fbpx

ଲୋକଙ୍କ ଦୁଇ ବର୍ଷ ଆୟୁଷ କମାଇଲା କରୋନା ମହାମାରୀ, ବର୍ତ୍ତିଗଲେ କେବଳ ୨ଟି ଦେଶ

ନୂଆଦିଲ୍ଲୀ: ସଂପ୍ରତି ଦୁନିଆ ମହାମାରୀର ପ୍ରାଦୁର୍ଭାବରୁ ଧିରେ ଧିରେ ମୁକୁଳିବାରେ ଲାଗିଛି। କିନ୍ତୁ ଏହାର କିଛି ପ୍ରଭାବ ଲୋକଙ୍କ ଉପରେ ଦୀର୍ଘ ସମୟ ଧରି ଅନୁଭୂତ ହେବ। ମିଳିତ ଜାତିସଂଘ ଜନସଂଖ୍ୟା କୋଷ(ୟୁଏନଏଫପିଏ)ର ଏକ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ କାରଣରୁ ୨୦୨୦-୨୧ରେ ଦୁନିଆରେ ଲୋକଙ୍କ ବୟସ ଏକ ବର୍ଷ ସାତ ମାସ ହ୍ରାସ ପାଇଛି। ଗରିବ ଏବଂ ବିକାଶଶୀଳ ଦେଶଗୁଡିକରେ ଏହି ଅବଧି ଆହୁରି ଅଧିକ ରହିଛି।

ଦୁନିଆରେ କରୋନାରେ ୧.୪୯ କୋଟି ଲୋକଙ୍କ ମୃତ୍ୟୁ
ନିକଟରେ ଜାରି ରିପୋର୍ଟ ଅନୁସାରେ ୨୦୨୦ ଜାନୁଆରୀରୁ ୨୦୨୧ ଡିସେମ୍ବର ମଧ୍ୟରେ କରୋନା ମହାମାରୀ ଯୋଗୁଁ ସମଗ୍ର ଦୁନିଆରେ ଏକ କୋଟି ୪୯ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଛି। ଏହା ସ୍ଵାଭାବିକ ମୃତ୍ୟୁ ତୁଳନାରେ ତିନି ଗୁଣ ଅଧିକ ରହିଛି। କେବଳ ଏତିକି ନୁହେଁ ମହାମାରୀ ପ୍ରଭାବରେ ୨୦୨୦-୨୧ର ଦୁଇ ବର୍ଷରେ ଲୋକଙ୍କହାରାହାରି ଆୟୁଷ ୧.୭ ବର୍ଷ ହ୍ରାସ ପାଇଛି।

ଗରିବ ଏବଂ ବିକାଶଶୀଳ ଦେଶରେ ଅଧିକ ପ୍ରଭାବ
ରିପୋର୍ଟ ଅନୁସାରେ, ସମଗ୍ର ଦୁନିଆରେ ୨୦୨୦-୨୧ରେ ମଣିଷର ହାରହାରି ଆୟୁଷ ହ୍ରାସ ପାଇ ୭୧ ରହିଛି। କିନ୍ତୁ ୨୦୧୯ରେ ଏହା ୭୨ ବର୍ଷ ସାତ ମାସ ରହିଥିଲା। ମାତ୍ର ମହାମାରୀର ପ୍ରଭାବ ଗରିବ ଏବଂ ବିକାଶଶୀଳ ଦେଶ ଉପରେ ଅଧିକ ପଡିଛି। ରିପୋର୍ଟରେ କୁହାଯାଇଛି ଯେ ଉପରୋକ୍ତ ଅବଧି ସମୟରେ ୨୦୧୯ରେ ଦକ୍ଷିଣ ଆଫ୍ରିକା ଦେଶମାନଙ୍କରେ ଲୋକଙ୍କ ହାରାହାରି ଆୟୁ ୬୫ ବର୍ଷ ପାଞ୍ଚ ମାସ ଆକଳନ କରାଯାଇଥିଲା। ମାତ୍ର କରୋନା କାଳରେ ୨୦୨୧ରେ ଏହା ୬୧ ବର୍ଷ ଆଠ ମାସକୁ କମି ଆସିଛି। ଏହି ପରି ଗରିବ ଏବଂ ବିକାଶୀଳ ଦେଶରେ ଲୋକଙ୍କ ହାରାହାରି ଆୟୁଷ ୩ ବର୍ଷ ସାତ ମାସ କମିଥିବା ଆକଳନ କରାଯାଇଛି।

ମଧ୍ୟ ଏବଂ ଦକ୍ଷିଣ ଏସିଆରେ କମିଲା ୨.୩ ବର୍ଷ ବୟସ
ଏସୀୟ ଦେଶମାନଙ୍କରେ ବିଶେଷ କରି ମଧ୍ୟ ଏବଂ ଦକ୍ଷିଣ ଏସିଆରେ ଲୋକଙ୍କ ହାରାହାରି ବୟସ ୨ ବର୍ଷ ତିନି ମାସ ହ୍ରାସ ଘଟିଛି। ଅପରପକ୍ଷେ ଲାଟିନ ଆମେରିକୀୟ ଏବଂ କ୍ୟାରବିୟାନ ଦେଶମାନଙ୍କରେ ଏହା ଅପେକ୍ଷାକୃତ ଏକ ବର୍ଷ ପାଞ୍ଚ ମାସ ରହିଛି। ସବୁଠୁ ଖରାପ ସ୍ଥିତି ବୋତ୍ସୋଭାନା, ଲେବାନନ, ସୋଭିଏତ ସଂଘ, ମେକ୍ସିକୋ, ବୋଲିଭିୟା ରହିଛି, ଯେଉଁଠି ଲୋକଙ୍କ ହାରାହାରି ବୟସ ଚାରି ବର୍ଷ ପର୍ଯ୍ୟନ୍ତ ଖସି ଆସିଛି।

ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ବଢିଲା ଲୋକଙ୍କ ବୟସ
ଆଶ୍ଚର୍ଯ୍ୟର କଥା କରୋନା ମହାମାରୀରେ ଯେଉଁଠି ଅନ୍ୟ ଦେଶମାନଙ୍କରେ ଜନତାଙ୍କ ଆୟୁ ହ୍ରାସ ପାଇଛି ସେଠି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ପରି ଦେଶଗୁଡିକରେ ମୃତ୍ୟୁହାର କମିଛି। ଏଠାରେ ଲୋକଙ୍କ ହାରାହାରି ବୟସ ଏକ ବର୍ଷ ଦୁଇ ମାସ ବୃଦ୍ଧି ଘଟିଥିବା ଆକଳନ କରାଯାଇଛି।

Get real time updates directly on you device, subscribe now.