ଟ୍ରମ୍ପଙ୍କ ପରାଜୟ ପରେ କମିଲା ଅଶୋଧିତ ତୈଳ ଦର, ଭାରତରେ ଶସ୍ତା ହେବ କି ପେଟ୍ରୋଲ-ଡିଜେଲ
ଆମେରିକାରେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ଝଟକା ପରେ ଅନ୍ତର୍ଜାତୀୟ ତୈଳ ବଜାରରେ ବଡ଼ ପରିବର୍ତ୍ତନ। ୪.୭ ପ୍ରତିଶତ ଖସିଲା ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଦର।
ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପଙ୍କୁ ନିର୍ବାଚନୀ ଝଟକା, ଆଉ ଏହାର ପ୍ରଭାବ ପଡ଼ିଲା ଅନ୍ତର୍ଜାତୀୟ ତୈଳ ବଜାର ଉପରେ। ହଠାତ୍ ହ୍ରାସ ପାଇଲା ଅଶୋଧିତ ତୈଳର ଦର। ଦୀର୍ଘ ଦିନ ପରେ ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ଖସିଲା ବ୍ରେଣ୍ଟ କ୍ରୁଡ୍ ଅଏଲ୍।
ଏହାକୁ ନେଇ ଏବେ ଭାରତୀୟ ଗ୍ରାହକଙ୍କ ମନରେ ବଢ଼ିଛି ଆଶା। ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବ କି? ତେବେ ଜାଣନ୍ତୁ, ତୈଳ ଦର ହ୍ରାସ ପଛର କାରଣ କ’ଣ ଏବଂ ଭାରତୀୟ ଗ୍ରାହକଙ୍କୁ ମିଳିବ କି ଏହାର ଫାଇଦା?
ଟ୍ରମ୍ପଙ୍କ ହାର, ତେଲ ଦରରେ ପ୍ରଭାବ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ଝଟକା ଲାଗିଛି। ଡେମୋକ୍ରାଟ୍ମାନେ ଆମେରିକାର ସଂସଦର ଉଭୟ ସଦନରେ ବହୁମତ ହାସଲ କରିଛନ୍ତି। ଏହାର ପ୍ରଭାବ ଏବେ ଅନ୍ତର୍ଜାତୀୟ ତୈଳ ବଜାରରେ ଦେଖିବାକୁ ମିଳିଛି।
ବୁଧବାର ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଦରରେ ୪.୭ ପ୍ରତିଶତ ହ୍ରାସ ଘଟି ବ୍ୟାରେଲ ପିଛା ୯୮.୭୬ ଡଲାରରେ ପହଞ୍ଚିଛି। ଅକ୍ଟୋବର ଆରମ୍ଭ ପରେ ପ୍ରଥମ ଥର ପାଇଁ ବ୍ରେଣ୍ଟ କ୍ରୁଡ୍ ୧୦୦ ଡଲାର ତଳକୁ ଖସିଛି। ସେହିପରି ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ (WTI) ଦର ମଧ୍ୟ ୪.୫ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୯୧.୭୩ ଡଲାର ହୋଇଛି।
ଇରାନ ଯୁଦ୍ଧ ଥମିବା ଆଶା ବଢ଼ିଲା: ତୈଳ ଦର ହ୍ରାସ ପଛରେ ଆଉ ଏକ ବଡ଼ କାରଣ ହେଉଛି ଇରାନ ଯୁଦ୍ଧ ଶେଷ ହେବା ନେଇ ବଢ଼ୁଥିବା ଆଶା। ଆମେରିକାର ସଂସଦର ଉଭୟ ସଦନରେ ଡେମୋକ୍ରାଟ୍ଙ୍କ ବହୁମତ ଯୋଗୁଁ ଟ୍ରମ୍ପ ପ୍ରଶାସନ ଉପରେ ଇରାନ ସହ ଆଲୋଚନା କରି ଉତ୍ତେଜନା ହ୍ରାସ କରିବାକୁ ଚାପ ବଢ଼ିପାରେ।
ଏପଟେ ଇରାନ ଉପରେ ତୁରନ୍ତ ଆକ୍ରମଣ କରିବାର କୌଣସି ଯୋଜନା ନଥିବା ନେଇ ଟ୍ରମ୍ପ ମଧ୍ୟ ସଙ୍କେତ ଦେଇଛନ୍ତି। ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜନିତ ଉତ୍ତେଜନା କମିବା ସହ ତୈଳ ଯୋଗାଣ ସ୍ୱାଭାବିକ ହେବା ନେଇ ନିବେଶକମାନେ ଆଶା ରଖିଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ, ଶାନ୍ତି ଚୁକ୍ତି ଏତେ ସହଜ ନୁହେଁ। ତେଣୁ ଆଗକୁ ତୈଳ ଦରରେ ଉତ୍ଥାନ-ପତନ ଜାରି ରହିପାରେ।
ତୈଳ ଯୋଗାଣ ନେଇ ବଢ଼ୁଛି ପ୍ରସ୍ତୁତି: ଅନ୍ୟପଟେ ଖାଡ଼ି ଦେଶଗୁଡ଼ିକରୁ ତୈଳ ରପ୍ତାନିରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଜାହାଜ ଚଳାଚଳ ଉପରେ ନଜର ରଖୁଥିବା ସଂସ୍ଥା ଭର୍ଟେକ୍ସାର ତଥ୍ୟ ଅନୁସାରେ, ଅକ୍ଟୋବର ମାସରେ ଖାଡ଼ି ଦେଶଗୁଡ଼ିକରୁ ଦୈନିକ ହାରାହାରି ୧ କୋଟି ୭୧ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ, କଣ୍ଡେନସେଟ୍ ଓ ରିଫାଇନ୍ଡ୍ ଉତ୍ପାଦ ରପ୍ତାନି ହୋଇଛି। ସେପ୍ଟେମ୍ବରରେ ଏହି ପରିମାଣ ୧ କୋଟି ୮୯ ଲକ୍ଷ ବ୍ୟାରେଲ ଥିଲା।
ସେହିପରି ହର୍ମୁଜ୍ ପ୍ରଣାଳୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ୟୁଏଇ ତୃତୀୟ ତୈଳ ରପ୍ତାନି ପାଇପ୍ଲାଇନ୍ ନିର୍ମାଣ କରିବାକୁ ବିଚାର କରୁଛି। ଏହା ଦ୍ୱାରା ଭବିଷ୍ୟତରେ ତୈଳ ଯୋଗାଣ ପାଇଁ ବିକଳ୍ପ ରାସ୍ତା ମିଳିପାରିବ।
ଆମେରିକାରେ ମଧ୍ୟ କମିଲା ତୈଳ ଭଣ୍ଡାର: ତୈଳ ଦର ହ୍ରାସ ମଧ୍ୟରେ ଆମେରିକାରେ ଅଶୋଧିତ ତୈଳ ଭଣ୍ଡାର ମଧ୍ୟ କମିଛି। ଆମେରିକାର ଏନର୍ଜି ଇନଫରମେସନ୍ ଆଡମିନିଷ୍ଟ୍ରେସନ୍ ତଥ୍ୟ ଅନୁସାରେ, ଅକ୍ଟୋବର ୩୦ରେ ଶେଷ ହୋଇଥିବା ସପ୍ତାହରେ ଦେଶର ତୈଳ ଭଣ୍ଡାର ୮.୬୫ ଲକ୍ଷ ବ୍ୟାରେଲ ହ୍ରାସ ପାଇଛି।
ଏହା ପରେ ମୋଟ ଭଣ୍ଡାର ୪୦.୯୮ କୋଟି ବ୍ୟାରେଲକୁ ଖସିଆସିଛି। ଅନ୍ୟପଟେ ଆମେରିକାନ୍ ପେଟ୍ରୋଲିୟମ୍ ଇନଷ୍ଟିଚ୍ୟୁଟ୍ (API) ତଥ୍ୟ ଅନୁସାରେ, ଏହି ସମୟରେ ତୈଳ ଭଣ୍ଡାର ୫୨.୭ ଲକ୍ଷ ବ୍ୟାରେଲ କମିଛି।
କମିବ କି ପେଟ୍ରୋଲ-ଡିଜେଲ ଦର: ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିବା ପରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ କି? ଭାରତ ନିଜର ଆବଶ୍ୟକତାର ଏକ ବଡ଼ ଅଂଶ ଅଶୋଧିତ ତୈଳ ବିଦେଶରୁ ଆମଦାନୀ କରିଥାଏ। ତେଣୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିଲେ ଦେଶର ତୈଳ କମ୍ପାନୀଗୁଡ଼ିକର ଖର୍ଚ୍ଚ ହ୍ରାସ ପାଇବାର ସମ୍ଭାବନା ରହିଛି।
କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁରନ୍ତ ଗ୍ରାହକଙ୍କୁ ଶସ୍ତା ପେଟ୍ରୋଲ ଓ ଡିଜେଲ ମିଳିବ। କାରଣ ଇନ୍ଧନ ଦର କେବଳ ଅଶୋଧିତ ତୈଳ ମୂଲ୍ୟ ଉପରେ ନିର୍ଭର କରେନାହିଁ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ, ରିଫାଇନିଂ ଖର୍ଚ୍ଚ, ତୈଳ କମ୍ପାନୀଗୁଡ଼ିକର ଲାଭ ଓ ସରକାରଙ୍କ ଟିକସ ନୀତି ମଧ୍ୟ ଏଥିରେ ପ୍ରଭାବ ପକାଇଥାଏ।
ତେଣୁ ଯଦି ଆଗକୁ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ୍ ରହେ, ତେବେ ଭାରତୀୟ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦରରେ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି। ଏବେ ନଜର ରହିଛି, ତୈଳ ଦର ହ୍ରାସର ଫାଇଦା ସାଧାରଣ ଗ୍ରାହକଙ୍କ ପାଖରେ କେବେ ପହଞ୍ଚୁଛି।


