ମାମୁ ଘର ଗାଁରେ ବୁଲୁଥିଲେ; ଭୁଜାଲିରେ ହେଲା ଆକ୍ରମଣ
ଗାଁ ଲୋକେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସୌରଭ ଓ ତାଙ୍କ କଟା ହାତକୁ ଧରି ରାଜକନିକା ମେଡିକାଲରେ ଭର୍ତ୍ତି କରିଥିଲେ
ଭୁବନେଶ୍ୱର: ମାମୁ ଘର ଗାଁ ବୁଲିବା ପାଇଁ ଆସିଥିଲେ ଭଣଜା। ହେଲେ ଦୁର୍ଭାଗ୍ୟର ବିଷୟ ତାଙ୍କ ଉପରେ ହେଲା ଆକ୍ରମଣ। ଯେଉଁଥିରେ ତାଙ୍କ ହାତ କାଟି ଅଲଗା ହୋଇଗଲା। ଗାଁ ଲୋକେ କଟା ହାତ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଆଜି ସକାଳେ ଏପରି ବୀଭତ୍ସା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଘଟିଛି।
ନୂଆ ଅରସା ଗାଁର ଗାଲେଖ ଥାଟୋଇଙ୍କ ପୁଅ ୨୧ ବର୍ଷୀୟ ସୌରଭ ଥାଟୋଇ ମାମୁ ଘର ରାଜକନିକା ଥାନା ବରୁଣାଡିହା ଗ୍ରାମକୁ ଯାଇଥିଲେ। ଆଜି ସକାଳେ ସେ ମାମୁ ଘର ଗାଁରେ ବୁଲୁୁଥିଲେ। ଠିକ୍ ସେହି ସମୟରେ ମାମୁ ଘର ଗାଁର ଜଣେ ୩୫ ବର୍ଷୀୟ ଯୁବକ ତାକୁ ଭୁଜାଲିରେ ଆକ୍ରମଣ କରିଥିଲେ। ଯାହାଫଳରେ ସୌରଭଙ୍କ ଡାହାଣ ହାତ ଛିଡ଼ି ଯାଇଥିଲା।
ଗାଁ ଲୋକେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସୌରଭ ଓ ତାଙ୍କ କଟା ହାତକୁ ଧରି ରାଜକନିକା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଉଦ୍ୟମ କରୁଛି। ହେଲେ ଅଭିଯୁକ୍ତ ଯୁବକ ଫେରାର ହୋଇ ଯାଇଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ।


