ଦେଶରେ ପୁଣି କରୋନାର ଘର ବାହୁଡ଼ା, ଆନ୍ଧ୍ରପ୍ରଦେଶରେ ଜଣଙ୍କ ମୃତ୍ୟୁ, ହାଇ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

ଦେଶରେ ପୁଣି କରୋନାର ଘର ବାହୁଡ଼ା, ଆନ୍ଧ୍ରପ୍ରଦେଶରେ ଜଣଙ୍କ ମୃତ୍ୟୁ

Covid-19: ଦେଶରେ ଆଉ ଥରେ କରୋନା ଭାଇରସର ଲେଉଟାଣି ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ମୋଡ୍‌କୁ ଆଣିଛି । ଆନ୍ଧ୍ରପ୍ରଦେଶର କଡ଼ପ୍ପା ଜିଲ୍ଲାରୁ ଏକ ଚିନ୍ତାଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ କରୋନା ଭଳି ଗମ୍ଭୀର ଲକ୍ଷଣ ଥିବା ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ମଙ୍ଗଳବାର ଦିନ ଘଟିଥିବା ଏହି ସନ୍ଦିଗ୍ଧ ମୃତ୍ୟୁ ସମ୍ପର୍କରେ ଗୁରୁବାର ଦିନ ଖବର ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ଅଧିକାରୀମାନେ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେଉଛନ୍ତି ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଣେର ପ୍ରତିଷ୍ଠିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ର ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଫୁସଫୁସକୁ ବ୍ୟାପିଥିଲା ସଂକ୍ରମଣ

ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଡ଼ପ୍ପାର ମାସପେଟା ବାସିନ୍ଦା ଏହି ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଗତ ଜୁଲାଇ ୪ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ଏବଂ କରୋନା ଭଳି ଲକ୍ଷଣ ଦେଖାଯିବା ପରେ ତାଙ୍କୁ କଡ଼ପ୍ପାର ଗଭର୍ଣ୍ଣମେଣ୍ଟ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରମାନେ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ରୋଗୀଙ୍କ ଉଭୟ ଫୁସଫୁସରେ ଗମ୍ଭୀର ଏବଂ ସଂକଟାପନ୍ନ ସଂକ୍ରମଣ ବ୍ୟାପି ସାରିଛି । ଗତ ୪ ଦିନ ଧରି ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା ।

Uttarakhand Govt.

ମଦ୍ୟପାନ ଅଭ୍ୟାସ ଓ କରୋନାର ରିଟର୍ଣ୍ଣ ଆଟାକ୍

ମୃତକଙ୍କର ପୂର୍ବରୁ ଅତ୍ୟଧିକ ମଦ୍ୟପାନ କରିବାର ଅଭ୍ୟାସ ରହିଥିଲା । ଡାକ୍ତରମାନଙ୍କ ଅନୁମାନ ଅନୁଯାୟୀ, ପ୍ରଚୁର ମଦ୍ୟପାନ ଯୋଗୁଁ ତାଙ୍କର ଲିଭର ଏବଂ ରୋଗ ପ୍ରତିରୋଧକ ଶକ୍ତି ପୂର୍ବରୁ ହିଁ ଦୁର୍ବଳ ଥିଲା, ଯାହା ଫୁସଫୁସ ଜନିତ ସମସ୍ୟାକୁ ଆହୁରି ଗମ୍ଭୀର କରିଦେଇଥିଲା । ତେବେ ଫୁସଫୁସରେ ସଂକ୍ରମଣର ଏହି ଭୟଙ୍କର ରୂପକୁ ଦେଖି ଏହା କରୋନା ଭାଇରସ୍‌ର କୌଣସି ନୂଆ କିମ୍ବା ଶକ୍ତିଶାଳୀ ଷ୍ଟ୍ରେନ୍ ହୋଇଥାଇପାରେ ବୋଲି ଡାକ୍ତରମାନେ ଆଶଙ୍କା କରୁଛନ୍ତି ।

ପୁଣେ ପଠାଗଲା ସାମ୍ପଲ

ମାମଲାର ଗମ୍ଭୀରତାକୁ ଦେଖି ଜିଲ୍ଲାର ଇନଚାର୍ଜ ଡିଷ୍ଟ୍ରିକ୍ଟ ମେଡିକାଲ ଆଣ୍ଡ ହେଲଥ୍ ଅଫିସର ଡାକ୍ତର ରବି ବାବୁ ସ୍ଥିତି ସ୍ପଷ୍ଟ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ ରୋଗୀଙ୍କ ଫୁସଫୁସର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ମୃତ୍ୟୁର ସଠିକ୍ ବୈଜ୍ଞାନିକ କାରଣ ଜାଣିବା ପାଇଁ ଆମେ ରୋଗୀଙ୍କ ବାୟୋଲଜିକାଲ୍ ସାମ୍ପଲ୍ କୁ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଇଛୁ ।

ଆତଙ୍କିତ ନହେବାକୁ ଅପିଲ୍

ଡାକ୍ତର ରବି ବାବୁ ଜନସାଧାରଣଙ୍କୁ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ୱାସ ନକରିବାକୁ ଏବଂ ଆତଙ୍କିତ ନହେବାକୁ ଅପିଲ୍ କରିଛନ୍ତି । ପୁଣେରୁ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ହିଁ ଏହି ମୃତ୍ୟୁ କୋଭିଡ-୧୯ ଯୋଗୁଁ ହୋଇଛି ନା ଅନ୍ୟ କୌଣସି ଶ୍ୱାସକ୍ରିୟା ଜନିତ ଜୀବାଣୁ ଯୋଗୁଁ, ତାହା ସ୍ପଷ୍ଟ ହେବ । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ଉପରେ ମଧ୍ୟ ନଜର ରଖିଛି ।