fbpx

୧୦ ବର୍ଷ ହେଲା ଦରମା ଉଠାଉନି କୋଟିପତି ସୁଇପର, ଗୁଜୁରାଣ ପାଇଁ ଲୋକଙ୍କୁ ମାଗୁଛି ଟଙ୍କା

ଏପରି ଏକ କୋଟିପତି ସୁଇପର, ଯେ କି ଗତ ୧୦ ବର୍ଷ ହେବ ଦରମା ଟଙ୍କା ଉଠାଉ ନାହାନ୍ତି । ସଙ୍ଗମନଗରୀ ପ୍ରୟୋଗରାଜରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର କୁଷ୍ଠରୋଗ ବିଭାଗରେ କାମ କରୁଛନ୍ତି ଜଣେ କୋଟିପତି ସୁଇପର । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି, ତାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଥିବା ସହ ତାଙ୍କର ଜମି ଓ ନିଜ ଘର ମଧ୍ୟ ଅଛି । ସେ ଗତ ୧୦ ବର୍ଷ ହେବ ନିଜ ଦରମାରୁ ଗୋଟିଏ ବି ଟଙ୍କା ବି ଉଠାଉନାହାନ୍ତି ।

ଏବେ ବ୍ୟାଙ୍କ କର୍ମଚାରୀ ତାଙ୍କୁ ଟଙ୍କା ଉଠାଇବାକୁ ନିବେଦନ କରୁଛନ୍ତି । କିନ୍ତୁ ସୁଇପର ଧୀରଜ ଲୋକଙ୍କୁ ଟଙ୍କା ମାଗି ନିଜର ଗୁଜୁରାଣ କରୁଛନ୍ତି । ସିଏମଓ ଅଫିସ ପାଖରେ ଯିବା ଆସିବା କରୁଥିବା ଲୋକଙ୍କଠାରୁ ସେ ଟଙ୍କା ମାଗନ୍ତି ।

ତେବେ ଧୀରଜଙ୍କ ବେଶଭୂଷା ଓ ଖରାପ ପୋଷାକ ଦେଖି ଯେ କେହି ବି ତାଙ୍କୁ ଭିକାରୀ ଭାବନ୍ତି । ଲୋକଙ୍କ ଗୋଡ଼ ଧରି ସେ ଟଙ୍କା ମାଗନ୍ତି ଓ ସେଥିରେ ନିଜର ଖର୍ଚ୍ଚ କରନ୍ତି । ଲୋକମାନେ ବି ତାଙ୍କ ଟଙ୍କା ଦେଇଦିଅନ୍ତି । କିନ୍ତୁ ଧୀରଜ ସାଧାରଣ ଲୋକ ନୁହେଁ, ସେ ଜଣେ କୋଟିପତି ।

ମିଳିଥିବା ସୂଚନା ଅନୁସାରେ, ଧୀରଜଙ୍କ ପିତା କୁଷ୍ଠରୋଗ ବିଭାଗରେ ସୁଇପର ଭାବେ କାମ କରୁଥିଲେ । ଚାକିରି କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଗଲା । ମୃତକଙ୍କ ପରିବାର ପକ୍ଷରୁ ଧୀରଜଙ୍କୁ ୨୦୧୨ରେ ସେହି ପଦବୀରେ ଚାକିରି ମିଳିଗଲା । ସେବେଠାର ଧୀରଜ ବ୍ୟାଙ୍କରୁ ଦରମା ଟଙ୍କା ଉଠାଇ ନାହାନ୍ତି । ସେ ଅଧିକାରୀ ଓ କର୍ମଚାରୀଙ୍କୁ ଟଙ୍କା ମାଗି ନିଜର ଗୁଜୁରାଣ କରନ୍ତି । ଏହା ବ୍ୟତୀତ ତାଙ୍କ ମା’ଙ୍କର ପେନସନ ବି ଆସୁଛି, କିନ୍ତୁ ଏକ ଖାସ୍ କଥା ହେଉଛି କି, ଧୀରଜ ସରକାରଙ୍କୁ ଇନକମ୍ ଟ୍ୟାକ୍ସ ବି ଦେଉଛି ।

ଯେବେ ବ୍ୟାଙ୍କର ଅଧିକାରୀ ଧୀରଜଙ୍କୁ ଖୋଜି ଖୋଜି କୁଷ୍ଠରୋଗ ବିଭାଗରେ ପହଞ୍ଚିଥିଲେ, ସେବେ ଏହି ଘଟଣାର ଖୁଲାସା ହୋଇଥିଲା । କୋଟିପତି ଧୀରଜ ନିଜ ଭଉଣୀ ଓ ମା’ଙ୍କ ସହ ରହୁଛି । ତାଙ୍କ ବାହାଘର ଏପର୍ଯ୍ୟନ୍ତ ହୋଇନଥିବା ବେଳେ ସେ ବି ଏଥିପ୍ରତି ଇଛାପ୍ରକାଶ କରୁନାହାନ୍ତି । ତାଙ୍କ ଟଙ୍କା କାଳେ କିଏ ନେଇଯିବ, ସେନେଇ ତାଙ୍କର ଡର ରହିଛି । କର୍ମଚାରୀଙ୍କ କହିବା ମୁତାବକ, ଧୀରଜଙ୍କର ଟିକେ ମୁଣ୍ଡଦୋଷ ଅଛି । କିନ୍ତୁ ସେ ସଚ୍ଚୋଟ ଓ ପରିଶ୍ରମୀ ବୋଲି ସେମାନେ କହିଛନ୍ତି ।

Get real time updates directly on you device, subscribe now.