CJP ନେତାଙ୍କ ପିଛା ଛାଡ଼ୁନି ଅଡୁଆ! ପୁଣି ଆସିଲା ଡାକରା, ଜେରା ପାଇଁ କ୍ରାଇମ୍ ବ୍ରାଞ୍ଚରେ ପହଞ୍ଚିଲେ ସୌରଭ-ଆଶୁତୋଷ

ଜନ୍ତର ମନ୍ତରରେ ବିନା ଅନୁମତିରେ ପ୍ରତିବାଦ ଓ ବ୍ୟାରିକେଡ୍ ଭାଙ୍ଗିବା ଅଭିଯୋଗରେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ।

ନୂଆଦିଲ୍ଲୀ: ଜେଲ୍‌ରୁ ମୁକୁଳିବା ପରେ ବି ସରିନି ଅଡୁଆ। ପୁଣି ଥାନାରେ ହାଜର ହେଲେ CJP ନେତା। ଜନ୍ତର ମନ୍ତରରେ ହୋଇଥିବା ବିକ୍ଷୋଭ ଓ ହଙ୍ଗାମାକୁ ନେଇ ଏବେ ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି।

ସଂଗଠନର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଉଭୟ ରାଜୌରୀ ଗାର୍ଡେନ୍‌ସ୍ଥିତ କ୍ରାଇମ୍ ବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତରେ ସାମିଲ ହୋଇଛନ୍ତି।

କେବଳ ସୌରଭ ଓ ଆଶୁତୋଷ ନୁହନ୍ତି, CJP ନେତା ରତ୍ନା ସିଂହଙ୍କ ଅଡୁଆ ମଧ୍ୟ ବଢ଼ିଛି। ତାଙ୍କ ବିରୋଧରେ ଅପରାଧିକ ଅଦାଲତ ଅବମାନନା ମାମଲା ଆରମ୍ଭ କରିବାକୁ ଦିଲ୍ଲୀ ସରକାର ସହମତି ଦେଇଛନ୍ତି। ତେବେ କ’ଣ ଏହି ପୂରା ମାମଲା? କାହିଁକି ପୁଣି କ୍ରାଇମ୍ ବ୍ରାଞ୍ଚର ଡାକରା ପାଇଲେ CJP ନେତା? ଆସନ୍ତୁ ଜାଣିବା।

କାହିଁକି ଡାକିଲା କ୍ରାଇମବ୍ରାଞ୍ଚ: ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ ଏକାଧିକ ଅଭିଯୋଗକୁ ନେଇ ତଦନ୍ତ କରୁଛି। ସରକାରୀ ନିର୍ଦ୍ଦେଶର ଅବମାନନା, ବିନା ଅନୁମତିରେ ଜନ୍ତର ମନ୍ତରରେ ପ୍ରବେଶ ଏବଂ ଅନ୍ୟର ସମ୍ପତ୍ତିରେ ବେଆଇନ ଭାବେ ପ୍ରବେଶ କରିବା ଭଳି ଅଭିଯୋଗ ରହିଛି।

ଏହି ମାମଲାରେ ପଚରାଉଚରା ପାଇଁ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ବୁଧବାର ଦିନ ୧୨ଟାରେ ରାଜୌରୀ ଗାର୍ଡେନ୍‌ସ୍ଥିତ କ୍ରାଇମ୍ ବ୍ରାଞ୍ଚ କାର୍ଯ୍ୟାଳୟକୁ ଡକାଯାଇଥିଲା। ଉଭୟ ତଦନ୍ତରେ ସାମିଲ ହେବା ପାଇଁ ସେଠାରେ ପହଞ୍ଚିଛନ୍ତି।

ଅକ୍ଟୋବର ୧୩ରେ କ’ଣ ହୋଇଥିଲା: ଅକ୍ଟୋବର ୧୩ ତାରିଖ ସକାଳେ CJPର ୧୩ ଜଣ ସଦସ୍ୟ ଏକ ଘରୋଇ ପରିସର ଦେଇ ବିନା ଅନୁମତିରେ ଜନ୍ତର ମନ୍ତରରେ ପହଞ୍ଚିଥିବା ଅଭିଯୋଗ ହୋଇଥିଲା। ଏଥିରେ ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ସିନ୍ଦେଙ୍କ ସମେତ ସଂଗଠନର ଅନ୍ୟ ସଦସ୍ୟମାନେ ସାମିଲ ଥିଲେ।

ପ୍ରଦର୍ଶନକାରୀମାନେ ବ୍ୟାରିକେଡ୍ ଭାଙ୍ଗିଥିବା, ସୁରକ୍ଷାକର୍ମୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ନାରାବାଜି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍ ବ୍ରାଞ୍ଚକୁ ଦିଆଯାଇଥିଲା। ଏବେ ସେହି ମାମଲାରେ ଦୁଇ ନେତାଙ୍କୁ ଜେରା କରାଯାଉଛି।

ପୂର୍ବରୁ ଯାଇଥିଲେ ଜେଲ୍, ଏବେ ପୁଣି ଜେରା: ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ପାଇଁ ଏହା ପ୍ରଥମ ଥର ନୁହେଁ ଯେ ସେମାନଙ୍କୁ ପୋଲିସର ସାମ୍ନା କରିବାକୁ ପଡ଼ିଛି। ଅକ୍ଟୋବର ୧୪ ତାରିଖରେ ଜନ୍ତର ମନ୍ତରର ଅନୁମତି ନଥିବା ସ୍ଥାନରେ ପ୍ରବେଶ ଓ ଶାନ୍ତି ବଜାୟ ରଖିବା ପାଇଁ ଦିଆଯାଇଥିବା ବଣ୍ଡ୍‌ର ଉଲ୍ଲଂଘନ ଅଭିଯୋଗରେ ଉଭୟଙ୍କୁ ଅଟକ ରଖାଯାଇଥିଲା।

ପ୍ରଥମେ ଉଭୟଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ଅକ୍ଟୋବର ୧୯ରେ କୋର୍ଟ ସେମାନଙ୍କ ନ୍ୟାୟିକ ହେପାଜତ ଆଉ ଦୁଇ ଦିନ ବଢ଼ାଇଥିଲେ।

ହେପାଜତ ଅବଧି ଶେଷ ହେବା ପରେ ଉଭୟଙ୍କୁ ମୁକ୍ତ କରାଯାଇଥିଲା। ତେବେ ଜେଲ୍‌ରୁ ଫେରିବାର କିଛି ଦିନ ପରେ ପୁଣି କ୍ରାଇମ୍ ବ୍ରାଞ୍ଚର ଜେରା ପାଇଁ ଡାକରା ଆସିବା ଘଟଣା ଏବେ ଚର୍ଚ୍ଚାରେ ରହିଛି।

ରତ୍ନା ସିଂହଙ୍କ ବଢ଼ିଲା ଅଡୁଆ: ଅନ୍ୟପଟେ CJP ନେତା ରତ୍ନା ସିଂହଙ୍କ ପାଇଁ ମଧ୍ୟ ଆଇନଗତ ଅଡୁଆ ବଢ଼ିଛି। ତାଙ୍କ ବିରୋଧରେ ଅପରାଧିକ ଅଦାଲତ ଅବମାନନା ମାମଲା ଆରମ୍ଭ କରିବାକୁ ଦିଲ୍ଲୀ ସରକାର ସହମତି ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ରତ୍ନା ସିଂହ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଥିଲେ। ସେଥିରେ ଜଣେ ବିଚାରପତି କୌଣସି ଅଜ୍ଞାତ ‘ମାଲିକ’ଙ୍କ ନିର୍ଦ୍ଦେଶରେ କାମ କରୁଥିବା ନେଇ ସେ ଅଭିଯୋଗ କରିଥିଲେ।

ଏହି ପୋଷ୍ଟଗୁଡ଼ିକୁ ନେଇ ଅଦାଲତ ଅବମାନନା ପ୍ରସଙ୍ଗ ଉଠିଥିଲା। ଏବେ ଦିଲ୍ଲୀ ସରକାରଙ୍କ ସହମତି ପରେ ତାଙ୍କ ବିରୋଧରେ ଅପରାଧିକ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ବାଟ ଖୋଲିଛି।

ଗୋଟିଏ ପଟେ ଜନ୍ତର ମନ୍ତର ଘଟଣାକୁ ନେଇ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ କ୍ରାଇମ୍ ବ୍ରାଞ୍ଚର ଜେରା, ଅନ୍ୟପଟେ ରତ୍ନା ସିଂହଙ୍କ ବିରୋଧରେ ଅପରାଧିକ ଅଦାଲତ ଅବମାନନା ପ୍ରକ୍ରିୟା।

ଏହି ଦୁଇ ଘଟଣାକୁ ନେଇ ଏବେ CJP ନେତାମାନଙ୍କ ଆଇନଗତ ଅଡୁଆ ବଢ଼ିଛି। ଆଗକୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର।