ଶିବାଜୀ ପାର୍କରେ ପ୍ରଦର୍ଶନ, CJP ନେତାଙ୍କ ସମେତ ୫୦୦ ଜଣଙ୍କ ବିରୋଧରେ FIR, ଅଭିଜିତ ଦୀପକେ କହିଲେ…
“ଯେତେ ଚାହୁଁଛ ମାମଲା ରୁଜୁ କର, କିନ୍ତୁ ଆମେ ଆମ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବୁ।”
ମୁମ୍ୱାଇ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ମୁମ୍ବାଇର ଶିବାଜୀ ପାର୍କରେ ହୋଇଥିବା ପ୍ରଦର୍ଶନ ଏବେ ଆଇନଗତ ମାମଲାରେ ପରିଣତ ହୋଇଛି।
ପୋଲିସ ଅନୁମତି ନଦେଇଥିଲେ ମଧ୍ୟ ପ୍ରଦର୍ଶନ ଆୟୋଜନ ଏବଂ ବଡ଼ ସଂଖ୍ୟାରେ ଲୋକ ଏକାଠି ହେବା ଅଭିଯୋଗରେ CJP ନେତାଙ୍କ ସମେତ ପ୍ରାୟ ୪୦୦–୫୦୦ ଅଜଣା ବ୍ୟକ୍ତିଙ୍କ ବିରୋଧରେ FIR ରୁଜୁ ହୋଇଛି।
ଅକ୍ଟୋବର ୨ ତାରିଖରେ ସନ୍ଧ୍ୟା ପ୍ରାୟ ୪ଟାରୁ ୭ଟା ମଧ୍ୟରେ ଶିବାଜୀ ପାର୍କରେ ଏହି ପ୍ରଦର୍ଶନ ହୋଇଥିଲା। ପୋଲିସର କହିବା ଅନୁସାରେ, ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇନଥିଲା।
ଏହା ସତ୍ତ୍ୱେ ବହୁ ସଂଖ୍ୟାରେ ଲୋକ ସେଠାରେ ଏକାଠି ହୋଇଥିଲେ। ସାର୍ବଜନୀନ ସଭା, ନାରାବାଜି ଏବଂ ସାର୍ବଜନୀନ ରାସ୍ତାରେ ଉଚ୍ଚ ସ୍ୱରରେ ଲାଉଡସ୍ପିକର ବ୍ୟବହାର ନେଇ ମଧ୍ୟ ଅଭିଯୋଗ ରହିଛି।
କେଉଁ CJP ନେତାଙ୍କ ନାଁରେ ମାମଲା: ରିପୋର୍ଟ ଅନୁସାରେ FIRରେ CJP ନେତା ଅଭିଜିତ ଦୀପକେ, ଅଜିଙ୍କ୍ୟ ଶିନ୍ଦେ, ପ୍ରଣୟ ଅହିରେ, ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ନାଁ ରହିଛି। ଏହା ସହ ଆଫ୍ରିନ ନୱାଜ, ସୌମ୍ୟା କୋର୍ଡେ, ଅଙ୍କିତ ଭାରଦ୍ୱାଜ, ବିଜୟ ମାଲଗୀ ଓ ଯୋଗେଶ ଇଙ୍ଗଲେଙ୍କ ନାଁ ମଧ୍ୟ FIRରେ ସାମିଲ ଥିବା ରିପୋର୍ଟ ହୋଇଛି।
ଶିବାଜୀ ପାର୍କ ଥାନାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୮୯(୨) ଓ ୨୨୩, ଏବଂ ମହାରାଷ୍ଟ୍ର ପୋଲିସ ଆଇନର ଧାରା ୩୭(୧), ୩୭(୩) ଓ ୧୩୫ ଅଧୀନରେ ମାମଲା ରୁଜୁ ହୋଇଛି।
ଅଭିଜିତଙ୍କ ପ୍ରତିକ୍ରିୟା: ତେବେ ଏହି ଘଟଣା ପରେ CJPର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶିବାଜୀ ପାର୍କ ମାମଲାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଯେତେ ଚାହୁଁଛ ମାମଲା ରୁଜୁ କର, କିନ୍ତୁ ଆମେ ଆମ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବୁ।”
ଶିବାଜୀ ପାର୍କ ପ୍ରଦର୍ଶନକୁ ନେଇ ଦୀପକେଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ରିପୋର୍ଟ ମଧ୍ୟରେ ତାଙ୍କର ଏହି ବୟାନ ସାମ୍ନାକୁ ଆସିଛି।
ଦୀପକେ କହିଛନ୍ତି, “ଯୁବପିଢ଼ିର ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନ ଗଣତନ୍ତ୍ରକୁ ବଞ୍ଚାଇବାର ଲଢ଼େଇ ଜାରି ରଖିବ। ଆହୁରି ମାମଲା ରୁଜୁ କରିବାକୁ ଚାହୁଁଥିଲେ କରନ୍ତୁ, କିନ୍ତୁ ଆମେ ଗଣତନ୍ତ୍ର ପାଇଁ ଲଢ଼େଇ କରିଚାଲିବୁ।”
ପୋଲିସ କାହିଁକି ଦେଇନଥିଲା ଅନୁମତି: ଶିବାଜୀ ପାର୍କରେ ପ୍ରଦର୍ଶନ ପାଇଁ CJP ପକ୍ଷରୁ ଅନୁମତି ମଗାଯାଇଥିଲା। ତେବେ ମୁମ୍ବାଇ ପୁଲିସ ଏହାକୁ ଅନୁମତି ଦେଇନଥିଲା। ଏହା ପରେ ମଧ୍ୟ ଅକ୍ଟୋବର ୨ରେ ଆନ୍ଦୋଳନ ହୋଇଥିବାରୁ ଅଭିଯୋଗ ଆଧାରରେ ଏହି FIR ରୁଜୁ କରାଯାଇଛି। ଏବେ ପୁଲିସ ଘଟଣାରେ ଜଡ଼ିତ ବ୍ୟକ୍ତି ଓ ପରିସ୍ଥିତିର ତଦନ୍ତ କରୁଛି।
ଦିଲ୍ଲୀରେ ମଧ୍ୟ ହୋଇଛି FIR: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ମଧ୍ୟ ଅକ୍ଟୋବର ୨ରେ ପ୍ରଦର୍ଶନ ହୋଇଥିଲା। ଜନ୍ତର-ମନ୍ତର ଆଡ଼କୁ ଯିବାକୁ ଚେଷ୍ଟା କରୁଥିବା ପ୍ରଦର୍ଶନକାରୀଙ୍କୁ ପୋଲିସ ଅଟକାଇଥିଲା। ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ୩ଟି FIR ରୁଜୁ କରିଛି, ଦୁଇଟି ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଏବଂ ଗୋଟିଏ କନଟ୍ ପ୍ଲେସ୍ ଥାନାରେ।
ପ୍ରଦର୍ଶନ ସମୟରେ ୭୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ଦିଲ୍ଲୀ ପୁଲିସ କହିଥିବା ରିପୋର୍ଟ ମଧ୍ୟ ରହିଛି। ଏହି ଆନ୍ଦୋଳନଗୁଡ଼ିକରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ SIRକୁ ନେଇ ବିଭିନ୍ନ ଦାବି ଉଠାଯାଇଥିଲା। ମୁମ୍ବାଇ ଓ ଦିଲ୍ଲୀର ପ୍ରଦର୍ଶନକୁ ନେଇ FIR ପରେ ଏବେ ଉଭୟ ସହରରେ ପୋଲିସ ତଦନ୍ତ ଜାରି ରହିଛି।

