CNG ଭରୁଥିବା ବେଳେ କାର୍ରେ ଭୟଙ୍କର ବ୍ଲାଷ୍ଟ, ଆଖି ପିଛୁଳାକେ ଉଡ଼ିଗଲା ପଛପଟ
ଗୁଜରାଟର କରଜଣରେ CNG ଭରୁଥିବା ସମୟରେ କାର୍ର ଗ୍ୟାସ୍ ଟାଙ୍କିରେ ଭୟଙ୍କର ବିସ୍ଫୋରଣ।
ଗୁଜରାଟ: CNG ଭରିବାକୁ ପମ୍ପରେ ଛିଡ଼ା ହୋଇଥିଲା କାର୍। ହଠାତ୍ ଶୁଣିବାକୁ ମିଳିଲା ଜୋରଦାର ଧମାକା। ଆଖି ପିଛୁଳାକେ କାର୍ର ପଛପଟ ଛିନ୍ନଛତ୍ର ହୋଇଗଲା। ଚାରିଆଡ଼େ ଖେଳିଗଲା ଆତଙ୍କ।
ତେବେ ଏହି ଭୟଙ୍କର ବିସ୍ଫୋରଣ ସମୟରେ କାର୍ ଭିତରେ କେହି ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତିଗଲେ ଲୋକେ। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଏବେ CCTV କ୍ୟାମେରାରେ କଏଦ ହୋଇଛି।
ଗୁଜରାଟର ଭଦୋଦରା ଜିଲ୍ଲା କରଜଣ ଅଞ୍ଚଳରେ ନ୍ୟାସନାଲ ହାଇୱେ-୪୮ ଉପରେ ଶନିବାର ଏଭଳି ଏକ ଘଟଣା ଘଟିଛି। ଜିନ୍ଦଲ କମ୍ପାନୀ ସମ୍ମୁଖରେ ଥିବା ଏକ ପେଟ୍ରୋଲ-ସିଏନଜି ପମ୍ପରେ ଜଣେ କାର୍ ଚାଳକ CNG ଭରିବା ପାଇଁ ଆସିଥିଲେ। କିନ୍ତୁ ଗ୍ୟାସ୍ ଭରିବା ସମୟରେ ହଠାତ୍ କାର୍ର ଗ୍ୟାସ୍ ଟାଙ୍କିରେ ଜୋରଦାର ବିସ୍ଫୋରଣ ହୋଇଥିଲା।
CNG ନୋଜଲ୍ ଲାଗିବା ପରେ ହଠାତ୍ ଧମାକା: ସୂଚନା ଅନୁସାରେ, କାର୍ରେ CNG ଭରିବା ପାଇଁ ପମ୍ପ କର୍ମଚାରୀ ନୋଜଲ୍ ଲଗାଇଥିଲେ। ଏହି ସମୟରେ ହଠାତ୍ ଗ୍ୟାସ୍ ଟାଙ୍କିରେ ବିସ୍ଫୋରଣ ଘଟିଥିଲା। ଧମାକା ଏତେ ଜୋରଦାର ଥିଲା ଯେ କାର୍ର ପଛ ଅଂଶ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। କାର୍ର କିଛି ଅଂଶ ଦୂରକୁ ଛିଟିକି ପଡ଼ିଥିବା ମଧ୍ୟ ଜଣାପଡ଼ିଛି।
ବିସ୍ଫୋରଣର ପ୍ରଭାବରେ ପାଖରେ ଛିଡ଼ା ହୋଇଥିବା ଆଉ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ହଠାତ୍ ଏଭଳି ଧମାକା ହେବାରୁ ପମ୍ପ ପରିସରରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ଟଳିଲା ବଡ଼ ଅଘଟଣ: ଘଟଣା ସମୟରେ କାର୍ ଭିତରେ କୌଣସି ଯାତ୍ରୀ ନଥିଲେ। CNG ଭରାଯାଉଥିବା ବେଳେ କାର୍ରେ ଥିବା ଲୋକମାନେ ବାହାରେ ଛିଡ଼ା ହୋଇଥିଲେ। ଏହି କାରଣରୁ ଏକ ବଡ଼ ଜନହାନି ଟଳିଯାଇଥିବା କୁହାଯାଉଛି।
ତେବେ ବିସ୍ଫୋରଣରେ କାର୍ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ପମ୍ପ ପରିସରରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଭୟର ବାତାବରଣ ରହିଥିଲା।
ଟାଙ୍କିରେ ତ୍ରୁଟି ନା ଅଧିକ ଚାପ: ପ୍ରାଥମିକ ଭାବେ କାର୍ର CNG ଟାଙ୍କିରେ କୌଣସି ତ୍ରୁଟି କିମ୍ବା ଅତ୍ୟଧିକ ଚାପ ଯୋଗୁଁ ବିସ୍ଫୋରଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ପ୍ରକୃତରେ କେଉଁ କାରଣରୁ ଏତେ ବଡ଼ ଧମାକା ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଘଟଣାର ଖବର ପାଇ କରଜଣ ଫାୟାର ଟିମ୍ ସାଇରନ୍ ବଜାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଟିମ୍ ପମ୍ପ ପରିସର ଯାଞ୍ଚ କରିବା ସହ ଆଉ କୌଣସି ବିପଦର ଆଶଙ୍କା ଅଛି କି ନାହିଁ, ତାହା ଯାଞ୍ଚ କରିଥିଲା।
CCTVରେ କଏଦ ହେଲା ପୂରା ଘଟଣା: ଏହି ଭୟଙ୍କର ଘଟଣାର CCTV ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଫୁଟେଜ୍ରେ CNG ଭରାଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ହେଉଥିବା ଦେଖାଯାଉଛି। ଧମାକା ପରେ ପମ୍ପ ପରିସରରେ ଲୋକମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଯାଇଥିଲା।
ଘଟଣା ପରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପମ୍ପର ସୁରକ୍ଷା ବ୍ୟବସ୍ଥା ଓ ଘଟଣାର ବିଭିନ୍ନ ଦିଗ ଯାଞ୍ଚ ଆରମ୍ଭ କରିଛି। ତଦନ୍ତ ପରେ ହିଁ CNG ଟାଙ୍କିରେ ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହେବ।

