CJP ପରେ ଏବେ ବିକ୍ଷୋଭ କରିବ ଇଣ୍ଡିଆ ମେଣ୍ଟ, ସାମ୍ନାକୁ ଆସିଲା ତାରିଖ, ଏହି ଦିନଠୁ କରିବ ଆନ୍ଦୋଳନ

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଂଗ୍ରେସର ଆନ୍ଦୋଳନ ଡାକରା

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରୁ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା ସୋମବାର ଦିଲ୍ଲୀରେ ଏକ ବିଶାଳ ବିକ୍ଷୋଭ ପଦଯାତ୍ରା କରାଯିବ ଏବଂ ଏଥିରେ ସାମିଲ ହେବା ପାଇଁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ଦଳ ଏବଂ ଦେଶର ସମସ୍ତ ସଚେତନ ନାଗରିକଙ୍କୁ କଂଗ୍ରେସ ପକ୍ଷରୁ ଆହ୍ୱାନ କରାଯାଇଛି।

କଂଗ୍ରେସ ନେତା କେ.ସି. ଭେନୁଗୋପାଳ ଏକ ପ୍ରେସ୍ ସମ୍ମିଳନୀରେ କହିଛନ୍ତି ଯେ, “ଭାରତର ଗଣତନ୍ତ୍ରକୁ ରକ୍ଷା କରିବାକୁ ଚାହୁଁଥିବା ପ୍ରତ୍ୟେକ ଭାରତୀୟ ସୋମବାର ଦିଲ୍ଲୀରେ ହେବାକୁଥିବା ଏହି ବିଶାଳ ବିକ୍ଷୋଭରେ ଆମ ସହ ସାମିଲ ହୁଅନ୍ତୁ।” ସରକାରଙ୍କ ଦ୍ୱାରା ହେଉଥିବା ‘ଭୋଟ୍ ଚୋରି’ ବିରୁଦ୍ଧରେ ଏହି ପ୍ରତିବାଦ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

‘ଜ୍ଞାନେଶଙ୍କୁ ଯିବାକୁ ହିଁ ପଡ଼ିବ’: ଭେନୁଗୋପାଳ ଆହୁରି ମଧ୍ୟ କହିଛନ୍ତି ଯେ, “ଜ୍ଞାନେଶ କୁମାରଙ୍କୁ ଯିବାକୁ ପଡ଼ିବ। ଆମେ ଏହି ଦାବିରୁ କୌଣସି ପରିସ୍ଥିତିରେ ପଛକୁ ହଟିବୁ ନାହିଁ।” ‘ଇଣ୍ଡିଆ’ ମେଣ୍ଟର ସାଂସଦ, ନେତା, କର୍ମୀ ଏବଂ ଜନସାଧାରଣ ଏହି ବିରୋଧ ମାର୍ଚ୍ଚରେ ସାମିଲ ହେବେ। ଏହାଛଡ଼ା ଦଳର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳ ଏହି ସଙ୍କଟ ସମ୍ପର୍କରେ ହସ୍ତକ୍ଷେପ କରିବା ପାଇଁ ଭାରତର ପ୍ରଧାନ ବିଚାରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ।

ମମତା ବାନାର୍ଜୀଙ୍କ କଡ଼ା ପ୍ରତିକ୍ରିୟା: ଶନିବାର ଦିଲ୍ଲୀରେ ଜନ୍ତରମନ୍ତରଠାରେ CJP ର ପ୍ରଦର୍ଶନରେ ଯୋଗଦେବାକୁ ଯାଉଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିଲା। ନିଜର ଅଟକକୁ ‘ଅପହରଣ’ ସଦୃଶ ବୋଲି ବର୍ଣ୍ଣନା କରି ମମତା କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ କୌଣସି ଅପରାଧୀ ନୋହୁଁ, କିନ୍ତୁ ଆମକୁ ଅପରାଧୀଙ୍କ ଭଳି ଉଠାଇ ନିଆଗଲା।”

ସୋମବାର ହେବାକୁଥିବା ଏହି ବିକ୍ଷୋଭ ପଦଯାତ୍ରାରେ ମମତା ବାନାର୍ଜୀ ମଧ୍ୟ ସାମିଲ ହେବା ସମ୍ଭାବନା ରହିଛି, ଯାହା ଦ୍ୱାରା ଦିଲ୍ଲୀର ରାଜନୈତିକ ପାଣିପାଗ ଆହୁରି ସରଗରମ ହେବାରେ ଲାଗିଛି।