CNG ଭରିବା ବେଳେ ଭୁଲରେ ବି କରନ୍ତୁନି ଏହି ଭୁଲ୍, ନହେଲେ ଭାରି ପଡ଼ିପାରେ ଅବହେଳା
CNG ପମ୍ପରେ ଭୟଙ୍କର ବିସ୍ଫୋରଣ ପରେ ବଢ଼ିଲା ଚିନ୍ତା, ଗ୍ୟାସ୍ ଭରିବା ବେଳେ ଭୁଲନ୍ତୁନି ଏହି ନିୟମ।
ଭୁବନେଶ୍ୱର: CNG କାର୍ ଚଲାଉଥିବା ଲୋକଙ୍କ ପାଇଁ ଗାଡ଼ିରେ ଗ୍ୟାସ୍ ଭରିବା ଏକ ନିତିଦିନିଆ କାମ। ହେଲେ ଏହି ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ ଭୟଙ୍କର ଦୁର୍ଘଟଣାର କାରଣ ପାଲଟିପାରେ।
ନିକଟରେ ଗୁଜରାଟର କରଜନ ଅଞ୍ଚଳରେ ଜାତୀୟ ରାଜପଥ-୪୮ କଡ଼ରେ ଥିବା ଏକ CNG ଷ୍ଟେସନ୍ରେ ଗ୍ୟାସ୍ ଭରିବା ବେଳେ କାର୍ରେ ବିସ୍ଫୋରଣ ଘଟିଥିଲା।
ଧମାକା ଏତେ ଜୋର୍ଦାର ଥିଲା ଯେ, କାର୍ର ଗ୍ୟାସ୍ ଟାଙ୍କି ଫାଟିଯିବା ସହ ଏହାର ଖଣ୍ଡ ଓ କାଚ ଅନେକ ମିଟର ଦୂରକୁ ଛିଟିକି ପଡ଼ିଥିଲା। ନିକଟରେ ଥିବା ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଆଶ୍ୱସ୍ତିର କଥା, ଘଟଣା ସମୟରେ କାର୍ ଭିତରେ କେହି ନଥିଲେ।
ଏହି ଘଟଣା ପରେ CNG ଭରିବା ସମୟରେ କେଉଁ ସବୁ ସୁରକ୍ଷା ନିୟମ ପାଳନ କରିବା ଜରୁରୀ, ତାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ତେଣୁ ଯଦି ଆପଣ ମଧ୍ୟ CNG କାର୍ ବ୍ୟବହାର କରୁଛନ୍ତି, ତେବେ ଗ୍ୟାସ୍ ଭରିବା ବେଳେ ଏହି ସବୁ ସାବଧାନତା ଅବଲମ୍ବନ କରିବା ଜରୁରୀ।
CNG ଭରିବା ବେଳେ କାର୍ରୁ ବାହାରକୁ ଆସନ୍ତୁ: CNG ଭରିବା ଆରମ୍ଭ ହେବା ପୂର୍ବରୁ ଡ୍ରାଇଭରଙ୍କ ସମେତ କାର୍ରେ ଥିବା ସମସ୍ତ ଯାତ୍ରୀ ବାହାରକୁ ଆସିଯିବା ଉଚିତ। ଗ୍ୟାସ୍ ଭରିବା ସମୟରେ ଗାଡ଼ିଠାରୁ ନିରାପଦ ଦୂରତାରେ ରହିବା ଆବଶ୍ୟକ।
ଫିଲିଂ ଚାଲିଥିବା ବେଳେ କାର୍ ଭିତରେ ବସି ରହିବା ଉଚିତ ନୁହେଁ। ଏହା ଦୁର୍ଘଟଣା ସମୟରେ ବିପଦର ଆଶଙ୍କାକୁ ହ୍ରାସ କରିବାରେ ସହାୟକ ହୋଇପାରେ।
ସମସ୍ତ ଇଲେକ୍ଟ୍ରିକ୍ ଉପକରଣ ବନ୍ଦ ରଖନ୍ତୁ: CNG ଭରିବା ପୂର୍ବରୁ କାର୍ର ଇଞ୍ଜିନ୍କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଏହା ସହିତ AC, ହେଡ୍ଲାଇଟ୍, ମ୍ୟୁଜିକ୍ ସିଷ୍ଟମ୍ ଓ ମୋବାଇଲ୍ ଚାର୍ଜର ଭଳି ଅନାବଶ୍ୟକ ବିଦ୍ୟୁତ୍ ଉପକରଣ ମଧ୍ୟ ବନ୍ଦ ରଖନ୍ତୁ।
ଗ୍ୟାସ୍ ଭରିବା ସମୟରେ ସୁରକ୍ଷା ନିୟମ ପାଳନ କରିବା ଜରୁରୀ। କୌଣସି ଅସ୍ୱାଭାବିକ ସ୍ପାର୍କିଂ କିମ୍ବା ତ୍ରୁଟି ଦେଖାଦେଲେ ତୁରନ୍ତ ଷ୍ଟେସନ୍ କର୍ମଚାରୀଙ୍କୁ ଜଣାନ୍ତୁ।
ଯେକୌଣସି ଷ୍ଟେସନ୍ରେ ଗ୍ୟାସ୍ ଭରନ୍ତୁ ନାହିଁ: CNG ଭରିବା ପାଇଁ ସର୍ବଦା ଭରସାଯୋଗ୍ୟ ଓ ଅନୁମୋଦିତ ଷ୍ଟେସନ୍କୁ ବାଛନ୍ତୁ। ଯେଉଁଠାରେ ସୁରକ୍ଷା ବ୍ୟବସ୍ଥା ଠିକ୍ ଥିବା ସହ ମେସିନ୍ଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ହେଉଥାଏ, ସେଠାରେ ଗ୍ୟାସ୍ ଭରିବାକୁ ପ୍ରାଥମିକତା ଦିଅନ୍ତୁ। କେବଳ କମ୍ ଭିଡ଼ କିମ୍ବା ସୁବିଧା ଦେଖି ଅଜଣା ଓ ସନ୍ଦେହଜନକ ସ୍ଥାନରୁ ଗ୍ୟାସ୍ ଭରାଇବାରୁ ଦୂରେଇ ରୁହନ୍ତୁ।
ଆଫ୍ଟରମାର୍କେଟ୍ CNG କିଟ୍ର ଯାଞ୍ଚ କରାନ୍ତୁ: ଯଦି ଆପଣଙ୍କ କାର୍ରେ ଆଫ୍ଟରମାର୍କେଟ୍ CNG କିଟ୍ ଲାଗିଛି, ତେବେ ଏହାର ଫିଟିଂ ଓ ଅନ୍ୟାନ୍ୟ ଅଂଶର ନିୟମିତ ଯାଞ୍ଚ କରାଇବା ଆବଶ୍ୟକ। ବିଶେଷକରି ପାଇପ୍ଲାଇନ୍, ରେଗୁଲେଟର ଓ କନେକ୍ସନ୍ରେ କୌଣସି ତ୍ରୁଟି ଥିଲେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଏଥିପାଇଁ ପଞ୍ଜୀକୃତ ଓ ଅନୁମୋଦିତ ୱାର୍କସପ୍ର ସହାୟତା ନିଅନ୍ତୁ।
CNG ସିଲିଣ୍ଡରର ଯାଞ୍ଚକୁ ଅଣଦେଖା କରନ୍ତୁନି: କାର୍ରେ ଲାଗିଥିବା CNG ସିଲିଣ୍ଡରର ବୟସ ଓ ଏହାର ବାଧ୍ୟତାମୂଳକ ଯାଞ୍ଚ ସମ୍ପର୍କିତ ତଥ୍ୟ ଜାଣି ରଖନ୍ତୁ। ନିର୍ଦ୍ଧାରିତ ସମୟରେ ସିଲିଣ୍ଡରର ଆବଶ୍ୟକୀୟ ପରୀକ୍ଷା କରାଇବା ଗୁରୁତ୍ୱପୂର୍ଣ୍ଣ।
ପୁରୁଣା, କ୍ଷତିଗ୍ରସ୍ତ କିମ୍ବା ଯାଞ୍ଚ ହୋଇନଥିବା ସିଲିଣ୍ଡର ବିପଦ ସୃଷ୍ଟି କରିପାରେ। ତେଣୁ ସିଲିଣ୍ଡରର ଯାଞ୍ଚ ଓ ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦିଅନ୍ତୁ।
ଗ୍ୟାସ୍ ଭରିବା ବେଳେ ଏହା ଉପରେ ଧ୍ୟାନ ଦିଅନ୍ତୁ: CNG ଫିଲିଂ ସମୟରେ ନୋଜଲ୍ କିମ୍ବା ପାଇପ୍ରୁ ଗ୍ୟାସ୍ ଲିକ୍ ହେବା, ଅସ୍ୱାଭାବିକ ଶବ୍ଦ ଆସିବା କିମ୍ବା ଅନ୍ୟ କୌଣସି ତ୍ରୁଟି ଜଣାପଡ଼ିଲେ ତୁରନ୍ତ ଷ୍ଟେସନ୍ କର୍ମଚାରୀଙ୍କୁ ଜଣାନ୍ତୁ।
ନିଜେ ଯାଞ୍ଚ କରିବାକୁ ଚେଷ୍ଟା ନକରି ଆବଶ୍ୟକ ପଡ଼ିଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। କୌଣସି ଅସ୍ୱାଭାବିକ ସ୍ଥିତିକୁ ହାଲୁକା ଭାବେ ନିଅନ୍ତୁ ନାହିଁ।
ମୋବାଇଲ୍ ବ୍ୟବହାରରୁ ଦୂରେଇ ରୁହନ୍ତୁ: ଗ୍ୟାସ୍ ଭରିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା ଭଲ। ଷ୍ଟେସନ୍ରେ ଲାଗିଥିବା ସମସ୍ତ ସୁରକ୍ଷା ସୂଚନା ଓ ନିର୍ଦ୍ଦେଶକୁ ପାଳନ କରନ୍ତୁ। ଫିଲିଂ ସମୟରେ ଏପରି କୌଣସି କାମ କରନ୍ତୁ ନାହିଁ, ଯାହା ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିପାରେ।
ନିୟମିତ କରାନ୍ତୁ CNG ସିଷ୍ଟମ୍ର ସର୍ଭିସିଂ: CNG କାର୍ର ନିୟମିତ ସର୍ଭିସିଂ କେବଳ ମାଇଲେଜ୍ ଓ ଗାଡ଼ିର ପ୍ରଦର୍ଶନ ପାଇଁ ନୁହେଁ, ବରଂ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଜରୁରୀ। ଗାଡ଼ିର ପାଇପ୍ଲାଇନ୍, ରେଗୁଲେଟର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ନିୟମିତ ଯାଞ୍ଚ କରାନ୍ତୁ। CNG ସିଷ୍ଟମ୍ରେ କୌଣସି ତ୍ରୁଟିର ସଙ୍କେତ ମିଳିଲେ ଏହାକୁ ଅଣଦେଖା ନକରି ତୁରନ୍ତ ଅନୁମୋଦିତ ୱାର୍କସପ୍ରେ ଗାଡ଼ି ଯାଞ୍ଚ କରାନ୍ତୁ।

