fbpx

ଏହି ୫ଟି ଦେଶକୁ ଆଜି ବି ଛୁଇଁ ପାରୁନି କରୋନା: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: କରୋନା ପାଇଁ ଆଜି ସମଗ୍ର ବିଶ୍ୱର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ତେବେ ଉତ୍ତମ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ସତ୍ତ୍ୱେ ମଧ୍ୟ ଅନେକ ବିତ୍ତଶାଳୀ ରାଷ୍ଟ୍ର ଏହି ମହାମାରୀରେ ଆଣ୍ଠେଇ ପଡ଼ିଛନ୍ତି । ଆମେରିକା, ଇଂଲଣ୍ଡ, ଇଟାଲି, ବ୍ରାଜିଲ, ଭାରତ ପରି ରାଷ୍ଟ୍ର କରୋନାରେ ପ୍ରବଳ କ୍ଷତିଗ୍ରସ୍ତ ହୋଇଛନ୍ତି । ଅପରପକ୍ଷେ ବିଶ୍ୱରେ ଏପରି କିଛି ରାଷ୍ଟ୍ର ଅଛନ୍ତି, ଯେଉଁ ଦେଶକୁ କରୋନା ଆଜି ବି ଛୁଇଁ ପାରିନି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଉତ୍ତର କୋରିଆ: ୨୦୨୦ ମସିହା ଜୁଲାଇ ୨୬ରେ ଏଠାରେ ପ୍ରଥମ ମାମଲା ଆସିଥିଲା, ମାତ୍ର ସଂକ୍ରମିତଙ୍କ ଶରୀରରୁ କରୋନା ଭୂତାଣୁ ଠାବ ହୋଇ ନଥିବା ଉତ୍ତର କୋରିଆ ସରକାର ସ୍ପଷ୍ଟ କରିଥିଲେ । ଚୀନରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଉତ୍ତର କୋରିଆ ୨୦୨୦ ମସିହା ଜାନୁଆରୀ ମାସରେ ନିଜର ସମସ୍ତ ସୀମା ସିଲ୍ କରିଦେଇଥିଲା । ଅଦ୍ୟାବଧି ଏଠାରୁ ଗୋଟିଏ ହେଲେ କରୋନା ସଂକ୍ରମିତ ବାହାରିନାହି ।

କିରିବାଟି: ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ କିରିବାଟିରେ ଦେଢ଼ବର୍ଷ ମଧ୍ୟରେ ଗୋଟିଏ ସଂକ୍ରମିତ ଚିହ୍ନଟ ହୋଇନାହିଁ । ଏଠାରେ ସଂକ୍ରମଣ ଆରମ୍ଭରୁ ଲକଡାଉନ ଜାରି ହେବା ସହ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି । ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ତୁର୍କମେନିସ୍ତାନ: ପଡ଼ୋଶୀ ଦେଶରେ କରୋନା ସଂକ୍ରମଣ ଜାରି ରହିଥିଲେ ମଧ୍ୟ ତୁର୍କମେନିସ୍ତାନରେ ପଶିପାରିନି କରୋନା । ଅନ୍ୟ ଦେଶରେ ସଂକ୍ରମଣ ଆରମ୍ଭ ହେବା ସମୟରେ ଏହି ଦେଶ ନିଜର ସମସ୍ତ ସୀମାକୁ ସିଲ୍ କରିଦେଇଥିଲା । ଆଜି ଯାଏ ଏଠାରୁ ଗୋଟିଏ ହେଲେ ସଂକ୍ରମିତ ଚିହ୍ନଟ ହୋଇନଥିବା ସରକାର ଦାବି କରୁଥିବା ବେଳେ ଅନେକ ଦେଶ ଏହାକୁ ଗ୍ରହଣ କରିବାକୁ ନାରାଜ ।

ପାଲାଉ: ଗତ ଦେଢ଼ ବର୍ଷ ମଧ୍ୟରେ ଏହି ଦେଶରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ପରେ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହା ପରେ ବର୍ଷକ ମଧ୍ୟରେ ଗୋଟିଏ ହେଲେ ମାମଲା ସାମନାକୁ ଆସିନାହିଁ । ଏହି ଦେଶ କରୋନା ବିପକ୍ଷରେ ଅତ୍ୟନ୍ତ ସତର୍କତାର ସହ ଲଢ଼େଇ କରୁଥିବା ଦେଖାଯାଇଛି ।

ଟୋଙ୍ଗା: ଏହି ଦେଶ ବର୍ତ୍ତମାନ କରୋନା ମୁକ୍ତ ଥିବା ଏଠାକାର ସରକାର ଦାବି କରିଛନ୍ତି । ଗତବର୍ଷ ମାର୍ଚ୍ଚ ୨୯ରେ ଦେଶକୁ ଲକଡାଉନ ଘୋଷଣା କରାଯାଇଥିଲା । ଏହି ଦେଶର ସରକାର ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଦେଶରେ ବିଭିନ୍ନ ପ୍ରକାର କୋଭିଡ ନିୟମ ପ୍ରଣୟନ କରିଛନ୍ତି।

Get real time updates directly on you device, subscribe now.