fbpx

ହାଇଦରର ଚାମଚା ଥିଲେ କନେଷ୍ଟବଲ ଏବଂ ଜେଲ୍ ୱାର୍ଡର, ଗାର୍ଲଫ୍ରେଣ୍ଡଙ୍କୁ ରାତିରେ ରହିବାକୁ ଦେଉଥିଲେ ଅନୁମତି

କଟକ, ୨୧ ।୪ (ଓଡିଶା ଭାସ୍କର) : ହାଇଦର୍ ଫେରାର୍ ଘଟଣାରେ ଗତକାଲି ସମ୍ବଲପୁର ଜେଲ୍ ୱାର୍ଡର ଏବଂ କନେଷ୍ଟବଲ ମହମ୍ମଦ ମୌସିମଙ୍କୁ ଗିରଫ କରିଥିଲା ମଙ୍ଗଳାବାଗ ପୋଲିସ୍ । କାରଣ ସେମାନେ ହାଇଦର୍ କଥାରେ କାମ କରୁଥିଲେ । ଆଉ ତାକୁ ଫେରାର୍ ହେବାରେ ସବୁ ପ୍ରକାରର ସାହାଯ୍ୟ କରିଥିଲେ । କହିବାକୁ ଗଲେ ହାଇଦର୍ ଏମାନଙ୍କୁ ନିଜର ଚାମଚା ଭାବରେ ରଖିଥିଲା । ସମ୍ବଲପୁର ଜେଲ ୱାର୍ଡର ଶିବନାରାୟଣର ଫୋନ୍ ସବୁବେଳେ ହାଇଦର୍ ପାଖରେ ରହୁଥିଲା । ହାଇଦର୍ ସେଥିରୁ ତାର ସହଯୋଗୀ ମାନଙ୍କୁ ଫୋନ୍ କରି କଥାବାର୍ତ୍ତା କରୁଥିଲା ଏବଂ ଫେରାର ହେବାର ପ୍ଲାନିଂ କରୁ୍ଥିଲା । ଶିବନାରାୟଣର ଫୋନ୍ ଫେରାର୍ ଦିନ ମଧ୍ୟ ତା ଫୋନ୍ କୁ ହାଇଦର୍ କୁ ଦେଇଥିଲା । ଖାଲି ସେ ନୁହେଁ ଏସସିବିରେ ସର୍ଜରୀ କ୍ୟାବିନ୍ ସାମ୍ନାରେ ଡ୍ୟୁଟି କରୁଥିବା କନେଷ୍ଟବଲ୍ ମହମ୍ମଦ ମୌସିମ୍ ମଧ୍ୟ ହସ୍ପିଟାଲରେ ହାଇଦର୍ କୁ ସବୁପ୍ରକାରର ସୁବିଧା ସୁଯୋଗ ଦେଉଥିଲା । ଏମିତିକି ରାତିରେ ଯୁବତୀଙ୍କୁ ହାଇଦର୍ କ୍ୟାବିନ୍ ରେ ରହିବାକୁ ମଧ୍ୟ ଅନୁମତି ଦେଉଥିଲା ।


ଗ୍ୟାଙ୍ଗଷ୍ଟାର୍ ହାଇଦର୍ ଶିବନାରାୟଣ ଏବଂ ମୌସିମ୍ କୁ ଏକ ପ୍ରକାରର ପଇସା ଦେଇ ନିଜର ଚାମଚା କରିଦେଇଥିଲା । ହସ୍ପିଟାଲରେ ଯେ କେହି ବି ହାଇଦର୍ କୁ ଭେଟିବାକୁ ଆସୁଥିଲେ ସେମାନଙ୍କ ଉପରେ ପ୍ରତିବନ୍ଧକ ନ ଲଗାଇ ଅନାୟାସରେ ଯିବାକୁ ଦେଉଥିଲା ମୌସିମ୍ । ହାଇଦର୍ ପାଇଁ ଯାହା ଖାଇବାକୁ ଆସୁଥିଲା ତାକୁ ମଧ୍ୟ ମୌସିମ୍ ଖାଉଥିବା ଜଣାପଡିଛି । ତେଣୁ ଏହି ଦୁଇ ଜଣଙ୍କୁ ମଙ୍ଗଳାବାଗ ପୋଲିସ୍ କଏଦୀ ପ୍ରତି ଅନୁକମ୍ପା ଦେଖାଇବା ଓ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ଗିରଫ କରିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇସାରିଲେଣି । ପୋଲିସ୍ ର କହିବା କଥା ଯେ, ସମ୍ବଲପୁର ଜେଲ୍ ରେ ଥିବା ବେଳେ ଶିବନାରାୟଣ ସହ ହାଇଦରର ପରିଚୟ ହୋଇଥିଲା । ହାଇଦର୍ ତାକୁ ନାନା ପ୍ରକାରରେ ଉପକୃତ କରି ନିଜ ପଟକୁ କରିଦେଇଥିଲା । ଖାସ୍ କରି ଫୋନ୍ କରିବା ପାଇଁ ଶିବନାରାୟଣ ହାଇଦର୍ କୁ ସାହାଯ୍ୟ କରେ । ହସ୍ପିଟାଲ ଆସିବା ସମୟରେ ମଧ୍ୟ ତାକୁ ଫୋନ୍ ଦେଉଥିଲା । ହାଇଦର୍ ଏସ୍ସିବିରୁ ଫେରାର୍ ହେବା ଯୋଜନା ଜେଲ୍ରେ ପ୍ରସ୍ତୁତ ହେବା ପରେ ସେ ତାର ପୁଅ, ଜ୍ୱାଇଁ ଓ କିଛି ସହଯୋଗୀଙ୍କୁ ଏହି ଜେଲ୍ ଗାର୍ଡ ଶିବନାରାୟଣର ଫୋନ୍ରେ ଅବଗତ କରିଥିଲା। ଗତ ୨୩ ତାରିଖ ହାଇଦର୍ ସମ୍ବଲପୁରରୁ କଟକ ଏସ୍ସିବି ଆସିବାବେଳେ ଭ୍ୟାନ୍ ଭିତରେ ଶିବନାରାୟଣର ଫୋନ୍ରେ ହାଇଦର ଲଗାତାର ଭାବେ କଥା ହୋଇ ଆସୁଥିଲା । ଏସ୍ସିବିରେ ପହଞ୍ଚିବା ପରେ ଜେଲ୍ ଗାର୍ଡ ଶିବନାରାୟଣର ଡ୍ୟୁଟି କ୍ୟାବିନ୍ ଆଗରେ ସକାଳ ସମୟରେ ପଡ଼େ । ଏହି ସମୟରେ ଶିବନାରାୟଣ ତାର ଫୋନ୍କୁ ଏକରକମ ହାଇଦର୍କୁ ଧରାଇଦିଏ । ଏହି ସମୟରେ ହାଇଦର୍ କ୍ୟାବିନ୍ ଭିତରେ ରହି ତାର ଫେରାର୍ ବିଷୟ ପୁଅ, କ୍ୱାଇଁ ଓ ସହଯୋଗୀଙ୍କ ସହିତ ଆଲୋଚନା କରୁଥିଲା । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଯେଉଁ କର୍ମଚାରୀ ମାନେ ସମ୍ବଲପୁର ଜେଲ୍ ରୁ ହାଇଦର୍ ସହ ଆସିଥିଲେ ତାଙ୍କର ରହିବା ବ୍ୟବସ୍ଥା ଏକ ହୋଟେଲରେ କରିଥିଲା ଶିବନାରାୟଣ । ଆଉ ତାହା ପୁଣି ହାଇଦର୍ ପଇସାରେ କରିଥିବା ତଦନ୍ତ ବେଳେ ସ୍ପଷ୍ଟ ହୋଇଛି ।

ଅପରପକ୍ଷରେ, ହାଇଦର୍ କୁ ଜଗିବା ଦାୟିତ୍ୱରେ ଥିବା ମହମ୍ମନ ମୌସିମ୍ ଯୋଗ ଦେବା ପରଠାରୁ ତାକୁ ମଧ୍ୟ ଟଙ୍କା ପ୍ରଲୋଭନ ଦେଖାଥିଲା ଏବଂ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁଥିରେ ସାହାଯ୍ୟ କରୁଥିଲା ହାଇଦର୍ । ତେବେ ହାଇଦର୍ ଯେଉଁ କ୍ୟାବିନ୍ ରେ ଥିଲା ତାର ଗୋଟିଏ ଦିନ ପରେ ମୌସିମ୍ କୁ ଜଗିବା କାର୍ଯ୍ୟ ଦିଆଯାଇଥିଲା । ଏହି ସମୟରେ ପ୍ରଥମେ ହାଇଦର୍ ର ପୁଅ ଭେଟିବାକୁ ଆସିଥିଲା । ବାପାଙ୍କୁ ଦେଖା କରିବ ବୋଲି କହିବାରୁ ତାକୁ ଛାଡିଦେଇଥିଲା । ଆଉ ୟା ପରଠାରୁ ପୁଅ ସହ ଯେତେ ସହଯୋଗୀ ଆସୁଥିଲେ ସମସ୍ତଙ୍କୁ ବିନା କଟକଣାରେ କ୍ୟାବିନ୍ କୁ ଯିବାକୁ ଅନୁମତି ଦେଉଥିଲା ମୌସିମ୍ । ଖାଲି ସେତିକି ନୁହେଁ ହାଇଦର୍ ସମ୍ପର୍କରେ ଥିବା ଯୁବତୀ ମାନଙ୍କୁ ମଧ୍ୟ ରାତିରେ ତା କ୍ୟାବିନ୍ ରେ ରହିବାକୁ ଅନୁମତି ଦେଉଥିଲା । ଏସବୁ ପାଇଁ ହାଇଦରର ପୁଅ ଠାରୁ ମୌସିମ୍ କିଛି ଟଙ୍କା ନେଇଥିବା ମଧ୍ୟ ଜଣାପଡିଛି । ଏହିଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଉଭୟ ଜେଲ୍ ୱାଡର୍ର ଏବଂ କନେଷ୍ଟବଲ୍ କୁ ଗିରଫ କରାଯାଇଛି । ବର୍ତ୍ତମାନ କେଉଁ କାରଣରୁ ମୌସିମ୍ କ୍ୟାବିନ୍ ବାହାରେ ଅଚେତ୍ ହୋଇପଡିଥିଲା ତାର ତଦନ୍ତ ଚାଲିଛି ।

Get real time updates directly on you device, subscribe now.