fbpx

ଘନୀଭୂତ ହେଉଛି ଲଘୁଚାପ, ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ଫଳରେ ଏହାରପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଦିଆଯାଇଛି । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଏବଂ ଢ଼େଙ୍କାନାଳ ପାଇଁ ଏହି ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୨୦୦ ମି.ମି.ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୫ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ସେହିଭଳି ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ସହ ଝଡ଼ପବନ ହେବାର ସମ୍ଭାବନା ବି ରହିଛି । ଘଣ୍ଟା ପ୍ରତି ୬୦ରୁ ୬୫ କି.ମି. ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ଅନ୍ୟପକ୍ଷରେ ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ।

ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି । ବନ୍ୟାକୁ ନଜରରେ ରଖି ୮ ଜିଲ୍ଲା ପାଇଁ ୬ ଯନ୍ତ୍ରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ପୁରୀ ପାଇଁ ଚିନ୍ନୟ ରଞ୍ଜନ ରାଉତଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଜଗତସିଂହପୁର ପାଇଁ ବିଜୟ କୁମାର ସାମଲ, କଟକ ପାଇଁ ବଳେଶ୍ୱର ନାଥ ସାହୁ, କେନ୍ଦ୍ରାପଡ଼ା ପାଇଁ ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ପାଇଁ ଧନେଶ୍ୱର ସାମଲ ଏବଂ ଖୋର୍ଦ୍ଧା ଓ ନୟାଗଡ଼ ପାଇଁ ବିଘ୍ନରାଜ ପୁରୋହିତଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ସେମାନେ ଜିଲ୍ଲା ଗସ୍ତ କରି ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.