fbpx

କାଳୁକୁ ବିଚ୍ ରାସ୍ତାରେ ଖଣ୍ଡାରେ ହାଣିଲେ: ଅଶାନ୍ତ କୋଦଳା ସହର

କୋଦଳା(ଓଡ଼ିଶା ଭାସ୍କର): କିଛି ବର୍ଷର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି କୋଦଳା ସହର। ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଖଦାଳ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ଓ ଏଥିରେ ଜଣେ ଗୁରୁତର ହୋଇଛନ୍ତି। ପୋଲିସ ଉପସ୍ଥିତରେ ଉତ୍ୟକ୍ତ ଲୋକେ ହତ୍ୟାକାରୀଙ୍କ ଘର ଜାଳିଦେବା ସହିତ ରାସ୍ତା ଅବରୋଧ କରିଥିବା ବେଳେ ସ୍ଥାନୀୟ ପୂର୍ବତନ ନଗରପାଳ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ଲୋକଙ୍କୁ ବୁଝାସୁଝା କାରି ରାସ୍ତାରୋକ ହଟା ଯାଇଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଡାକବଙ୍ଗଳା ନିକଟରେ ।

ମୃତକ ହେଲେ କୋଦଳା ଖଦାଳ ସାହିର କାଳୁ ଦାଶ । ଆଜି ସକାଳେ କାଳୁ ମଟନ୍ ଦୋକାନରୁ ଫେରିବା ବେଳେ କିଛି ଦୁର୍ବୃତ୍ତ ବିଚ୍ ରାସ୍ତାରେ ଖଣ୍ଡାରେ ଓ ଲୁହା ରଡ଼ ସାହାଯ୍ୟରେ ତାଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ କାଳୁଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେ ମଧ୍ୟ ଆକ୍ରମଣର ଶିକାର ହୋଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ଓ ଚିକିତ୍ସା ପରେ ଘରକୁ ଫେରିଛନ୍ତି ।

ତେବେ କାଳୁଙ୍କୁ ହତ୍ୟା ପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଉପସ୍ଥିତି ରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ତିନୋଟି ଘର ନିଆ ଲଗାଇବା ସହିତ ଚାରୋଟି ବାଇକ୍ ଭାଙ୍ଗିଥିବା ବେଳେ ପୋଲିସ ନିରୁପାୟ ଭାବେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ନ୍ୟାୟ ଦାବିରେ ଉତ୍ୟକ୍ତ ଲୋକମାନେ ମୁଖ୍ୟ ରାସ୍ତାରେ କାଠ ରଖି ରାସ୍ତା ଅବରୋଧ କରିଥିବା ବେଳେ ପୂର୍ବତନ ନଗରପାଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ରାସ୍ତା ଅବରୋଧ ହଟିଥିଲା । ଅନ୍ୟପଟେ ଘଟଣା ପରେ କୋଦଳା ପୋଲିସ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ପୁରୁଷୋତ୍ତମପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନ୍ଭିନ୍ ଜାରି ରଖି ଶବ ଜବତ କାରି ବ୍ୟବଛେଦ ନିମନ୍ତେ ପଠାଇ ତିନିଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ।

Get real time updates directly on you device, subscribe now.