fbpx

ଓଡ଼ିଶା ସମେତ ୭ ରାଜ୍ୟକୁ ସତର୍କ କଲା କେନ୍ଦ୍ର: ବୃଦ୍ଧି ପାଉଛି କରୋନା ସଂକ୍ରମଣ, ଟେଷ୍ଟିଂ ଓ ଟ୍ରାକିଂ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ

ନୂଆଦିଲ୍ଲୀ : ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାକୁ ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ଏନେଇ ସତର୍କତା ଅବଲମ୍ବନ କରିବାକୁ ଓଡ଼ିଶା ସମେତ ୭ ରାଜ୍ୟକୁ ଚିଠି ଲେଖିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓଡ଼ିଶା, ଦିଲ୍ଲୀ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ତେଲେଙ୍ଗାନା ସରକାରଙ୍କୁ ଚିଠି ଲେଖି କୋଭିଡ କଟକଣା ଯେପରି ଜନସାଧାରଣ ପାଳନ କରନ୍ତି ସେନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ଭୂଷଣ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବିଭିନ୍ନ ଜନଗହଳିୂର୍ଣ୍ଣ ସ୍ଥାନରେ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର ସମ୍ଭାବନା ରହିଛି । ଏହି ସମୟରେ ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ଦେଖାଦେଇପାରେ । ଏଣୁ ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାରେ ଟେଷ୍ଟିଂ ବ୍ୟବସ୍ଥାକୁ ପର୍ଯ୍ୟାପ୍ତ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସେ ଉଭୟ ଆର୍‌ଟିିସିଆର୍‌ ଓ ଆଣ୍ଟିଜେନ୍‌ ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଯେଉଁସବୁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେସବୁ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ କହିଛନ୍ତି । ସଂକ୍ରମଣ ଯେପରି ଅଧିକ ନ ବ୍ୟାପେ ସେଥିନେଇ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଦୈନିକ ସଂକ୍ରମଣ ହାରାହାରି ୮୧୧ ରହୁଛି । ବିଗତ ମାସ ହେବ ଏଭଳି ସ୍ଥିତି ଜାରି ରହିଛି । ତେଣୁ ସରକାର ସଂକ୍ରମଣ ରୋକିବା ପାଇଁ ସର୍ଭେଲାନ୍ସର ବ୍ୟବସ୍ଥା କରିବାକୁ କହିଛନ୍ତି । ବର୍ତ୍ତମାନ ଲକ୍ଷଣରେ ଅନେକ ପରିବର୍ତ୍ତନ ହେଉଥିବାରୁ ଇନ୍‌ଫ୍ଲୁଏନ୍‌ଜା ଭଳି ରୋଗଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ ।

ଜିଲ୍ଲାୱାରୀ ରୋଗୀଙ୍କୁ ଚିହ୍ନଟ କରାଯାଇ ଗାଇଡ୍‌ଲାଇନ୍‌ ଅନୁଯାୟୀ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପଡ଼ିବ । ଦରକାର ପଡ଼ିଲେ ଜିଲ୍ଳା ପ୍ରଶାସନ କିମ୍ବା ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି । ଗହଳି ପୂର୍ଣ୍ଣ ମାର୍କେଟ, ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ, ସ୍କୁଲ୍‌ କଲେଜ ଓ ରେଳ ଷ୍ଟେସନ ଭଳି ଜନଗହଳିୂର୍ଣ୍ଣ ଅଞ୍ଚଳରେ କରୋନା କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଯୋଗ୍ୟ ହିତାଧିକାରୀଙ୍କ ଟିକାକରଣ ହାରକୁ ବୃଦ୍ଧି କରିବାସହ ମାଗଣା ବୁଷ୍ଟର ଡୋଜ୍‌ର ସୁବିଧା ଯେପରି ସମସ୍ତେ ନିଅନ୍ତି ସେପ୍ରତି ଧ୍ୟାନ ଦେବାକୁ କହିଛନ୍ତି ।

Get real time updates directly on you device, subscribe now.