ଭିଜିଲାନ୍ସ ଡରରେ ପୋଖରୀରେ ଡେଇଁଲେ ପୋଲିସ ବାବୁ
୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ, ଥାନା ବିଶ୍ରାମ କକ୍ଷରୁ ମିଳିଲା ୧.୫୫ ଲକ୍ଷ ଟଙ୍କା
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ସବ୍-ଇନ୍ସପେକ୍ଟର (SI) ସୁଜିତ କୁମାର ମହାନ୍ତ ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗକାରୀଙ୍କ ନାଁରେ ଥାନାରେ ରୁଜୁ ହୋଇଥିବା ଏକ ମିସ୍ଲେନିୟସ୍ ମାମଲାର ତଦନ୍ତ ଶେଷ କରିବା ସହ ମାମଲାର ସମାଧାନ କରିବା ପାଇଁ SI ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାର ତଦନ୍ତ ଦାୟିତ୍ୱ ମଧ୍ୟ ତାଙ୍କ ପାଖରେ ଥିଲା।
ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଏସ୍ଆଇ ଜଣକ ଅଭିଯୋଗକାରୀଙ୍କୁ ଥାନା ବାହାରେ ଥିବା ଏକ ନିର୍ଜନ ସ୍ଥାନକୁ ଡାକିଥିଲେ। ସେଠାରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ପରେ ଭିଜିଲାନ୍ସ ଟିମ୍କୁ ଦେଖି ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍ ପିଛା କରିଥିଲା।
ଭିଜିଲାନ୍ସ ଟିମ୍ ପିଛା କରୁଥିବା ଦେଖି ଏସ୍ଆଇ ଜଣକ ଖସିଯିବା ପାଇଁ ନିକଟରେ ଥିବା ଏକ ପୋଖରୀକୁ ଡେଇଁ ପଡ଼ିଥିଲେ। ହେଲେ ଭିଜିଲାନ୍ସ ଟିମ୍ର ଜଣେ ସଦସ୍ୟ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ତାଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ କାବୁ କରିଥିଲେ। ତାଙ୍କଠାରୁ ଲାଞ୍ଚ ବାବଦର ସମ୍ପୂର୍ଣ୍ଣ ୧୦ ହଜାର ଟଙ୍କା ଜବତ କରାଯାଇଛି।
ଏହି ଚଢ଼ାଉ ପରେ ଆୟଠାରୁ ଅଧିକ ସମ୍ପତ୍ତି ଥିବା ସନ୍ଦେହରେ ଏସ୍ଆଇଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ତଲାସି ଚାଲିଛି। ଏହି ସମୟରେ ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ଆଉ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ମିଳିଛି। ସେ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ଏସ୍ଆଇ ଭାବେ ପୋଲିସ ସେବାରେ ଯୋଗ ଦେଇଥିଲେ।
ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ (ସଂଶୋଧିତ)ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।


