fbpx

ଜଳବାୟୁ ପରିବର୍ତ୍ତନକୁ ନେଇ ଆସିଲା ସାଂଘାତିକ ରିପୋର୍ଟ: ଶତାବ୍ଦୀର ଶେଷ ସୁଦ୍ଧା ସମୁଦ୍ରରେ ବୁଡ଼ିଯିବ ପାରଦୀପ ସମେତ ୧୨ ସହର !

ୱାସିଂଟନ୍‌/ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍): ଜାତିସଂଘର ଇଣ୍ଟର ଗଭର୍ଣ୍ଣମେଣ୍ଟାଲ୍‌ ପ୍ୟାନେଲ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ (ଆଇପିସିସି) ରିପୋର୍ଟକୁ ଆଧାର କରି ଆମେରିକାର ନ୍ୟାସନାଲ୍‌ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେଶ୍‌ ଆଡମିନିଷ୍ଟ୍ରେସନ୍‌ (ନାସା) ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ସାରା ବିଶ୍ୱକୁ ସତର୍କ କରାଇ ଦେଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱ ସଙ୍କଟର ସାମ୍ନା କରିବ ଓ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି ।

ନାସାର ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ଜଳବାୟୁର ପରିବର୍ତ୍ତନର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିବ । ଭାରତର ପାରାଦୀପ ସମେତ ୧୨ଟି ଉପକୂଳବର୍ତ୍ତୀ ସହର ଚଳିତ ଶତାଦ୍ଦୀର ଶେଷ ବେଳକୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱ ତାପାମାନ ବୃଦ୍ଧି ଯୋଗୁ ବରଫ ଖଣ୍ଡଗୁଡ଼ିକ ତରଳି ସମୁଦ୍ରରେ ମିଶିବ ଏବଂ ଏହାଫଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ । ଫଳରେ ଭାରତର କାଣ୍ଡଲା, ଓଖା, ଭାବନଗର, ମୁମ୍ବାଇ, ମୋରମୁଗାଓ, ମାଙ୍ଗାଲୋର, କୋଚିନ୍‌, ପାରାଦୀପ, ଖିଦିରପୁର, ବିଶାଖାପାଟନମ୍‌, ଚେନ୍ନାଇ ଏବଂ ଟୁଟିକୋରିନ୍‌ ସହର ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି । ଏହି ସହରଗୁଡ଼ିକ ପ୍ରାୟ ୨.୭ ଫୁଟ ଜଳ ସ୍ତର ତଳେ ରହିବେ । ଏହାର ଅର୍ଥ ଏହି ସହରଗୁଡ଼ିକରେ ସମୁଦ୍ର ଜଳ ମାଡ଼ି ସ୍ଥଳ ଭାଗରୁ ୨.୭ ଫୁଟ ଉପରେ ପ୍ରବାହିତ ହେବ ।

ଆଇପିସିସିର ରିପୋର୍ଟକୁ ଆକଳନ କରି ନାସା ସମଗ୍ର ବିଶ୍ୱର ସମୁଦ୍ର ପତ୍ତନକୁ ମାପି ଥାଏ । ସୋମବାର ଆଇପିସିସି ରିପୋର୍ଟ ଦେବା ପରେ ନାସା ଏହାର ଆକଳନ କରିଥିଲା । ଏହି ସମୟରେ ନାସା ସମୁଦ୍ର ଜଳରେ ଲୀନ ହେବାକୁ ଥିବା ୧୨ଟି ଭାରତୀୟ ସହରକୁ ଚିହ୍ନଟ କରିଛି । ଯଦି ସମୟ ଥାଉ ଥାଉ ଏଗୁଡ଼ିକ ରୋକା ଯାଇ ନପାରିବ, ତା’ହେଲେ ସ୍ଥିତି ସାଂଘାତିକ ହେବ ବୋଲି ନାସା ଆକଳନ କରିଛି । ୧୯୮୮ ମସିହାରୁ ଆଇପିସିସି ପ୍ରତି ୫ରୁ ୭ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଘଟୁଥିବା ସମସ୍ୟା ସମ୍ପର୍କରେ ରିପୋର୍ଟ ଦେଇଥାଏ । ତାପମାତ୍ରାରେ ପରିବର୍ତ୍ତନ ଓ ବରଫ ଖଣ୍ଡ ତରଳିବା ଆଦି ବିଷୟକୁ ଆଇପିସିସି ନିଜ ରିପୋର୍ଟରେ ସ୍ଥାନ ଦେଇଥାଏ ।

Get real time updates directly on you device, subscribe now.