fbpx

ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ମାଲକାନଗିରି,୧୭ ।୧୧(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହୋଇ ସୁଖ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଞ୍ଚଳର ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି ନବୀନ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବାର୍ତ୍ତାଳପ କରି କହିଛନ୍ତି ଯେ, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଏବେ ପ୍ରଗତି ପଥରେ । ଏହା ସହ ସ୍ୱାଭିମାନ ଅଞ୍ଚଳମାସୀଙ୍କୁ ମୋବାଇଲ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪-ଜି ମୋବାଇଲ ଫୋନ ବଣ୍ଟନ ହୋଇଛି । ଫଳରେ ପିଲାଏ ଅନଲାଇନରେ ପାଠ ପଢିବା ସହ ସରକାରୀ ଯୋଜନାର ଲାଭ ପାଇପାରିବେ।

ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘୨୦୧୮ ଜୁଲାଇରେ ମୁଁ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରିଥିଲି । ସେତେବେଳେ ୧୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲି ।ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଜୀବିକା, ସ୍ବାସ୍ଥ୍ୟସେବା, ଯୋଗାଯୋଗ, ଜଳସେଚନ ଉପରେ ଗୁରୁତ୍ବ ଦିଆଯାଇଛି । ସ୍ବାଭିମାନ ଅଞ୍ଚଳରେ ଭଲ ହଳଦୀ ଚାଷର ଆଦର ରହିଛି । ଅଧିକ ହଳଦୀ ଚାଷ, ପ୍ରୋସେସିଂ ଓ ବ୍ରାଣ୍ଡିଂ ପାଇଁ ପଦକ୍ଷେପ ନିଆଯାଇଛି । ବିଜୁଳି ପାଇଁ ୩୩ କେଭି କାମ ଖୁବଶୀଘ୍ର ଶେଷ ହେବ । ୭୮ କିମି ରାସ୍ତା, ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।’

ତେବେ ୨୦୧୮ରେ ଏଠାରେ ଗୁରୁପ୍ରିୟା ସେତୁର ଉଦଘାଟନ ହୋଇଥିଲା । କିଛି ବର୍ଷ ମଧ୍ୟରେ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ସହ ଟେଲି କମ୍ୟୁନିକେସନର ବ୍ୟବସ୍ଥା କରିଛନ୍ତି ସରକାର। ସ୍ଥାନୀୟ ଅଞ୍ଚଳରେ ୧୪ଟି ନୂଆ ରାସ୍ତା ତିଆରି ନେଇ ଟେଣ୍ଡର ଦିଆଯାଇଥିବା ବେଳେ, ୭ଟି ରାସ୍ତାର କାର୍ଯ୍ୟ ଜାରି ରହିଛି । ସ୍ୱାଭିମାନ ଅଞ୍ଚଳରେ ୫ଟି ଟେଲିଫୋନ ଟାଓ୍ୱାର ପ୍ରତିଷ୍ଠା କରିଛନ୍ତି ସରକାର ।

Get real time updates directly on you device, subscribe now.