fbpx

ରାଜଧାନୀରେ ଖୋଲିବ ସିଭିଲ ସର୍ଭିସ୍ ପ୍ରଶିକ୍ଷଣ କେନ୍ଦ୍ର: ଜମି ଯୋଗାଇଦେବେ ରାଜ୍ୟ ସରକାର, ୨ ଶହ ପିଲାଙ୍କୁ ମାଗଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସିଭିଲ୍ ସର୍ଭିସ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ଖୋଲିବ ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କେନ୍ଦ୍ର । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସରକାର ୨ ଏକର ଜମି ଯୋଗାଇ ଦେବେ । ଦେଶର ଅଗ୍ରଣୀ ସଂସ୍ଥା ଏଠାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ । ଏଥିସହିତ ପ୍ରତି ସପ୍ତାହରେ ବରିଷ୍ଠ ଅଧିକାରୀମାନେ ଦିଗଦର୍ଶନ ଦେବେ । ରାଜ୍ୟର ପିଲାମାନେ ଯେପରି ଆଇଏଏସ, ଆଇପିଏଏସ ଓ ଆଇଏଫଏସ ଭଳି ଉଚ୍ଚକୋଟୀର ପରୀକ୍ଷାରେ ସଫଳତା ଲାଭ କରିବେ ସେନେଇ ସରକାରୀ ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେବ ।

ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଅନ୍ୟ ରାଜ୍ୟର ପିଲାମାନେ ସଫଳତା ହାସଲ କରୁଥିବା ବେଳେ ଓଡ଼ିଶାରେ ଛାତ୍ରଛାତ୍ରୀ ଏ କ୍ଷେତ୍ରରେ ପଛରେ ରହିଛନ୍ତି । ଏନେଇ ଗତ ୨୦୧୯ରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ସ୍ତରରେ ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରିଥିଲେ । ମାତ୍ର ତାହା ସଫଳତା ହାସଲ କରି ନପାରିବାରୁ ତାହାକୁ ବନ୍ଦ କରି ଦିଆଯାଇଥିଲା । ତେବେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ମେଧାବୀଙ୍କୁ ଚୟନ କରାଯାଇ ମାଗଣା କୋଚିଂ ପ୍ରଦାନ ନେଇ ଗତମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଲୋଡ଼ା ଯାଇଥିଲା ।

ତେବେ ଏବେ ପରିବର୍ତ୍ତି ଢଙ୍ଗରେ ପୁଣି ଥରେ ସିଭିଲ ସର୍ଭିସ କୋଚିଂ ଆରମ୍ଭ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏନେଇ ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବାହାର ରାଜ୍ୟର ଶିକ୍ଷାନୁଷ୍ଠାନକୁ ଦାୟିତ୍ୱ ଦେବା ଅପେକ୍ଷା ନିଜସ୍ୱ ପରିଚାଳନାରେ କୋଚିଂ ସେଣ୍ଟର ଖୋଲିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥିରେ ୪୦୦ ପିଲାଙ୍କୁ କୋଚିଂ ଦେବାକୁ ବ୍ୟବସ୍ଥା ହୋଇଛି । ମାଗଣା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ ଜଣ ମେଧାବୀଙ୍କୁ ଚୟନ କରାଯିବ । ଉକ୍ତ ଛାତ୍ରମାନେ କୋଚିଂ ସେଣ୍ଟରରେ ସେମାନେ ୨ ବର୍ଷ ପାଇଁ ରହିବେ । ସ୍ଥାୟୀ ଗୃହ ନିର୍ମାଣ ନହେବା ପର୍ଯ୍ୟନ୍ତ ଭଡ଼ାଘରେ କୋଚିଂ ସେଣ୍ଟର ପରିଚାଳିତ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.