ହୋର୍ମୁଜରେ ଇରାନର ନୂଆ ‘ବ୍ୟାନ୍ ଜୋନ୍’: ଆମେରିକାକୁ ଦେଲା ଧମକ, ପରିଣାମ ବହୁତ କଷ୍ଟକର ହେବ!
ଥମୁନି ଇସ୍ରାଏଲୀ-ପାଲେଷ୍ଟାଇନ ଯୁଦ୍ଧକୁ, କମୁନି ଇରାନ- ଆମେରିକା ବିବାଦ, ହୋର୍ମୁଜ୍ ନିକଟରେ ପ୍ରତିବନ୍ଧିତ ଅଞ୍ଚଳ ଘୋଷଣା କରିବାକୁ ଇରାନର ଆମେରିକାକୁ ଧମକ।
ତେହେରାନ: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଦ୍ୱାରା ପ୍ରଭାବିତ ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ହେଉଛି ହୋର୍ମୁଜ ପ୍ରଣାଳୀ। ଯୁଦ୍ଧ ପରଠାରୁ, ଇରାନ ଏବଂ ଆମେରିକା ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ପାଇଁ ନିଜସ୍ୱ ରଣନୀତି ପ୍ରସ୍ତୁତ କରିଆସୁଛନ୍ତି।
ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିବା ପରେ, ଇରାନ ଏଠାରେ ଏକ ନୂତନ ପ୍ରତିବନ୍ଧିତ ଅଞ୍ଚଳ ଘୋଷଣା କରିବାକୁ ଖୋଲାଖୋଲି ଧମକ ଦେଇଛି, ଯାହା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି।
ହୋର୍ମୁଜ ପ୍ରଣାଳୀକୁ ନେଇ ଇରାନ ଏବଂ ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଇରାନର ଶୀର୍ଷ ସୁରକ୍ଷା ଅଧିକାରୀ ମୋହସେନ ରେଜାଏଇଙ୍କ ଏକ ସମ୍ବେଦନଶୀଳ ଘୋଷଣା ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି।
ତାଙ୍କ ଅନୁସାରେ, ଆଗାମୀ ଦିନରେ ଇରାନ ହୋର୍ମୁଜ ପ୍ରଣାଳୀ ନିକଟରେ ଏକ ପ୍ରତିବନ୍ଧିତ ଅଞ୍ଚଳ ଘୋଷଣା କରିବ। ଯାହା ଆମେରିକାର ଚିନ୍ତାକୁ ବୃଦ୍ଧି କରିବ ଏବଂ ନଜର ରଖିବାର ପରିସରକୁ ଜଟିଳ କରିବ।
ଏହା ସହିତ, ଏହି ସାମୁଦ୍ରିକ ପ୍ରଣାଳୀ ପାଇଁ ଓମାନ୍ ସହ ମିଶି ଏକ ନୂଆ ଶିପିଂ ରୁଟ୍ (ସାମୁଦ୍ରିକ ଜାହାଜ ଚଳାଚଳ ମାର୍ଗ) ମଧ୍ୟ ଘୋଷଣା କରାଯିବ। ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷାକୁ ନେଇ ସଂଘର୍ଷ ବୃଦ୍ଧି ପାଉଥିବାରୁ ଇରାନ ଏହି ବଡ଼ ପଦକ୍ଷେପ ନେଇଛି।
ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର କାଲିବାଫ ଆମେରିକାକୁ ଚେତାବନୀ ଦେଇଛନ୍ତି। ଶନିବାର ଦିନ ଆମେରିକା ସେନା ତିନୋଟି ଇରାନୀ ତୈଳ ଟ୍ୟାଙ୍କରକୁ ଧ୍ୱଂସ କରିବା ପରେ, କ୍ୱାଲିବାଫ କହିଛନ୍ତି ଯେ ଯଦି ଏବେ କୌଣସି ନୂତନ ଆକ୍ରମଣ ହୁଏ, ତେବେ ପରିଣାମ ବହୁତ କଠୋର ଏବଂ କଷ୍ଟକର ହେବ।
ତେବେ ଏହା କେବଳ ଆମେରିକା ପାଇଁ କଷ୍ଟକର ତାହା ନୁହେଁ, ଏଥିପାଇଁ ସମଗ୍ର ବିଶ୍ୱର କ୍ଷତି ହେବ। ଭାରତ ସମେତ ଅନେକ ଦେଶରେ ତେଲ ଦାମ ବଢିବା ସହ ତେଲ ପାଇଁ ହାହାକାର ଦେଖାଦେବ।
ଅନ୍ୟପକ୍ଷରେ, ପାଲେଷ୍ଟାଇନୀ ଅଞ୍ଚଳରେ ହିଂସା ମଧ୍ୟ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ରବିବାର ଗାଜାରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିଲା।
ଏହା ବ୍ୟତୀତ, ଜବରଦଖଲକୃତ ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲୀ ସେଟଲର୍ସଙ୍କ ଗୁଳିଚାଳନାରେ ଜଣେ କିଶୋରଙ୍କ ଜୀବନ ଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆକ୍ରୋଶକୁ ଦ୍ୱିଗୁଣିତ କରିଦେଇଛି।
ଆମେରିକା ମଧ୍ୟସ୍ଥତାରେ ଯୁଦ୍ଧବିରତି ଚୁକ୍ତି ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ବୋମାମାଡ଼ ଜାରି ରଖିଛି। ରବିବାର ସଦ୍ୟତମ ବିମାନ ଆକ୍ରମଣରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।
ଜାରି ରହିଥିବା ଆକ୍ରମଣ ଲେବାନନର ସୀମାବର୍ତ୍ତୀ ଅଞ୍ଚଳରେ ମାନବିକ ସଙ୍କଟକୁ ଆହୁରି ତୀବ୍ର କରିଛି, ସାଧାରଣ ନାଗରିକମାନେ ଅସହ୍ୟ କଷ୍ଟ ଭୋଗୁଛନ୍ତି।

