fbpx

ତୃତୀୟ ଲହର ପାଖେଇ ଆସୁଛି, ସତର୍କ କରାଇଲା IMA

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାମାରୀ କରୋନାର ତୃତୀୟ ଲହର ସମ୍ପର୍କରେ ଦୀର୍ଘଦିନ ହେଲାଣି ଆଶଙ୍କା ଓ ଆକଳନ କରାଯାଉଛି । ଏହାରି ମଧ୍ୟରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୁଣି ସତର୍କ କରାଇ ଦିଆଯାଇଛି । ଆଇଏମଏ ପକ୍ଷରୁ କୁହାଯାଇଛି ଯେ କରୋନାର ତୃତୀୟ ଲହର ନିଶ୍ଚିତ ଆସିବ ଏବଂ ସେ ସମୟ ପାଖେଇ ଆସିଲାଣି । ତେଣୁ ପର୍ଯ୍ୟଟନସ୍ଥଳୀକୁ ଅନୁମତି, ତୀର୍ଥଯାତ୍ରା ଓ ଧାର୍ମିକ ସମ୍ମେଳନ ଆଦି ପାଇଁ ବର୍ତ୍ତମାନ ଅନୁମତି ଦିଆନଯାଉ । ଜନଗହଳି ସୃଷ୍ଟି ନକରାଇ ଅତିକମ୍ରେ ଆଉ ୩ ମାସ ଅପେକ୍ଷା କରାଯାଉ ବୋଲି ଆଇଏମଏ ବିଶେଷଜ୍ଞ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କୁ ସତର୍କ କରାଇଛନ୍ତି ।

ଦେଶର ବିଭିନ୍ନ କୋଣଅନୁକୋଣରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରାଯାଇ ଲୋକେ ଏକତ୍ରିତ ହେଉଛନ୍ତି । ବିଭିନ୍ନ ଆଳରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହେବା ଫଳରେ ଏହା ତୃତୀୟ ଲହରକୁ ଶୀଘ୍ର ଆମନ୍ତ୍ରଣ କରିବା ସଦୃଶ ହୋଇଛି । ଏଥିପାଇଁ ଉଭୟ ସରକାର ଓ ଜନସାଧାରଣ ଗୁରୁତ୍ୱର ସହ ବିଚାର କରିବା ଦରକାର ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି । ସେହିପରି ଟିକାକରଣ ସମ୍ପର୍କରେ ମଧ୍ୟ କୁହାଯାଇଛି ଯେ ବିନା ଟିକାକରଣରେ ଲୋକଙ୍କୁ ସବୁ ଖୋଲାମେଲା ମିଶିବା ପାଇଁ ଅନୁମତି ଦେବା ଆଦୌ ଉଚିତ୍ ନୁହେଁ । ଭାରତ ସମ୍ପ୍ରତି ଦ୍ୱିତୀୟ ଲହରରେ ହନ୍ତସନ୍ତ ହେଉଥିବାବେଳେ ଅତ୍ୟାଧୁନିକ ମେଡିକାଲ୍ ସେବା ବ୍ୟବସ୍ଥା କିଛିମାତ୍ରାରେ ଏହାକୁ ପ୍ରତିହତ କରିପାରିଛି । ତେବେ ବିଗତ ଦେଢ଼ବର୍ଷର ସ୍ଥିତିରୁ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ । ଭାଇରସ୍ କିଭଳି ବ୍ୟାପୁଛି ଓ ଏଥିପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

ଆଇଏମଏ ସଭାପତି ଡା. ଜେଏ ଜୟଲାଲ ମଧ୍ୟ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଯେ ଘରୋଇସ୍ତରରେ କୌଣସି ପ୍ରକାର ପର୍ବ ତଥା ଉତ୍ସବ ପାଳନ ପାଇଁ ଅନୁମତି ଦିଆନଯାଉ । ନିଷ୍ପତ୍ତିର ପୁନଃ ବିଚାର ପୂର୍ବକ କୋଭିଡ୍ କାଳରେ କୌଣସି ପରିସ୍ଥିତିରେ ଲୋକେ ଏକାଠି ହେବାକୁ ସୁଯୋଗ ନଦେବା ପାଇଁ ଡା. ଜୟଲାଲ୍ ଅନୁରୋଧ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିନା ଶ୍ରଦ୍ଧାଳୁରେ ପାଳିତ ହେଉଥିବାବେଳେ କେବଳ ସେବାୟତମାନେ ହିଁ ରୀତିନୀତି ସମ୍ପନ୍ନ କରୁଛନ୍ତି । ଖାଲି ଏତିକି ନୁହେଁ, ସମସ୍ତ ସେବାୟତଙ୍କ କରୋନା ପରୀକ୍ଷା କରାଯାଇ କେବଳ ନେଗେଟିଭ୍ ଥିଲେ ମହାପ୍ରଭୁଙ୍କ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆଯାଇଛି । ଗତବର୍ଷ ମଧ୍ୟ ସମାନ ଢଙ୍ଗରେ ରଥଯାତ୍ରା ସମ୍ପନ୍ନ ହୋଇଥିଲା । ଆଉ ଏଭଳି ଅବସରରେ ଆଇଏମଏ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୃତୀୟ ଲହର ନେଇ ଗୁରୁତ୍ୱପୂର୍ଣ୍ଣ ମତ ଦିଆଯାଇଛି । ଏଥିସହ ପୂର୍ଣ୍ଣ ସତର୍କ ହେବା ପାଇଁ ଚେତାଇ ଦିଆଯାଇଛି ।

Get real time updates directly on you device, subscribe now.