କ୍ରିକେଟ ଜଗତକୁ ଝଟକା: ୧୪ ବର୍ଷର କ୍ୟାରିୟର୍‌, ୩ଟି ବିଶ୍ୱକପ, ଏବେ ନେଲେ ସନ୍ୟାସ…!

୧୪ ବର୍ଷର ଚମତ୍କାର କ୍ୟାରିୟର୍‌ରେ ଲାଗିଲା ପୂର୍ଣ୍ଣଚ୍ଛେଦ। ୩ଟି ବିଶ୍ୱକପ୍ ବିଜୟର ଅଂଶ ଥିବା ମ୍ୟାକ୍ସୱେଲ୍ ଏବେ କେବଳ T20 ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ଖେଳିବେ। ୧୪ ବର୍ଷର ଚମତ୍କାର କ୍ୟାରିୟର୍‌ରେ ଲାଗିଲା ପୂର୍ଣ୍ଣଚ୍ଛେଦ। ୩ଟି ବିଶ୍ୱକପ୍ ବିଜୟର ଅଂଶ ଥିବା ମ୍ୟାକ୍ସୱେଲ୍ ଏବେ କେବଳ T20 ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ଖେଳିବେ।

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ନିଜର ସନ୍ୟାସ ଘୋଷଣା କରିଛନ୍ତି। ସେ ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟ୍ ସହିତ ଘରୋଇ ଫାଷ୍ଟ-କ୍ଲାସ୍ ଏବଂ ଲିଷ୍ଟ-ଏ କ୍ରିକେଟରୁ ଅବସର ନେଇଛନ୍ତି। ଏହା ସହିତ ତାଙ୍କର ୧୪ ବର୍ଷର ସଫଳ ଏବଂ ଐତିହାସିକ କ୍ୟାରିୟରର ଅନ୍ତ ଘଟିଛି। ମ୍ୟାକ୍ସୱେଲ୍ ଅଷ୍ଟ୍ରେଲିଆ ପାଇଁ ମୋଟ ୨୮୬ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତେବେ, ସେ ବିଶ୍ୱର ବିଭିନ୍ନ ଟି-୨୦ ଫ୍ରାଞ୍ଚାଇଜ୍ ଲିଗ୍‌ରେ ଖେଳିବା ଜାରି ରଖିବେ।

୨୦୨୬ ଟି-୨୦ ବିଶ୍ୱକପ୍ ତାଙ୍କ ପାଇଁ ଶେଷ ଆନ୍ତର୍ଜାତୀୟ ମଞ୍ଚ ସାବ୍ୟସ୍ତ ହୋଇଛି, ଯଦିଓ ମ୍ୟାକ୍ସୱେଲ୍ ଗତ ବର୍ଷ ଜୁନ୍ ମାସରେ ଦିନିକିଆ କ୍ରିକେଟରୁ ଅବସର ନେଇସାରିଥିଲେ, ତଥାପି ସେ ଟି-୨୦ ଦଳ ପାଇଁ ଉପଲବ୍ଧ ଥିଲେ। ସେ ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଦଳର ପ୍ରତିନିଧିତ୍ୱ କରିଥିଲେ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ସେୟାର କରି ମ୍ୟାକ୍ସୱେଲ କହିଛନ୍ତି, “୨୦୨୮ ଅଲିମ୍ପିକ୍ସ ଏବଂ ବିଶ୍ୱକପ୍ ପାଖେଇ ଆସୁଥିବାରୁ, ଅଷ୍ଟ୍ରେଲିଆକୁ ଏକ ଯୁବ ଏବଂ ଉତ୍ସାହୀ ଦଳର ଆବଶ୍ୟକତା ରହିଛି। ଦଳ ଗଠନ ପାଇଁ ଆଗାମୀ ମାସଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଅବସର ନେବା ପାଇଁ ଏହା ହିଁ ଉପଯୁକ୍ତ ସମୟ।”

‘ଦ ଫାଇନାଲ୍ ୱାର୍ଡ’ ପଡକାଷ୍ଟରେ କଥାବାର୍ତ୍ତା ବେଳେ ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ମୋର ଶେଷ ମ୍ୟାଚ୍ ଖେଳିବାକୁ ଆଶା କରିଥିଲି, କିନ୍ତୁ ପରିଚାଳନା କର୍ତ୍ତୃପକ୍ଷ ଆଗାମୀ ୧୨ ରୁ ୨୪ ମାସ ମଧ୍ୟରେ ଦଳରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି ଏବଂ ମୁଁ ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି।”

୩ଟି ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ: ମ୍ୟାକ୍ସୱେଲ୍ ଅଷ୍ଟ୍ରେଲିଆ ପାଇଁ ଅନେକ ଐତିହାସିକ ବିଜୟରେ ଯୋଗଦାନ ଦେଇଛନ୍ତି। ସେ ୨୦୧୫ ଏବଂ ୨୦୨୩ ମସିହାରେ ଦିନିକିଆ  ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆ ଦଳର ଅଂଶ ଥିଲେ। ଏହା ବ୍ୟତୀତ, ୨୦୨୧ ମସିହାରେ ଅଷ୍ଟ୍ରେଲିଆ ଯେତେବେଳେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତିଥିଲା, ସେତେବେଳେ ସେ ଦଳର ଜଣେ ମୁଖ୍ୟ ସଦସ୍ୟ ଥିଲେ।

ଆନ୍ତର୍ଜାତୀୟ କ୍ୟାରିୟରର ରିପୋର୍ଟ କାର୍ଡ:

ମୋଟ ମ୍ୟାଚ୍: ୨୮୬

ମୋଟ ରନ୍: ୭,୨୨୬

ମୋଟ ୱିକେଟ୍: ୧୩୬

ଅବସର ନେବାର ନିଷ୍ପତ୍ତି ଅତ୍ୟନ୍ତ କଷ୍ଟକର ଥିଲା: ମ୍ୟାକ୍ସୱେଲ୍ ପ୍ରକାଶ କରିଛନ୍ତି ଯେ ଭିକ୍ଟୋରିଆ ପାଇଁ ନିଜର ଶେଷ ‘ଲିଷ୍ଟ-ଏ’ ମ୍ୟାଚ୍ ଖେଳିବା ପରେ, ନିଜ ସହ ଖେଳାଳିମାନଙ୍କୁ ଅବସର ବିଷୟରେ ଜଣାଇବା ତାଙ୍କ ପାଇଁ କଳ୍ପନା କରିଥିବା ଠାରୁ ଅଧିକ କଷ୍ଟକର ଥିଲା।

ସେ କହିଛନ୍ତି ଯେ ବର୍ତ୍ତମାନ ନିଜର ଶାରୀରିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଉପରେ ଧ୍ୟାନ ଦେବାର ସମୟ ଆସିଛି, ଯାହା ତାଙ୍କୁ ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। ଉଲ୍ଲେଖନୀୟ ଯେ, ମ୍ୟାକ୍ସୱେଲ୍ ‘ବିଗ୍ ବ୍ୟାଶ୍ ଲିଗ୍ ୨୦୨୬-୨୭’ରେ ‘ମେଲବୋର୍ଣ୍ଣ ଷ୍ଟାର୍ସ’ ପାଇଁ ଖେଳିବା ଜାରି ରଖିବେ।