fbpx

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର କସରତ: ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । କଂଗ୍ରେସର ଶୀର୍ଷ ନେତୃତ୍ୱ ପୁଣି ଥରେ ନିଜର ପୁରୁଣା ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଛି ବଡ଼ ଦାୟିତ୍ୱ । ନିର୍ବାଚନ ପାଇଁ ଖଡଗେଙ୍କୁ ମହାରାଷ୍ଟ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ଖଡଗେଙ୍କ ବ୍ୟତୀତ କଂଗ୍ରେସ ନିଜର ପର୍ଯ୍ୟବେକ୍ଷକମାନଙ୍କୁ ଅନ୍ୟ ରାଜ୍ୟରେ ମଧ୍ୟ ନିୟୋଜିତ କରିଛି। ଏହି କ୍ରମରେ ପୱନ କୁମାର ବନସଲ ଏବଂ ଟିଏସ ସିଂ ଦେଓଙ୍କୁ ରାଜସ୍ଥାନର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବାବେଳେ ଛତିଶଗଡର ସିଏମ ଭୁପେଶ ବଘେଲ ଏବଂ କଂଗ୍ରେସର ବରିଷ୍ଠ ନେତା ରାଜୀବ ଶୁକ୍ଲାଙ୍କୁ ହରିୟାଣାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସରେ ଅର୍ନ୍ତକନ୍ଦଳ ଦେଖାଦେଇଛି । ପରିସ୍ଥିତି ଏପରି ହୋଇଛି ଯେ ହରିୟାଣା କଂଗ୍ରେସର ଦୁଇଜଣ ବରିଷ୍ଠ ନେତା ଗଣମାଧ୍ୟମରେ ପରସ୍ପରକୁ ଆକ୍ଷେପ କରିବାକୁ ପଛାଇନାହାଁନ୍ତି । କଂଗ୍ରେସର ବରିଷ୍ଠ ନେତା ଭୁପେନ୍ଦ୍ର ହୁଡ୍ଡା ଏବଂ ବିଧାୟକ କୁଲଦୀପ ବିଷ୍ଣୋଇ କ୍ରମାଗତ ଭାବେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି ।

ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଭୁପେନ୍ଦ୍ର ହୁଡା କୁଲଦୀପ ବିଷ୍ଣୋଇଙ୍କୁ ଟାର୍ଗେଟ କରିଛନ୍ତି। ହୁଡା କହିଛନ୍ତି ଯେ ଯେଉଁମାନଙ୍କର ବିବେକ ଦଳ ସହ ନାହିଁ ସେମାନେ କଂଗ୍ରେସ ଛାଡିବା ଉଚିତ୍, ସେପଟେ ବିଷ୍ଣୋଇ ମଧ୍ୟ ନିଜକୁ ଜନ୍ମରୁ କଂଗ୍ରେସ କର୍ମୀ ବୋଲି କହିଛନ୍ତି ହୁଡ୍ଡାଙ୍କୁ ପ୍ରତିଉତ୍ତର ଦେଇଛନ୍ତି ।

Get real time updates directly on you device, subscribe now.