ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ CJPର ବଡ଼ ପ୍ରଦର୍ଶନ, ମୁମ୍ୱାଇ ଅଭିମୁଖେ ୫୦ ହଜାର ଲୋକ! ଏମିତି ରହିଛି ପ୍ରସ୍ତୁତି
ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ମୁମ୍ବାଇରେ ପ୍ରଦର୍ଶନ କରିବାକୁ CJP ଘୋଷଣା କରିଛି। ଦଳର ଦାବି ଅନୁସାରେ, ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ହଜାର ଲୋକ ଯୋଗଦେଇପାରନ୍ତି।
ମୁମ୍ୱାଇ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ମୁମ୍ବାଇରେ ଆଜି CJPର ପ୍ରଦର୍ଶନ। ଗାନ୍ଧୀ ଜୟନ୍ତୀ ଅବସରରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ CJP ପକ୍ଷରୁ ଆହ୍ୱାନ ଦିଆଯାଇଛି। ଦଳର ମୁମ୍ବାଇ କୋଅର୍ଡିନେଟର ପ୍ରଣୟ ଅହୀରଙ୍କ ଦାବି ଅନୁସାରେ, ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ହଜାର ଲୋକ ମୁମ୍ବାଇରେ ପହଞ୍ଚିବେ।
CJP କହିଛି, ଆଜି ଅପରାହ୍ନ ୪ଟାରୁ ପ୍ରଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଦଳର ଦାବି ହେଉଛି, ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକା ସମ୍ପର୍କିତ ପ୍ରସଙ୍ଗରେ ଅଧିକ ସ୍ୱଚ୍ଛତା ଦରକାର ଏବଂ ଏହି କାରଣରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଉଛି। CJP ପୂର୍ବରୁ ମଧ୍ୟ ଏହି ଦାବିକୁ ନେଇ ଦେଶବ୍ୟାପୀ ଆନ୍ଦୋଳନର ଘୋଷଣା କରିଥିଲା।
୫୦ ହଜାର ଲୋକ ଆସୁଛନ୍ତି: CJP ପକ୍ଷରୁ କୁହାଯାଇଛି ଯେ ପ୍ରଦର୍ଶନରେ ଯୋଗଦେବାକୁ ଆସୁଥିବା ଲୋକଙ୍କ ପାଇଁ ୨୦୦ ଜଣ ଭଲେଣ୍ଟିୟରଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରଦର୍ଶନ ସ୍ଥଳରେ ମେଡିକାଲ୍ କ୍ୟାମ୍ପ୍ ଓ ପାଣିର ବ୍ୟବସ୍ଥା କରାଯାଇଥିବା ଦଳ ପକ୍ଷରୁ ଦାବି କରାଯାଇଛି। ଆନ୍ଦୋଳନରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ଭଲେଣ୍ଟିୟରମାନେ କାମ କରିବେ ବୋଲି କୁହାଯାଇଛି।
CJPର କହିବା ଅନୁସାରେ, ପ୍ରଦର୍ଶନକୁ ଶାନ୍ତିପୂର୍ଣ୍ଣ ରଖାଯିବ। ତେବେ ମୁମ୍ବାଇ ପୋଲିସ ପୂର୍ବରୁ ଶିବାଜୀ ପାର୍କରେ ଅକ୍ଟୋବର ୨ର ପ୍ରଦର୍ଶନ ପାଇଁ ଅନୁମତି ଦେଇନଥିବା ରିପୋର୍ଟ ରହିଛି। ପୋଲିସ ଟ୍ରାଫିକ୍, ଭିଡ଼ ଏବଂ ସ୍ଥାନୀୟ ନିୟମ ସମ୍ପର୍କିତ କାରଣ ଦର୍ଶାଇଥିବା ଜଣାପଡ଼ିଛି।
ଶିବାଜୀ ପାର୍କ ଚାରିପାଖରେ ସୁରକ୍ଷା କଡ଼ା: ପ୍ରଦର୍ଶନକୁ ନଜରରେ ରଖି ମୁମ୍ବାଇର ଶିବାଜୀ ପାର୍କ ଅଞ୍ଚଳରେ ପୋଲିସ ମୁତୟନ ବଢ଼ାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ କରାଯାଇଥିବା ରିପୋର୍ଟ ଆସିଛି। CJP ପକ୍ଷରୁ ଗାନ୍ଧୀବାଦୀ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର କଥା କୁହାଯାଇଥିବା ବେଳେ, ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ଉପରେ ନଜର ରଖାଯାଉଛି।
ପ୍ରଦର୍ଶନ ପୂର୍ବରୁ ଦୀପକେଙ୍କୁ ନେଇ ଚର୍ଚ୍ଚା: ପ୍ରଦର୍ଶନର ଗୋଟିଏ ଦିନ ପୂର୍ବରୁ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ମୁମ୍ବାଇରେ ପହଞ୍ଚିଥିଲେ। ଗେଟୱେ ଅଫ୍ ଇଣ୍ଡିଆ ଏବଂ ପରେ ମେରାଇନ୍ ଡ୍ରାଇଭ୍ରେ ସେ ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା।
ପରେ ମୁମ୍ବାଇ ପୋଲିସ ତାଙ୍କୁ ମେରାଇନ୍ ଡ୍ରାଇଭ୍ ପୋଲିସ ଷ୍ଟେସନକୁ ନେଇଥିଲା ବୋଲି ରିପୋର୍ଟ ଆସିଥିଲା। କିଛି ସମୟ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।
ତେବେ ଏହି ଘଟଣାକୁ ନେଇ ପୋଲିସ ଓ ଦୀପକେଙ୍କ ବୟାନରେ ପାର୍ଥକ୍ୟ ମଧ୍ୟ ସାମ୍ନାକୁ ଆସିଛି। ପୋଲିସ ଅଧିକାରୀଙ୍କ ଅନୁସାରେ, ତାଙ୍କୁ କେବଳ ପଚରାଉଚରା ଓ ସତର୍କ କରିବା ପାଇଁ ନିଆଯାଇଥିଲା।
ବାନ୍ଦ୍ରା ଷ୍ଟେସନରେ ଚା’ ପିଇଲେ ଦୀପକେ: ପ୍ରଦର୍ଶନ ପୂର୍ବରୁ ଅଭିଜିତ ଦୀପକେ ବାନ୍ଦ୍ରା ଷ୍ଟେସନରେ ଚା’ ପିଉଥିବା ଦେଖାଯାଇଥିଲେ। ସେଠାରେ ଚା’ ବିକ୍ରି କରୁଥିବା ବ୍ୟକ୍ତିଙ୍କ ସହ ସେ କଥା ହୋଇଥିଲେ। ପରେ ସେ ବ୍ୟକ୍ତିଙ୍କୁ ମଧ୍ୟ ସନ୍ଧ୍ୟା ୪ଟାରେ ଶିବାଜୀ ପାର୍କ ଆସିବେ କି ନାହିଁ ବୋଲି ପଚାରିଥିବା କୁହାଯାଇଛି।
CJP ପକ୍ଷରୁ ଏହି ଆନ୍ଦୋଳନକୁ ମୁମ୍ବାଇରୁ ଆରମ୍ଭ କରି ଅନ୍ୟ ସହରକୁ ନେବାର ଯୋଜନା ଘୋଷଣା କରାଯାଇଛି। ଦଳର ନେତାମାନେ ଗୋଆ, ବେଙ୍ଗାଲୁରୁ ଓ କୋଲକାତା ସମେତ ଅନ୍ୟ ସ୍ଥାନରେ ମଧ୍ୟ ଆନ୍ଦୋଳନ କରିବା କଥା କହିଛନ୍ତି।
ଏବେ ନଜର ରହିଛି ମୁମ୍ବାଇର ଆଜିର ପ୍ରଦର୍ଶନ ଉପରେ- CJP ପକ୍ଷରୁ ଦାବି କରାଯାଉଥିବା ୫୦ ହଜାର ଲୋକ କେତେ ସଂଖ୍ୟାରେ ଏକାଠି ହେଉଛନ୍ତି ଏବଂ ପ୍ରଶାସନ-ପ୍ରଦର୍ଶନକାରୀଙ୍କ ମଧ୍ୟରେ ସ୍ଥିତି କିପରି ରହୁଛି, ତାହା ଉପରେ ସମସ୍ତଙ୍କ ନଜର।

