fbpx

ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ!

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଇସ୍ତଫା ଦେବେ! ଏକଥା ଶୁଣିବା ପରେ ଯେ କେହି ଚକିତ ହେବା ସ୍ୱାଭାବିକ । ତେବେ କଥାଟି ହେଉଛି ସତ । ଖୁବଶୀଘ୍ର ଭୂପେଶ ନିଜ ପଦରୁ ଇସ୍ତଫା ଦେବେ । ସେ ଛତିଶଗଡ଼ର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ୨୦୧୮ ମସିହା ଡିସେମ୍ବର ମାସ ୧୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ସେତେବେଳେ ଭୂପେଶଙ୍କ ସହ କଂଗ୍ରେସ ପକ୍ଷରୁ ଏକ ଅଢ଼େଇ ବଷିଆ ସର୍ତ୍ତ ରଖାଯାଇଥିଲା । ବର୍ତ୍ତମାନ ଉକ୍ତ ଅବଧି ପୂରଣ ହୋଇଯାଇଥିବାରୁ ଭୂପେଶ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି ।

ତେବେ ଏନେଇ ଭୂପେଶ ମିଡିଆଙ୍କୁ କହିଛନ୍ତି ଯେ, ଯଦି ହାଇକମାଣ୍ଡ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁଥାନ୍ତି, ସେଥିପାଇଁ ସେ ପ୍ରସ୍ତୁତ ରହିଛନ୍ତି । ସେ ହାଇକମାଣ୍ଡଙ୍କ ଆଦେଶକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଯଦି ଉପରମହଲରୁ ନିର୍ଦ୍ଦେଶ ଆସେ, ତେବେ ସେ ନିଜ ପଦରୁ ଅବ୍ୟାହତି ନେଇଯିବେ । ଏହି ଅବସରରେ ଭୂପେଶ ଦିଲ୍ଲୀର ୧୦ ଜନପଥରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହିତ ଆଲୋଚନା ନକରି ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଡ୍ରାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

ଦୁଇବର୍ଷ ପୂର୍ବେ ୨୦୧୯ ମସିହାରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଫେରିଥିଲା । ଛତିଶଗଡ଼ରେ ରମଣ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ଯେଉଁଭଳି ଚିଟପଟାଙ୍ଗ କରାଗଲା, ତାହାର ଦାବିଦାର ଥିଲେ ଭୂପେଶ ଓ ଟିଏସ ସିଂ ଦେଓ । ତେଣୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏହି ଦୁଇ ସର୍ବୋଚ୍ଚ ନେତା ଦାବିଦାର ଥିଲେ । କେହି ଅସନ୍ତୁଷ୍ଟ ନହେବା ଲକ୍ଷ୍ୟ ନେଇ ଅଢ଼େଇ-ଅଢ଼େଇ ବର୍ଷିଆ ଶାସନ ଏହି ଦୁଇ ନେତାଙ୍କ ମଧ୍ୟରେ ଦଳ ବଣ୍ଟନ କରିଥିଲା । ବାଘେଲଙ୍କ ପାଳି ସରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଟିଏସ ସିଂ ଦେଓଙ୍କ ପାଳି ଆସିବ । ତେବେ ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ବାଘେଲଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଏହି ଦାୟିତ୍ୱ ଦିଆଗଲେ ସେ ଖୁସି ହେବେ ବୋଲି ଭୂପେଶ ପ୍ରକାଶ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.