ବାଂଲାଦେଶରେ ହିନ୍ଦୁଙ୍କୁ ଖୋଲା ଧମକ: ‘ଆମ ଲୋକ ହିଁ ତୁମକୁ ମାରିବାକୁ ଯଥେଷ୍ଟ’; ଭାଇରାଲ୍ ହେଲା ଅଲ୍-କାଏଦା ନେତାଙ୍କ ଭାଷଣ
ବାଂଲାଦେଶରେ ହିନ୍ଦୁଙ୍କୁ ଖୋଲା ଧମକ: ‘ଆମ ଲୋକ ହିଁ ତୁମକୁ ମାରିବାକୁ ଯଥେଷ୍ଟ’
ଓଡ଼ିଶା ଭାସ୍କର ଡେସ୍କ: ବାଂଲାଦେଶରେ ଶେଖ୍ ହସିନା କ୍ଷମତାଚ୍ୟୁତ ହେବା ପରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ସେଠାରେ ହିନ୍ଦୁ ବିରୋଧୀ ଶକ୍ତିଗୁଡ଼ିକ ଦିନକୁ ଦିନ ଅଧିକ ସକ୍ରିୟ ହେଉଥିବା ଘଟଣା ସାମ୍ନାକୁ ଆସିଛି।
ଏହି ସମୟରେ ପୁଣି ଥରେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଖୋଲାଖୋଲି ଧମକ ଦିଆଯିବାର ଏକ ସାଂଘାତିକ ମାମଲା ଚର୍ଚ୍ଚାକୁ ଆସିଛି, ଯାହାକି ଅଲ୍-କାଏଦା ସହ ଜଡ଼ିତ ଜଣେ କଟ୍ଟରପନ୍ଥୀ ନେତା ଦ୍ୱାରା ଦିଆଯାଇଛି।
ବାଂଲାଦେଶର ଚଟ୍ଟଗ୍ରାମରେ ଆୟୋଜିତ ଏକ ରାଲିରେ ଅଲ୍-କାଏଦା ସହ ସମ୍ପୃକ୍ତ ଥିବା କୁହାଯାଉଥିବା ନେତା ହାରୁନ୍ ଇଜହାର୍ ହିନ୍ଦୁମାନଙ୍କୁ ଏହି ଖୋଲା ଧମକ ଦେଇଛି। ଏହି ଭାଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
‘ଦାୱା ମୁଭମେଣ୍ଟ’ କାର୍ଯ୍ୟକ୍ରମରେ ଖୋଲା ଧମକ: ‘ଦାୱା ମୁଭମେଣ୍ଟ’ ନାମକ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ହାରୁନ୍ ଇଜହାର୍ କହିଛି ଯେ, ହିନ୍ଦୁମାନଙ୍କୁ ସହଜରେ ହତ୍ୟା କରାଯାଇପାରିବ। ସେ ଏହା ମଧ୍ୟ କହିଛି ଯେ ତାକୁ ନିଜେ କିଛି କରିବାକୁ ପଡ଼ିବ ନାହିଁ, କାରଣ ତାର ସମର୍ଥକମାନେ ହିଁ ଏହା କରିବା ପାଇଁ ଯଥେଷ୍ଟ।
ଇଜହାରର ଏହି ବିବାଦୀୟ ମନ୍ତବ୍ୟ ପରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି।
କିଛି ଦିନ ପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ରିପୋର୍ଟରେ ମଧ୍ୟ ବାଂଲାଦେଶରେ ଅଲ୍-କାଏଦାର ବଢ଼ୁଥିବା ପ୍ରଭାବ ଏବଂ କଟ୍ଟରପନ୍ଥୀଙ୍କ ବିସ୍ତାରକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଥିଲା।
ବାଂଲାଦେଶରେ କାୟା ବିସ୍ତାର କରୁଛି ଅଲ୍-କାଏଦା: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ ଚେତାବନୀ ଦେଇ କହିଥିଲା ଯେ, ଭାରତୀୟ ଉପମହାଦେଶରେ ଅଲ୍-କାଏଦା (AQIS) ବାଂଲାଦେଶକୁ ନିଜର ମୁଖ୍ୟ ଆଡ୍ଡା କରି ଆତଙ୍କବାଦୀ ସେଲ୍ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଛି।
ଜାତିସଂଘର ବିଶ୍ଳେଷଣାତ୍ମକ ସହାୟତା ଏବଂ ପ୍ରତିବନ୍ଧକ ତଦାରଖକାରୀ ଦଳର ୩୮ତମ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଇସଲାମିକ୍ ଷ୍ଟେଟ୍ ଏବଂ ଅଲ୍-କାଏଦା ସମ୍ପର୍କିତ ଜାତିସଂଘ କମିଟି ନିକଟରେ ଦାଖଲ କରାଯାଇଛି।
ଲୋକତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏକ ଜନଆନ୍ଦୋଳନ ପରେ ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ, ଯେଉଁଥିରେ କଟ୍ଟରପନ୍ଥୀ ଇସଲାମିକ୍ ଶକ୍ତିଗୁଡ଼ିକର ମୁଖ୍ୟ ଭୂମିକା ଥିଲା।
ଏହି ଘଟଣା ପରଠାରୁ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ସେଠାରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିବା ପାଇଁ ଅନୁକୂଳ ପରିବେଶ ମିଳିଯାଇଥିବା ଆଶଙ୍କା କରାଯାଉଛି।


