ମହିଳାଙ୍କ ବାଥ୍ ରୁମରେ ସ୍ପାଏ କ୍ୟାମେରା ଖଞ୍ଜି ସବୁ ଦେଖୁଥିଲା କନିଷ୍ଠ କିରାଣୀ!
ଯେଉଁ ମହିଳା ବାଥ୍ ରୁମ୍ ଯାଉଥିଲେ, ସେହି ସମୟର ସବୁ ଚିତ୍ର ସେ ଦେଖିପାରୁଥିଲେ। ଦୀର୍ଘଦିନ ଧରି ସେ କୁକର୍ମ କରୁଥିଲେ।
ଭୁବନେଶ୍ୱର: ସରକାରୀ ଅଫିସ୍ର ମହିଳାଙ୍କ ବାଥ୍ ରୁମ୍। ସେଥିରେ ଲାଗିଥିଲା ସ୍ପାଏ କ୍ୟାମେରା। ସେପଟେ ମହିଳା ବାଥ୍ ରୁମ ଯାଉଥିଲେ, ଆଉ କିରାଣୀ ମହାଶୟ ଲାଇଭ ଭିଡ଼ିଓ ଦେଖୁଥିଲେ ବୋଲି ଅଭିଯୋଗ ହେଉଛି। ଏପରି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ କିରାଣୀଙ୍କୁ ଗିରଫ କରିବା ସହ ସ୍ପାଏ କ୍ୟାମେରା ଜବତ କରିଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳରେ କନିଷ୍ଠ କିରାଣୀ ଭାବେ ଚାକିରି କରୁଥିଲେ ସଞ୍ଜୟ। ସେ ଅଫିସର ମହିଳା ବାଥ୍ ରୁମ୍ରେ ସ୍ପାଏ କ୍ୟାମେରା ଲଗାଇଥିଲେ। ଆଉ ତାହାର କନେକ୍ସନ୍ ସଞ୍ଜୟ ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଛି। ତେଣୁ ଯେଉଁ ମହିଳା ବାଥ୍ ରୁମ୍ ଯାଉଥିଲେ, ସେହି ସମୟର ସବୁ ଚିତ୍ର ସେ ଦେଖିପାରୁଥିଲେ। ଦୀର୍ଘଦିନ ଧରି ସେ କୁକର୍ମ କରୁଥିଲେ।
ତେବେ ମେ ୨୫ ତାରିଖରେ ଜଣେ ମହିଳା କର୍ମଚାରୀ ସେହି ବାଥ୍ ରୁମ ଯାଇଥିଲେ। ସେହି ସମୟରେ ସ୍ପାଏ କ୍ୟାମେରାଟି ତଳେ ଖସି ପଡ଼ିଥିଲା। ଏହା କଣ ବୋଲି ଭାବି ମହିଳା ଜଣକ ଯାଞ୍ଚ କରିଥିଲେ। ତା’ପରେ ପରେ ଜାଣିବାକୁ ପାଇଥିଲେ ଏହା ହେଉଛି ଏକ ସ୍ପାଏ କ୍ୟାମେରା। ପରେ ସେ ଏନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
୨୬ ତାରିଖରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ କନିଷ୍ଠ କିରାଣୀ ସଞ୍ଜୟଙ୍କ ଉପରେ ପୋଲିସର ସନ୍ଦେହୀ ଆଖି ଯାଇଥିଲା। ତା’ପରେ ତାଙ୍କୁ ହେପାଜତକୁ ନେଇ ଜେରା କରିଥିଲା। ହେଲେ ସଞ୍ଜୟ ବେଶୀ ସମୟ ନିଜ ପାପକୁ ଲୁଚାଇ ରଖି ପରିନଥିଲା। ଶେଷରେ ନିଜ ଦୋଷ ସ୍ୱୀକାର କରିଥିଲା।
ଏନେଇ ଜତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା କହିଛନ୍ତି; ତଦନ୍ତ ସମୟରେ ସିସିଟିଭି ଫୁଟେଜ୍ ଓ ସ୍ପାଏ କ୍ୟାମେରାକୁ ଫୋରେନ୍ସିକ ଯାଞ୍ଚ କରାଯାଇଛି। ମହିଳା ଶୌଚାଳୟ ଆଖପାଖରେ ଅଭିଯୁକ୍ତଙ୍କ ସନ୍ଦିଗ୍ଧ ଗତିବିଧି ସାମ୍ନାକୁ ଆସିଥିଲା। ଜେରା ସମୟରେ ଅଭିଯୁକ୍ତ ନିଜର ବରିଷ୍ଠ ଅଧିକାରୀଙ୍କ ଆଗରେ ଅପରାଧ ସ୍ୱୀକାର କରିଛି।
ସେ କହିଛନ୍ତି, ପ୍ରାରମ୍ଭିକ ଯାଞ୍ଚରୁ ଅଭିଯୁକ୍ତ ଅନ୍ଲାଇନ୍ ମାଧ୍ୟମରେ ସ୍ପାଏ କ୍ୟାମେରା କିଣିଥିଲା। ମାର୍ଚ୍ଚ ମାସରେ ଉକ୍ତ ମହିଳା ବାଥ ରୁମ୍ରେ ଖଞ୍ଜି ଥିଲା। ମହିଳାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସେ ଏହି ସ୍ପାଏ କ୍ୟାମେରା ଖଞ୍ଜିଥିବା କହିଥିଲା। ପୋଲିସ ଅଭିଯୁକ୍ତଙ୍କଠାରୁ ସ୍ପାଏ କ୍ୟାମେରା, ହାର୍ଡ ଡିସ୍କ, ପେନ୍ ଡ୍ରାଇଭ, ମୋବାଇଲ ଫୋନ୍ ଆଦି ଉଦ୍ଧାର କରିଛି। ମାମଲାର ଯାଞ୍ଚ ଚାଲିଛି।

