ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ହେବ ଅର୍ଥନୈତିକ କରିଡର: ଶୁଭାରମ୍ଭ କେଲ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, କଟକ, ପୁରୀ ଓ ପାରାଦ୍ୱୀପ ହେବ ଅର୍ଥନୈତିକ କରିଡର
ଭୁବନେଶ୍ବର: ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ଶ୍ରୀ ରାଜୀବ ଗୌବା ଏବଂ ସିଇଓ ଶ୍ରୀ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି।
ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, BCPPER ଅଞ୍ଚଳକୁ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ଅଞ୍ଚଳ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତର ଅଭିବୃଦ୍ଧିର ଆକାଶରେ ଏହା ଏକ ନୂତନ ତାରକା ଭଳି ଦୃଶ୍ୟମାନ ହେବ।
ମୁଖ୍ୟମନ୍ତ୍ରୀ କହିଲେ ଯେ, “ଏହି ଅଞ୍ଚଳର ସବୁ ସହରର କିଛି ନା କିଛି ନିଜସ୍ବ ସାମର୍ଥ୍ୟ ରହିଛି, ସ୍ବତନ୍ତ୍ରତା ରହିଛି। ଯେପରିକି ଟେକ୍ନୋଲୋଜି କ୍ଷେତ୍ରରେ ଭୁବନେଶ୍ବର, ବିଜନେସ୍ ପରମ୍ପରାରେ କଟକ, ସାଂସ୍କୃତିକ ଗାରିମାରେ ପୁରୀ ଓ ବନ୍ଦର ଭିତ୍ତିକ ବିକାଶରେ ପାରାଦୀପ। ବର୍ତ୍ତମାନ ଆମର ପରିକଳ୍ପନା ହେଉଛି, ଏହି ଅଞ୍ଚଳ ଗୁଡିକୁ ଆଧୁନିକ ଭିତ୍ତିଭୂମି ସହିତ ଯୋଡାଯିବ ଏବଂ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯିବ। ମେଟାଲ ଡାଉନଷ୍ଟ୍ରିମ୍, ବାୟୋଟେକ୍, ଟେକ୍ସଟାଇଲ୍, କେମିକାଲ୍ସ, ପର୍ଯ୍ୟଟନ, ଶିକ୍ଷା ଓ ଆଇ.ଟି ପରି ୮୦ରୁ ଅଧିକ ପ୍ରକଳ୍ପର ଯୋଜନା କରାଯାଇଛି। ଏହା ସହିତ ୩୦ରୁ ଅଧିକ ପଲିସି ଇନିସିଏଟିଭ୍ ନିଆଯାଇ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ”।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “୨୦୨୬-୨୭ ବଜେଟ୍ରେ କେନ୍ଦ୍ର ସରକାର ସିଟି ଇକୋନୋମିକ୍ ରିଜିଅନର ପରିକଳ୍ପନା କରିଛନ୍ତି। ଏଥିରେ BCPPER ରିଜିଅନ୍ ମଧ୍ୟ ସ୍ଥାନ ପାଇଛି। ପ୍ରତ୍ୟେକ CER ର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି”।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଏହି ଅଞ୍ଚଳର ଅର୍ଥନୀତି ସାରା ଓଡିଶାର ଅର୍ଥନୀତିର ୧୯ ପ୍ରତିଶତ। ୨୦୨୫ ସୁଦ୍ଧା ଏହି ଅଞ୍ଚଳର ଅର୍ଥନୀତିର ଆକାର ୨୨.୪ ବିଲିଅନ ଡଲାର ଅଛି। ୨୦୪୭ ସୁଦ୍ଧା ଏହାକୁ ୫୦୦ ବିଲିଅନ ଡଲାର କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ସରକାର ତଥା ନୀତି ଆୟୋଗର ସହଯୋଗରେ ରାଜ୍ୟର ଡବଲ ଇଞ୍ଜିନ ସରକାର ଏହି ଅଞ୍ଚଳକୁ ଅର୍ଥନୈତିକ କାୟାକଳ୍ପର ଏକ କେନ୍ଦ୍ରଭାବେ ବିକଶିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।
୮ ଟି ପ୍ରମୁଖ ସହରାଞ୍ଚଳରେ ୧୦ ଟି କ୍ଷେତ୍ରକୁ ନେଇ ୬୦ ରୁ ଅଧିକ ପ୍ରକଳ୍ପ ପାଇଁ ହୋଇଛି ଯୋଜନା । ତେବେ ସେହି ସବୁ ପ୍ରକଳ୍ପ ଗୁଡିକ ହେଉଛି…
ଉତ୍ପାଦନ କ୍ଷେତ୍ର
– ଜୈବ ପ୍ରଯୁକ୍ତି ବିଦ୍ୟା ଏବଂ ଚିକିତ୍ସା ଉପକରଣ
– ଧାତୁ ପ୍ରକ୍ରିୟା କରଣ ଶିଳ୍ପ
– କ୍ୟାପିଟାଲ ଗୁଡ଼ସ୍ ଏବଂ ହ୍ଵାଇଟ ଗୁଡ଼ସ୍ ପାର୍କ
– ଶିଳ୍ପ ସ୍ଥାନାନ୍ତରଣ ପାଇଁ ପ୍ରୋତ୍ସାହନମୂଳକ ସୁବିଧା ପ୍ରଦାନ
– ପ୍ଲଗ ଆଣ୍ଡ ପ୍ଲେ (Plug-&-play) ଭିତ୍ତଭୂମି ସହିତ କ୍ଷେତ୍ର-ଭିତ୍ତିକ ଶିଳ୍ପାଞ୍ଚଳ ବିକାଶ ପାଇଁ ସ୍ୱତନ୍ତ୍ର ନୀତି
ବୟନ, ପୋଷାକ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ
– ଟେକ୍ନିକାଲ୍ ଟେକ୍ସଟାଇଲ୍ ପାଇଁ ମେଗା ପାର୍କ (ପାରାଦ୍ବୀପ) ଏବଂ ଟେକ୍ସଟାଇଲ୍ ପାର୍କ (ଚୌଦ୍ବାର)
– ମହିଳାମାନଙ୍କ ପାଇଁ ମିନି ଆର.ଏମ୍.ଜି (RMG) ପାର୍କ
– ଓଡ଼ିଶା ପୋଷାକ ଏବଂ ଟେକ୍ନିକାଲ୍ ଟେକ୍ସଟାଇଲ୍ ନୀତି ୨୦୨୨: ଲକ୍ଷ୍ୟଧାର୍ଯ୍ୟ, ବିଭକ୍ତିକରଣ (Seg-mentation) ଏବଂ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ସାଧାରଣ ସୁବିଧା କେନ୍ଦ୍ର (CFC) ପାଇଁ ଏକ ରୂପରେଖ (Framework) ପ୍ରସ୍ତୁତ କରିବା
ରାସାୟନିକ ଶିଳ୍ପ
– PCPIR ଅଞ୍ଚଳରେ ଡାଉନଷ୍ଟିମ୍ ଶିଳ୍ପ ପାଇଁ ୩ଟି ସ୍ବତନ୍ତ୍ର ଶିଳ୍ପାଞ୍ଚଳ ବିକାଶ, ଯେଉଁଠାରେ ଅନ୍ତର୍ଜାତୀୟ କିମ୍ବା ଜାତୀୟ ସ୍ମରର ପ୍ରତିଷ୍ଠିତ ମୁଖ୍ୟ ଶିଳ୍ପସଂସ୍ଥା ରହିବେ
– ପାରାଦ୍ବୀପ ବନ୍ଦରଠାରେ ରାସାୟନିକ ଦ୍ରବ୍ୟ ଆମଦାନୀ-ରପ୍ତାନି ପାଇଁ ସ୍ବତନ୍ତ୍ର ବର୍ଥ (Berths) ର ବ୍ୟବସ୍ଥା
– ପାରାଦ୍ବୀପ ବନ୍ଦରଠାରେ ଫ୍ଲୋଟି” ଷ୍ଟୋରେଜ୍ ଏବଂ ରି-ଗ୍ୟାସିଫିକେସନ୍ ୟୁନିଟ୍ (FSRU) ର ସ୍ଥାପନ
– କାରଖାନା ଅଧିନିୟମ (Factory Act) ରେ ସଂଶୋଧନ – ମହିଳା ଶ୍ରମିକଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ପଦକ୍ଷେପ
– REACH ନିୟମାବଳୀର ଅନୁପାଳନ (ରାସାୟନିକ ପଦାର୍ଥର ପଞ୍ଜିକରଣ, ମୂଲ୍ୟାଙ୍କନ ଓ ଅନୁମତି ସମ୍ବନ୍ଧୀୟ)
କୃଷି ଏବଂ ମତ୍ସ୍ୟ ସମ୍ପଦ
– ଶସ୍ୟ-ଭିଭିକ କ୍ଲଷ୍ଟର ବିକାଶ
– ଆକ୍ୱଆକଲଚର ପାର୍କ
– କୃଷି ଉଦ୍ୟୋଗ ଏବଂ କୃଷି ବୈଷୟିକ ଜ୍ଞାନ କୌଶଳ
– କୃଷି-ରପ୍ତାନି ଟର୍ମିନାଲ୍
– ସିଡିସ୍ ଭିଲେଜ ବା ବିଜ ଗ୍ରାମ ପ୍ରତିଷ୍ଠା
– ଓଡ଼ିଶା ରାଜ୍ୟ ମତ୍ସ୍ୟ ନୀତି, ୨୦୧୫- ବର୍ତମାନର ଆହ୍ବାନ ଏବଂ ସୁଯୋଗ ଅନୁଯାୟୀ ଏହାର ସମୀକ୍ଷା ଓ ସଂଶୋଧନ
ପର୍ଯ୍ୟଟନ
– ମନ୍ଦିର ପରିକ୍ରମା (Temple Circuit) – ଜଗନ୍ନାଥ ପୁରୀ ର ଦ୍ବିତୀୟ ପର୍ଯ୍ୟାୟ
– ବୌଦ୍ଧ ପରିକ୍ରମା (Buddhist Circuit) ସହିତ ସଂଯୋଗୀକରଣ (ଧଉଳି)
– ହସ୍ତକଳା ପର୍ଯ୍ୟଟନ ଏବଂ ଓଡ୍ର ବେଦ ସଂଗ୍ରହାଳୟ
– କ୍ରୁଜ ଟର୍ମିନାଲ (Cruise Terminal)
– ସି-ୱାରଲଡ଼ (Sea world) ଏବଂ ସ୍ପିୟର ଥିମ୍ ପାର୍କ
– ହ୍ରଦ ଏବଂ ବେଳାଭୂମିର ସାମଗ୍ରିକ ବିକାଶ
– ଜଙ୍ଗଲ ସଫାରି ଏବଂ ଦୁଃସାହସିକ ପର୍ଯ୍ୟଟନ
– କ୍ରୁଜ ପର୍ଯ୍ୟଟନ ନୀତି
– ଐତିହ୍ୟ ସ୍ଥଳୀଗୁଡିକର ପୁନଃ ବିକାଶ
– ଦୁଃସାହସିକ ପର୍ଯ୍ୟଟନ ଏବଂ ହୋମଷ୍ଟେ ନୀତି
– ପର୍ଯ୍ୟଟନ ନୀତି – ହୋଟେଲ ଶିଳ୍ପ ପାଇଁ ଜମି ଲିଜ ଏବଂ ଯାତ୍ରୀ ଧାରଣ କ୍ଷମତା ଅନୁସାରେ ଜୋନିଂ ନିୟମାବଳି
ଆଇଟି/ଆଇଟିଇଏସ
– ଜିସିସି (GCC) କ୍ଲଷ୍ଟର ଏବଂ ଆଇଟି ସିଟି (IT City)
– ନବ ସୃଜନ (Innovation City) ଏବଂ ଡାଟା ସେଣ୍ଟର ଭିତ୍ତିଭୂମି
– ଇଆର-ଏଣ୍ଡ-ଡି (ER&D) କ୍ଷେତ୍ର-ଭିତ୍ତିକ କେନ୍ଦ୍ର
– ଜିପିୟୁ (GPU) ଏବଂ ସର୍ଭର ନିର୍ମାଣ ହବ୍
– ଜିସିସି (GCC) ନୀତି: ଟିକସ ରିହାତି, ଆର୍ଥିକ ପ୍ରୋତ୍ସାହନ ଏବଂ ପ୍ରତିଭାବାନ ବ୍ୟକ୍ତିଙ୍କୁ ନିଯୁକ୍ତି ପାଇଁ ସହାୟତା
– ଡାଟା ସେଣ୍ଟର ନୀତି
– ଆଇଟି (IT) ନୀତି
ଶିକ୍ଷା
– ଏଜୁ-ସେଜ୍ (Edu-SEZ) ଏବଂ ସାଇନ୍ସ ସିଟି
– ହବ୍ (ଭୁବନେଶ୍ବର ଓ କଟକ) ଏବଂ ସ୍ପୋକ (ଶିଳ୍ପାଞ୍ଚଳ କ୍ଲଷ୍ଟର) ମଡେଲରେ ଦକ୍ଷତା ବିକାଶ
– ଜ୍ଞାନ କରିଡ଼ର (Knowledge Corridors) ଏବଂ ନବସୃଜନ ଜିଲ୍ଲା (Innovation Districts)
– ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ଶିକ୍ଷା ନୀତି
– ସ୍କିଲ ପାସପୋର୍ଟ (Skill Passport) ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ନିଯୁକ୍ତି ବାନ୍ଧତାମୂଳକ କରିବା
ବନ୍ଦର
– FTWZs (ଫ୍ରି-ଟ୍ରେଡ୍ ୱାୟାରହାଉସ ଜୋନ୍) MMLPs (ମଲ୍ଟିମୋଡାଲ ଲଜିଷ୍ଟିକ ପାର୍କ) ଏବଂ ICD ( ଇନଲ୍ୟାଣ୍ଡ କଣ୍ଟେନର ଡିପୋ)
– ଜାତୀୟ ଜଳପଥ ୬୪ (NW64) ଏବଂ ଜାତୀୟ ଜଳପଥ – ୫ (NW5) ପ୍ରକଳ୍ପର ସମାପ୍ତି
– ICCC (ସମନ୍ବିତ କମାଣ୍ତ ଏବଂ କଣ୍ଟ୍ରୋଲ ସେଣ୍ଟର)-ଅସ୍ତରଙ୍ଗ, ମହାନଦୀ ଏବଂ ମଙ୍ଗଳା ନଦୀ
– EODB (ବ୍ୟବସାୟିକ ସହଜତା), CoDB ଏବଂ SODB ପ୍ରକ୍ରିୟାର ଡିଜିଟାଇଜେସନ୍
– ବନ୍ଦର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା ପାଇଁ ବର୍ଥ ସିଡିୟୁଲିଂ (Berthing) ନୀତି
– ବନ୍ଦର ଭିତ୍ତକ ଶିଳ୍ପ ଏକ ଲଜିଷ୍ଟିକ୍ସ ପାର୍କ ପାଇଁ ଓଡ଼ିଶା ଶିଳ୍ପ ନୀତି
ପୌର ନିଗମ ଏବଂ ପୌରପାଳିକା ଅଧୀନରେ ଥିବା ପ୍ରକଳ୍ପ ସମୂହ
(ଚୌଦ୍ବାର)
– ସହର ମଧ୍ୟରୁ ପ୍ରଦୂଷଣକାରୀ (IEs/IAs) ଶିଳ୍ପାଞ୍ଚଳଗୁଡ଼ିକର ସ୍ଥାନାନ୍ତରଣ
– ସହରାଞ୍ଚଳରେ ଥିବା ଶିଳ୍ପ ଜମିର ସଦୁପଯୋଗ
– ଭୁବନେଶ୍ବର ପାଇଁ ଏକ ଯୋଜନାବଦ୍ଧ ସାଟେଲାଇଟ ସହର
– ସିଟଆପାରେଲ୍ ପାର୍କ (ପୋଷାକ ଶିଳ୍ପ ପାର୍କ)
– କ୍ଷୁଦ୍ର ବୟନ ଶିଳ୍ପ ପାର୍କ (Mini Textile Parks)
– ମହିଳାମାନଙ୍କ ପାଇଁ Ready-Made Garment ପାର୍କ
(ଭୁବନେଶ୍ବର)
– ER&D କେନ୍ଦ୍ର ସହିତ ଆଇଟି (IT) କରିଡର
– ବିଶ୍ବସ୍ତରୀୟ ଏଜୁ-ସେଜ୍ (Edu-SEZ): BCPPER ଆନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ସହର
– ସାଇନ୍ସ ସିଟି (ଏଜୁ-ସେଜ୍ ମଧ୍ୟରେ)
– ବସ୍ ସେବାର ସମ୍ପ୍ରସାରଣ
– ନବସୃଜନ ସହର ଏବଂ ଡାଟା ସେଣ୍ଟର କରିଡର
– ଜିସିସି (GCC) କ୍ଲଷ୍ଟର ଏବଂ ଆଇଟି ସିଟି
– ଷ୍ଟାର୍ଟଅପ୍ ପ୍ରୋତ୍ସାହନ ଏବଂ ନବସୃଜନ ପରିବେଶର ସୁଦୃଢ଼ୀକରଣ
– ମନ୍ଦିର ପରିକ୍ରମା (Temple Circuit)
– ବୌଦ୍ଧ ପରିକ୍ରମା (Buddhist Circuit)
– ଓଡ୍ର ବେଦ ସଂଗ୍ରହାଳୟ
– ବିଶ୍ୱ ସ୍ତରୀୟ କ୍ରୀଡା ସହର (Global Sports City)
– ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର
– ପର୍ଯ୍ୟଟନ ଡାଟା ଅବଜରଭେଟୋରୀ
– କୃଷି-ଉଦ୍ୟୋଗ ଏବଂ ସେବା ଭାବରେ କୃଷି-ବୈଷୟିକ ଜ୍ଞାନକୌଶଳ
– ବୟନ, ହସ୍ତତନ୍ତ ଏବଂ ସ୍ଥାନୀୟ କାରିଗରଙ୍କ ମଧ୍ୟରେ ସମନ୍ବୟ ପାଇଁ ଉତ୍କର୍ଷ କେନ୍ଦ୍ର
(ଖୋର୍ଦ୍ଧା)
– ଜିପିୟୁ (GPU) ଏବଂ ସର୍ଭର ନିର୍ମାଣ ହବ୍
– ସହର ମଧ୍ୟରୁ ପ୍ରଦୂଷଣକାରୀ (IEs/IAs) ଶିଳ୍ପାଞ୍ଚଳଗୁଡ଼ିକର ସ୍ଥାନାନ୍ତରଣ
– ସହରାଞ୍ଚଳରେ ଥିବା ଶିଳ୍ପ ଜମିର ସଦୁପଯୋଗ
– ଶିଳ୍ପ କରିଡ଼ର (Industrial Corridor)
– ସାଟେଲାଇଟ୍ କଳା ନବସୃଜନ କ୍ଷେତ୍ର
– ନୂତନ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଦକ୍ଷତା ବିକାଶ ଲାବ୍
(ଜଟଣୀ)
– ଭୁବନେଶ୍ବର ପାଇଁ ଏକ ଯୋଜନାବଦ୍ଧ ସାଟେଲାଇଟ୍ ସିଟି
(କଟକ)
– ଉତ୍କର୍ଷ କେନ୍ଦ୍ର (CoE) ଏବଂ ଗବେଷଣା କେନ୍ଦ୍ର ସହିତ ମେଡିକାଲ୍ କରିଡର
– ବିଶ୍ବ ଦକ୍ଷତା କେନ୍ଦ୍ର ଏବଂ ଅନ୍ୟାନ୍ୟ ନୂତନ ପ୍ରଶିକ୍ଷଣ କେନ୍ଦ୍ର
– ବସ୍ ସେବା ଏବଂ ଆନୁଷଙ୍ଗିକ ଭିତ୍ତିଭୂମି
– ସହର ମଧ୍ୟରୁ ପ୍ରଦୂଷଣକାରୀ (IEs/IAs) ଶିଳ୍ପାଞ୍ଚଳଗୁଡ଼ିକର ସ୍ଥାନାନ୍ତରଣ
– ସହରାଞ୍ଚଳ ଶିଳ୍ପ ଜମିର ସଦୁପଯୋଗ
– କେନ୍ଦ୍ରୀୟ କଳା ନବସୃଜନ କ୍ଷେତ୍ର
– ମନ୍ଦିର ପରିକ୍ରମା (Temple Circuit)
– ବାରବାଟୀ ଦୁର୍ଗ ଏବଂ ବାଲିଯାତ୍ରା ପଡ଼ିଆର ପୁନଃ ବିକାଶ
– ସ୍ବରାଜ ଆଶ୍ରମ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ
– କରିଡରର ସୃଜନଶୀଳ ପୁନଃ ବିକାଶ
– ବିଶ୍ୱ ସ୍ତରୀୟ କ୍ରୀଡା ସହର (Global Sports City)
(ଜଗତସିଂହପୁର)
– ବସ୍ ସେବା ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ସମ୍ପ୍ରସାରଣ
– ଉତ୍ସବ ଏବଂ କାର୍ଯ୍ୟକ୍ରମ ସମୂହ
– ଆଇଟିଆଇ (ITI) ଗୁଡ଼ିକର ଉନ୍ନତିକରଣ
– ମନ୍ଦିର ପରିକ୍ରମା (Temple Circuit)
(ପାରାଦ୍ୱୀପ)
– ER&D ଫୋକସ୍ କେନ୍ଦ୍ର (Maritime-Tech)
– FTWZs (ମୁକ୍ତ ବାଣିଜ୍ୟ ଗୋଦାମ ଅଞ୍ଚଳ) ଏବଂ ICDs (ଇନଲ୍ୟାଣ୍ଡ କଣ୍ଟେନର ଡ଼ିପୋ)
– କଣ୍ଟେନର କ୍ଷମତାର ସମ୍ପ୍ରସାରଣ
– ଘରୋଇ ଟ୍ରାନ୍ସସିପମେଣ୍ଟ ହବ୍
– ଇ-ମିଥାନଲ୍ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍
– ଗ୍ରୀନ୍ ପୋର୍ଟ (Greenport) ପଦକ୍ଷେପ
(ପୁରୀ)
– ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ଆଞ୍ଚଳିକ ମାସ୍ ଟ୍ରାଞ୍ଜିଟ୍ (Regional Mass Transit)
– ବସ୍ ସେବା ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ସମ୍ପ୍ରସାରଣ
– ଅମୃତ ଅନ୍ନ ପାଇଁ କ୍ଷୁଦ୍ର କ୍ଲଷ୍ଟର
– ପୁରୀ ମନ୍ଦିରକୁ କେନ୍ଦ୍ର କରି ମନ୍ଦିର ପରିକ୍ରମା (Temple Circuit)
– ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡର (ଦ୍ବିତୀୟ ପର୍ଯ୍ୟାୟ)
– ସି-ୱାର୍ଡ଼ ଏବଂ ସ୍ପିୟର ଥିମ୍ ପାର୍କ (Sphere Theme Park)
– ବେଳାଭୂମିର ବିକାଶ, ହୋଟେଲ ଏବଂ ରିସୋର୍ଟ
– ପ୍ରିମିୟର୍ ୱେଡିଂ (Wedding) ଏବଂ କଲ୍ୟାଣ ମଣ୍ତପ
– ବ୍ରାଣ୍ଡିଂ ଏବଂ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ପାଇଁ ଆନ୍ତର୍ଜାତୀୟ ସମ୍ମିଳନୀ
– ପର୍ଯ୍ୟଟନ ଡ଼ାଟା ଅବଜରଭେଟୋରୀ (Tourism Data Observatory)
ସେପଟେ ଏହି ଇକୋନୋମିକ୍ ପ୍ଲାନ୍ ପ୍ରସ୍ତୁତ କରିଥିବାରୁ ନୀତି ଆୟୋଗର ସଦସ୍ୟ ଶ୍ରୀ ରାଜୀବ ଗୌବା ଓ ସିଇଓ ଶ୍ରୀ ସୁବ୍ରମଣ୍ୟମଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, “ଆଜିର ଏହି ଯୋଜନା ଓଡିଶାର ଭବିଷ୍ୟତ ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଅତ୍ୟନ୍ତ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଥିବା ବଡ ବଡ ସହର ମାନଙ୍କ ପାଇଁ ଏଭଳି ଯୋଜନା ପ୍ରସ୍ତୁତ କରାଯିବ। ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରଠାରୁ ରାଜ୍ୟରେ ସହରୀକରଣର ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେଉଛନ୍ତି। ସହରୀକରଣ ବୃଦ୍ଧି କ୍ଷେତ୍ରରେ ୨୮ଟି ନୂଆ ଏନ୍ଏସି, ୭ଟି ମୁନିସ୍ପାଲ୍ଟି ଏବଂ ଗୋଟିଏ ମହାନଗର ନିଗମ ସୃଷ୍ଟି ସହରୀକରଣ କ୍ଷେତ୍ରରେ ଆମ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି”।
ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା କହିଥିଲେ ଯେ, ବିକଶିତ ଓଡିଶା ନିର୍ମାଣର ପ୍ରମୁଖ ସ୍ତମ୍ଭ ହେଉଛି ଏହି BCPPER ପ୍ରୋଜେକ୍ଟ। ଦେଶର ୨୦ଟି ପ୍ରମୁଖ ସହରର ଉନ୍ନତି ପାଇଁ ପ୍ରସ୍ତାବ ରହିଥିବା ବେଳେ, ପ୍ରଥମ ୫ଟି ମଧ୍ୟରେ BCPPER ସ୍ଥାନିତ ହୋଇଛି। ଏହି ରିଜିଅନର ଅଭିବୃଦ୍ଧି ହେଲେ ଏ ଅଞ୍ଚଳବାସୀଙ୍କର ମଧ୍ୟ ଅଭିବୃଦ୍ଧି ଘଟିବ। ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ । ଏହି ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର୍ ସୁବ୍ରମଣ୍ୟମ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରତି ଧନ୍ୟବାଦ ଜଣାଇ କହିଥିଲେ ଯେ, ଆମର ୭୦ରୁ ୮୦ ପ୍ରତିଶତ ଜିଡିପି ସହରାଞ୍ଚଳରୁ ଆସିଥାଏ। ୨୦୪୭ ସୁଦ୍ଧା ଆମ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସହରୀକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ମୁମ୍ବାଇ, ସୁରଟ, ବିଶାଖାପଟଣା, ବାରଣାସୀ ପରେ ନୀତି ଆୟୋଗର ଏହା ହେଉଛି ପଞ୍ଚମ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ବିକଶିତ ଓଡିଶା ପାଇଁ ମଧ୍ୟ ନୀତି ଆୟୋଗ ଯୋଜନା ପ୍ରସ୍ତୁତ କରିଛି। ଆମର ଏହି ଯୋଜନା କେବଳ ଓଡିଶା ପାଇଁ ନୁହେଁ ବିକଶିତ ଭାରତ ପାଇଁ ମଧ୍ୟ ସହାୟକ ହେବ ବୋଲି ସେ କହିଥିଲେ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ବାଗତ କରି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପ୍ରଦାନ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।
