କଷ୍ଟ ଦୂର ହେବ, ଲୋକଙ୍କ ପାଇଁ ନିର୍ମାଣ ହେଉଛି ଜଳବାୟୁ ଅନୁକୂଳ ଘର

୨୪ଟି ପରିବାର ବିଶିଷ୍ଟ ‘ଚୁମୁର’ ଲଦାଖର ପ୍ରଥମ ଗାଁ ହେବାକୁ ଯାହାକୁ କେନ୍ଦ୍ର ସରକାରଙ୍କ ‘ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ’ ଅଧୀନରେ ଚୟନ କରାଯାଇଛି

କଶ୍ମୀର: ଆକାଶରେ ଭାସି ଯାଉଥିବା ମେଘ ଖଣ୍ଡ। ଉଚ୍ଚା ଉଚ୍ଚା ପାହାଡ଼ ଉପରେ ବରଫରୁ ଧଳା ଚାଦର। ସତେ ଯେମିତି ଲାଗୁଛି ପ୍ରକୃତିରାଣୀ ଅପରୂପ ସୌନ୍ଦରେ ବିଭୋଷିତ ହୋଇଛି। ଏମିତି ସୌନ୍ଦର୍ଯ୍ୟରେ ବିମୋହିତ ଗାଁ ହେଉଛି ଚୁମୁର। ଭାରତ-ଚୀନ ସୀମା ନିକଟରେ ଏହି ଛୋଟ ଗାଁରେ ମାତ୍ର ୯୧ ଜଣ ଲୋକ। ଦିନେ ଏହି ଗାଁରୁ ଲୋକ ପଳାଇ ଯାଉଥିଲେ। ଏବେ କିନ୍ତୁ ସରକାର ଗାଁକୁ ମଡ଼େଲ ଗାଁ ଭାବେ ଗଢ଼ି ତୋଳିବା ପାଇଁ ସଙ୍କଳ୍ପ ନେଇଛନ୍ତି। ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଲଦାଖର ଉପ-ରାଜ୍ୟପାଳ ବିନୟ କୁମାର ସକ୍ସେନା ବୁଧବାର ସମୁଦ୍ର ପତ୍ତନଠାରୁ ୧୬,୭୦୦ ଫୁଟ ଉପରେ ଥିବା ଗାଁ ଚୁମୁର ପାଇଁ ବହୁ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏଲ୍.ଜି. ସକ୍ସସେନା ଜଣାଇଛନ୍ତି, ଏହି ଗାଁକୁ ‘ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ’ ଅଧୀନରେ ବିକଶିତ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ସୀମାନ୍ତରେ ଥିବା ଉଚ୍ଚ ପାର୍ବତ୍ୟାଞ୍ଚଳ ଗାଁ ଗୁଡ଼ିକୁ ଆତ୍ମନିର୍ଭରଶୀଳ, ପାଣିପାଗ ଅନୁକୂଳ, ପର‌୍ୟ୍ୟଟନ ପାଇଁ ଉପଯୁକ୍ତ ଏବଂ ଅର୍ଥନୈତିକ ସ୍ତରରେ ମଜବୁତ କରିବା।

୨୪ଟି ପରିବାର ବିଶିଷ୍ଟ ‘ଚୁମୁର’ ଲଦାଖର ପ୍ରଥମ ଗାଁ ହେବାକୁ ଯାହାକୁ କେନ୍ଦ୍ର ସରକାରଙ୍କ ‘ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ’ ଅଧୀନରେ ଚୟନ କରାଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୂରଦୂରାନ୍ତର ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି, ବାସଗୃହ ଏବଂ ଜୀବିକା ନିର୍ବାହର ସୁଯୋଗରେ ସୁଧାର ଆଣିବା।

ଚୀନ ସୀମାରେ ୯୧ ଜଣ ଲୋକଙ୍କ ଗାଁମାତ୍ର ୨୪ଟି ପରିବାର ଥିବା ଚୁମୁର ଗାଁଟି ‘ଲାଇନ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ’ (ଏଲ୍‌ଏସି)ର ବହୁତ ନିକଟରେ ଅବସ୍ଥିତ। ଏଠାକାର ଅଧିକାଂଶ ଲୋକ ପଶ୍ମିନା ଛେଳି ପାଳନ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ଯାହାକି ଏଠାକାର ସ୍ଥାନୀୟ ଅର୍ଥନୀତିର ମେରୁଦଣ୍ଡ ସଦୃଶ।

ଆକାରରେ ଛୋଟ ହୋଇଥିଲେ ମଧ୍ୟ ସୀମାନ୍ତ ଅଞ୍ଚଳରେ ଜନସଂଖ୍ୟାକୁ ସୁଦୃଢ଼ କରିବା ଦିଗରେ ଏହି ଗାଁ ଏକ ବଡ଼ ପ୍ରୟାସର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିକୂଳ ପାଣିପାଗ, ଦୁର୍ଗମ ରାସ୍ତା ଓ ଆର୍ଥିକ ସୁଯୋଗର ଅଭାବ ଯୋଗୁଁ ଏହିସବୁ ଅଞ୍ଚଳରୁ ପୂର୍ବରୁ ଲୋକମାନେ ପଲାୟନ କରି ଚାଲି ଯାଉଛନ୍ତି। ନିକଟ ଅତୀତରେ ନୀତି ନିର୍ଦ୍ଧାରକମାନେ ସୀମାନ୍ତ ଅଞ୍ଚଳରେ ସାଧାରଣ ଜନତାଙ୍କ ଜନସଂଖ୍ୟା ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି।

ସେମାନଙ୍କ ମତରେ ଏଭଳି ଅଞ୍ଚଳର ବିକାଶର ଅର୍ଥ କେବଳ ରାସ୍ତା ତିଆରି କରିବା ଏବଂ ଭିତ୍ତିଭୂମି ଠିଆ କରିବା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ, ବରଂ ଏହାଠାରୁ ଢେର ଆଗକୁ ଚିନ୍ତା କରିବା ଆବଶ୍ୟକ।

ପ୍ରଶାସନ ତଥ୍ୟ ଅନୁଯାୟୀ, ଗାଁର ସମସ୍ତ ୨୪ଟି ପରିବାରକୁ ଏଭଳି ଜଳବାୟୁ-ଅନୁକୂଳ ଘର ମିଳିବ, ଯାହାର କାନ୍ଥଗୁଡ଼ିକ ‘ଥର୍ମାଲ ଇନସୁଲେସନ’ ଯୁକ୍ତ ହୋଇଥିବ। ଯଦ୍ୱାରା ସେମାନେ ଏହି ଅଞ୍ଚଳର ଅତ୍ୟନ୍ତ ଅସହ୍ୟ ଶୀତ ଓ ପ୍ରତିକୂଳ ପାଣିପାଗର ସାମ୍ନା କରିପାରିବେ। ଅଧିକାରୀଙ୍କ କହିବା ଅନୁସାରେ ସ୍ଥିତି ଅନୁକୂଳ ରହିଲେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଘର ନିର୍ମାଣ କାମ ସରିଯିବ।