fbpx

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଚରଣଜୀତ୍ ସିଂ ଚନ୍ନି, ୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ନେଲେ ଶପଥ

ଚଣ୍ଡିଗଡ଼: ପଞ୍ଜାବର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନି ଆଜି ୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜଭବନରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଶପଥଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ । ପଞ୍ଜାବରେ ସୁଖଜିନ୍ଦର ରାନ୍ଧୱା ଓ ଓପି ସୋନି ନୂଆ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପଞ୍ଜାବର ରାଜ୍ୟପାଳ ବନ୍ୱାରିଲାଲ୍ ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ତେବେ ଚରଣଜିତ୍ ସିଂ ଚନ୍ନି ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ବଡ଼ ପରିବର୍ତ୍ତନ ହୋଇଥିଲା ଓ ବ୍ରହ୍ମ ମହିନ୍ଦ୍ରା ଉପ-ମୁଖ୍ୟମନ୍ତ୍ରୀ ଦୌଡ଼ରୁ ବାହାର ହୋଇଥିଲେ । ବ୍ରହ୍ମ ମହିନ୍ଦ୍ରାଙ୍କ ଜାଗାରେ ଓ.ପି ସୋନି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦଳିତ ସମ୍ପ୍ରଦାୟରୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିବା ୫୮ ବର୍ଷିୟ ଚରଣଜୀତ୍‌ ସିଂହ ଚନ୍ନୀ ଚମକୌର୍‌ ସାହିବ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ୨୦୧୫-୧୬ରେ ପଞ୍ଜାବ ବିଧାନସଭାରେ ବିରୋଧୀଦଳର ନେତା ଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ କ୍ୟାବିନେଟରେ ସେ ବୈଷୟିକ ଶିକ୍ଷା ଏବଂ ଉଦ୍ୟୋଗ ତାଲିମ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ୨୦୦୭ରେ ଚନ୍ନି ପ୍ରଥମେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Get real time updates directly on you device, subscribe now.