୂଜା ଆୟୋଜନ ସତ୍ତ୍ୱେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
ପେଣ୍ଡାଲ କରିଡରରେ ଅଘଟଣ: ପ୍ରାଥମିକ ସୂଚନା ଅନୁସାରେ, ପେଣ୍ଡାଲରୁ ବାହାରିବା ପାଇଁ ଥିବା ଏକ ବୃତ୍ତାକାର ଉଚ୍ଚ କରିଡରରେ ଏହି ଅଘଟଣ ଘଟିଥିବା କୁହାଯାଉଛି। ସେହି କରିଡର ଦେଇ ବାହାରିବା ପାଇଁ ଦର୍ଶନାର୍ଥୀଙ୍କୁ ପ୍ରାୟ ୩୬୦ ଡିଗ୍ରୀ ଘୂରିବାକୁ ପଡ଼େ। ଭିଡ଼ ମଧ୍ୟରେ ଏହି ସ୍ଥାନରେ କ’ଣ ଘଟିଥିଲା, ତାହା ସ୍ପଷ୍ଟ ହୋଇନାହିଁ।
ଚଳିତ ବର୍ଷ ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ କମିଟିର ପୂଜାର ଥିମ୍ ରହିଛି ‘ଆରବା’—ଯାହାକୁ ଇଂରାଜୀରେ ‘Beyond Sound’ କୁହାଯାଉଛି। ଏହି ଆକର୍ଷଣୀୟ ପେଣ୍ଡାଲକୁ ଦେଖିବା ପାଇଁ ସପ୍ତମୀ ସନ୍ଧ୍ୟାରେ ପ୍ରବଳ ଭିଡ଼ ଜମିଥିଲା।


