fbpx

ନବ ଯୌବନ ଦର୍ଶନରେ ଭାବ ବିହ୍ଵଳ ହୋଇ ଗୀତଗୋବିନ୍ଦ ଗାଇଲେ ମୁଖ୍ୟ ପ୍ରଶାସକ, ସେବାୟତ

ପୁରୀ(ଓଡ଼ିଶା ଭାସ୍କର): ସେ ତ ଭକ୍ତର ଦୁଃଖ ସଦାବେଳେ ବୁଝେ , ହେଲେ ଯେତେବେଳେ ନିଜେ ଅସୁବିଧାରେ ପଡେ ଭକ୍ତ ଖୋଜି ବୁଲେ କୁଆଡେ ଗଲେ ମୋ ମହାପ୍ରଭୁ , ସୁସ୍ଥ ହେବେ କେବେ, କେବେ ଦେଖା ମିଳିବ ନବ ଯୌବନ ଦର୍ଶନ। ଏହି ଭିତରେ ଗତକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ଭାବବିହ୍ବଳ ପରିବେଶ ସୃଷ୍ଟି କରିଛି। ଭକ୍ତ ବିନା ଶ୍ରୀମନ୍ଦିର ଖାଁ ଖାଁ ଲାଗୁଥିବାବେଳେ ୧୫ ଦିନ ଧରି ଅଣସର ସେବାରେ ନିୟୋଜିତ ସେବାୟତ ଆଜି ମହାପ୍ରଭୁଙ୍କ ନବଯୌବନ ବେଶରେ ଦେଖି କାନ୍ଦି ପକାଇଛନ୍ତି।

ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସକ, ସମସ୍ତେ ଭାବବିହ୍ବଳ ହୋଇ ଏକାଠି ଗୀତଗୋବିନ୍ଦ ଗାଇଛନ୍ତି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପରେ ପ୍ରାୟ ଅଧଘଣ୍ଟା ଧରି ଗୀତଗୋବିନ୍ଦ ଗାଇଥିଲେ ସେବାୟତ। ସାଙ୍ଗରେ ଉପସ୍ଥିତ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ ବିଶାଳ ସିଂହ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବି ଗୀତଗୋବିନ୍ଦ ଗାଇଛନ୍ତି। ପ୍ରାୟ ଅଧଘଣ୍ଟା ଧରି ଗୀତଗୋବିନ୍ଦ ଗାଇବା ପରେ ଫେରିଥିଲେ ପ୍ରଶାସନିକ ଅଧିକାରୀ ଓ ସେବାୟତମାନେ। ପରେ ମୁଖ୍ୟ ପ୍ରଶାସକ ଓ ଅନ୍ୟମାନେ ଆଣ୍ଠୁ ମାଡ଼ି ମହାପ୍ରଭୁଙ୍କ ଯୋଡ଼ ହସ୍ତରେ ପ୍ରଣାମ କରିଥିଲେ ।

ଫେରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର ନିଜ ଭାବବିହ୍ବଳତା ଗଣମାଧ୍ୟମ ଆଗରେ ବି ପ୍ରକାଶ କରିଛନ୍ତି। ଏକକାଳୀନ ଗୀତଗୋବିନ୍ଦ ଗାଇବାର ଯେଉଁ ଅନୁଭୂତି ଆଣିଥିଲେ, ତାହା ବଖାଣିଛନ୍ତି। ନବଯୌବନ ବେଶ ସୁରୁଖୁରରେ ଶେଷ ହୋଇଥିବାବେଳେ ସମସ୍ତ ସେବାୟତ ବି ଏଥିରେ ଖୁସି ଅଛନ୍ତି ବୋଲି ମତ ଦେଇଛନ୍ତି।

Get real time updates directly on you device, subscribe now.