fbpx

ଖୁବଶୀଘ୍ର ଆରମ୍ଭ ହୋଇପାରେ ଛୋଟ ପିଲାଙ୍କ ଟିକାକରଣ, ଦ୍ୱିତୀୟ ଡୋଜ୍‌ର ସକରାତ୍ମକ ରିପୋର୍ଟକୁ ଅପେକ୍ଷା

ଆସନ୍ତା ସପ୍ତାହରେ ୨ରୁ ୬ ବର୍ଷର ଶିଶୁଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ଦେଶରେ ଖୁବଶୀଘ୍ର ଛୋଟ ପିଲାଙ୍କ ଟିକାକରଣ ଆରମ୍ଭ ହୋଇପାରେ । ଶିଶୁଙ୍କ ଉପରେ ଆରମ୍ଭ ହୋଇଥିବା ଟିକାର ଟ୍ରାଏଲ୍‌ରୁ ଏପରି ଆଭାସ ମିଳୁଛି । ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌ ପକ୍ଷରୁ ଛୋଟ ପିଲାଙ୍କ ଉପରେ କରାଯାଉଥିବା କୋଭାକ୍ସିନ ଟିକାର ପରୀକ୍ଷଣ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି । ଟ୍ରାଏଲ୍‌ରେ ସାମିଲ ଥିବା ୨ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଆସନ୍ତା ସପ୍ତାହରେ କୋଭାକ୍ସିନ୍‌ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯିବ ବୋଲି ଜଣାପଡ଼ିଛି ।

ପୂର୍ବରୁ ଏହି ବୟସ ପିଲାମାନଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇ ସାରିଛି । ଏବେ ଦ୍ୱିତୀୟ ଡୋଜ୍‌ର ରିପୋର୍ଟ ସକରାତ୍ମକ ଆସିଲେ ଖୁବ୍‌ଶୀଘ୍ର ଦେଶରେ ଛୋଟ ଶିଶୁର ଟିକାକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏମ୍ସ ପକ୍ଷରୁ ଏପରି ସୂଚନା ଦିଆଯାଇଛି । ଏଠାରେ ମଧ୍ୟ ୧୮ରୁ କମ ବର୍ଷ ପିଲାଙ୍କୁ ନେଇ ଟିକାର ପରୀକ୍ଷଣ କରାଯାଉଛି । ଦ୍ୱିତୀୟ ଡୋଜ୍‌ ଟିକା ଦିଆଯିବା ପରେ ଅନ୍ତରୀଣ ରିପୋର୍ଟ ଆସିବ । ଏହା ଅଗଷ୍ଟ ଶେଷ ସୁଦ୍ଧା ସାର୍ବଜନୀନ ହେବ । ଏଥିରୁ ଜଣାପଡ଼ିବ ଯେ ଟିକା ଛୋଟ ପିଲାଙ୍କ ଉପରେ କେତେ ଫଳପ୍ରଦ । ଏହାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, କରୋନାର ତୃତୀୟ ଲହର ସମୟରେ ଛୋଟ ଶିଶୁମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଗତ ସପ୍ତାହରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ୧୮ରୁ କମ୍‌ ବର୍ଷ ବୟସର ପିଲାମାନଙ୍କ ଟିକାକରଣ ଖୁବଶୀଘ୍ର ଆରମ୍ଭ ହେବ । ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାର ଟ୍ରାଏଲ ଛୋଟ ପିଲାମାନଙ୍କ ଉପରେ ଶେଷ ହୋଇଛି । ଏହି ଟ୍ରାଏଲ୍‌ ରିପୋର୍ଟ ଆସିବା ପରେ ବିଧିବଦ୍ଧ ଭାବେ ଶିଶୁଙ୍କ ଉପରେ ଟିକାକରଣ ଆରମ୍ଭ ହେବ ।

Get real time updates directly on you device, subscribe now.