ଭାରତରେ ବଢ଼ିଲାଣି କରୋନା ଚିନ୍ତା, ସାମ୍ନାକୁ ଆସିଲା ଓମିକ୍ରନର ନୂଆ ସବ୍-ଭାରିଏଣ୍ଟ RF.5; ଜାଣନ୍ତୁ ଏହାର ଲକ୍ଷଣ
ଭାରତରେ ବଢ଼ିଲାଣି କରୋନା ଚିନ୍ତା, ସାମ୍ନାକୁ ଆସିଲା ଓମିକ୍ରନର ନୂଆ ସବ୍-ଭାରିଏଣ୍ଟ RF.5
ଓଡ଼ିଶା ଭାସ୍କର ଡେସ୍କ: ଭାରତରେ ପୁଣି ଥରେ କରୋନା ଭାଇରସ୍ ମାମଲା ଦେଖିବାକୁ ମିଳୁଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଏବଂ ମୁମ୍ବାଇରେ ସବୁଠାରୁ ଅଧିକ ସଂକ୍ରମଣ ସାମ୍ନାକୁ ଆସୁଛି। ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସର ୧୬ଟି ମାମଲା ଚିହ୍ନଟ ହୋଇସାରିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି।
ମୃତ୍ୟୁବରଣ କରିଥିବା ୪ ଜଣଙ୍କ ଶରୀରରେ ଓମିକ୍ରନର ନୂଆ ଭାରିଏଣ୍ଟ ‘RF.5’ ଚିହ୍ନଟ ହୋଇଛି। ଓମିକ୍ରନର ଏହି ନୂଆ ସବ୍-ଭାରିଏଣ୍ଟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି, ଯାହା ଓମିକ୍ରନ ଫ୍ୟାମିଲିର ଏକ ଅଂଶ ଅଟେ।
କେତେ ବିପଜ୍ଜନକ ଏହି ନୂଆ ଭାରିଏଣ୍ଟ: ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲାରୁ ଚାରିଟି କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ପୁଣେର ଭାଇରୋଲୋଜି ଲାବୋରେଟୋରୀକୁ ପଠାଯାଇଥିଲା। ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ପରେ ସେଥିରେ ଓମିକ୍ରନ ଭାରିଏଣ୍ଟ RF.5 ସବ୍ ଲିନିଏଜ୍ ଥିବା ସ୍ପଷ୍ଟ ହୋଇଛି। ଏନେଇ ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟ କୁମାର ଯାଦବ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। RF.5 ହେଉଛି ଓମିକ୍ରନ ପରିବାରର ଏକ ଅଂଶ, କିନ୍ତୁ ଏହା ପୂର୍ବରୁ ଥିବା ଓମିକ୍ରନ ଭାରିଏଣ୍ଟ ତୁଳନାରେ କିଛିଟା ଗମ୍ଭୀର ରୋଗର କାରଣ ହୋଇପାରେ, ଯାହା ଦ୍ୱାରା ବିପଦ ସାମାନ୍ୟ ବଢ଼ିଯାଇଥାଏ।
Uttarakhand Govt.
କେଉଁ ଦେଶରେ ମିଳିଛି ଏହି ଭାରିଏଣ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭାରିଏଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛି। ଏହି ଭାରିଏଣ୍ଟ ପୂର୍ବରୁ ସିଙ୍ଗାପୁର ଏବଂ ଦକ୍ଷିଣ-ପୂର୍ବ ଏସିଆର କିଛି ଦେଶରେ ଦେଖିବାକୁ ମିଳିଛି। RF.5 ଓମିକ୍ରନର ପୂର୍ବ ଭାରିଏଣ୍ଟ ଭଳି ହିଁ କାମ କରୁଛି, ତେଣୁ ଲୋକମାନେ ବ୍ୟସ୍ତ ନହୋଇ ସତର୍କତା ଅବଲମ୍ବନ କରିବା ଉଚିତ।
ଏହି ଭାରିଏଣ୍ଟ କୌଣସି ଦୁଇଟି ଭିନ୍ନ ଭାଇରସର ମିଶ୍ରଣରୁ ତିଆରି ହୋଇନାହିଁ, ବରଂ ଏହା ପ୍ରାକୃତିକ ଭାବେ ବିକଶିତ ହୋଇଛି। ଏହା JN.1 ଭାରିଏଣ୍ଟରୁ ଆଗକୁ ବଢ଼ି LF.7 ଏବଂ PY.1.1.1 ଦେଇ RF.5 ରୂପେ ଆତ୍ମପ୍ରକାଶ କରିଛି।
RF.5 ଭାରିଏଣ୍ଟର ଲକ୍ଷଣ: ଡାଇରେକ୍ଟର ଅଫ୍ ମେଡିକାଲ ଏଜୁକେସନ ବିଷ୍ଣୁବର୍ଦ୍ଧନଙ୍କ ଅନୁଯାୟୀ, ସାର୍ସ-କୋଭ୍ ୨ର ରୁଟିନ୍ ଜିନୋମିକ୍ ସର୍ଭେଲାନ୍ସ ଅଧୀନରେ RF.5 ଭାରିଏଣ୍ଟ ଉପରେ ନଜର ରଖାଯାଇଛି। ଏହାର ଲକ୍ଷଣ ଅନ୍ୟ ଓମିକ୍ରନ ଭାରିଏଣ୍ଟ ଭଳି ପ୍ରାୟ ସମାନ ରହିଛି।
ମୁଖ୍ୟ ଲକ୍ଷଣ: RF.5 ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହେଲେ ରୋଗୀଙ୍କଠାରେ ବିନ୍ଧାବିନ୍ଧି ସହ ଗଳା ବସିଯିବା ବା ଗଳା ଖରାପ ହେବା, କାଶ, ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଉଛି।

