CSKକୁ ବଡ଼ ଝଟ୍‌କା, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଏହି ଖେଳାଳି, ଧୋନିଙ୍କୁ ନେଇ ଆସିଛି ବଡ଼ ଅପଡେଟ୍

CSKକୁ ବଡ଼ ଝଟ୍‌କା, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଏହି ଖେଳାଳି

IPL 2026: ୫ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ୍‌କୁ ଲାଗିଛି ଏକ ବଡ଼ ଝଟ୍‌କା। ଦଳର ଅଲରାଉଣ୍ଡର ରାମକୃଷ୍ଣ ଘୋଷ ଆହତ କାରଣରୁ ଚଳିତ ଆଇପିଏଲ୍ ସିଜିନ୍‌ରୁ ବାଦ୍ ପଡ଼ିଛନ୍ତି। ତେବେ CSK ବିଳମ୍ବ ନକରି ତାଙ୍କ ବଦଳ ଖେଳାଳି ଭାବେ କର୍ଣ୍ଣାଟକର ଯୁବ ପ୍ରତିଭା ମ୍ୟାକନିଲ୍ ନୋରୋନ୍‌ହାଙ୍କ ନାମ ଘୋଷଣା କରିଛି।

ରାମକୃଷ୍ଣ ଆହତ, ନୋରୋନ୍‌ହାଙ୍କ ଭାଗ୍ୟ ଫିଟିଲା

ଗତ ୩ ମଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ରାମକୃଷ୍ଣଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ଏହାପରେ CSK ଯୁବ ଅଲରାଉଣ୍ଡର ମ୍ୟାକନିଲ୍ ନୋରୋନ୍‌ହାଙ୍କୁ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି।

ନୋରୋନ୍‌ହା ଘରୋଇ କ୍ରିକେଟ୍‌ରେ ଜଣେ ଜଣାଶୁଣା ଚେହେରା। ସେ ୨୦୨୪-୨୫ ‘କର୍ଣ୍ଣଲ ସି.କେ. ନାୟୁଡୁ ଟ୍ରଫି’ରେ ସର୍ବାଧିକ ରନ୍ ସଂଗ୍ରହ କରି ‘ଏମ୍.ଏ. ଚିଦାମ୍ବରମ ଟ୍ରଫି’ ହାସଲ କରିଛନ୍ତି। ସେ କର୍ଣ୍ଣାଟକ ପାଇଁ ସୈୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ଖେଳିସାରିଛନ୍ତି।

ଲକ୍ଷ୍ନୌ ଯିବେ କି ଧୋନି

ଅନ୍ୟପଟେ, କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଏମ୍.ଏସ୍. ଧୋନିଙ୍କ ଉପରେ ରହିଛି। ଧୋନି ଏବେ ମାଂସପେଶୀ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ସେ ଚଳିତ ସିଜିନ୍‌ରେ ଅଧିକାଂଶ ବାହାର ମ୍ୟାଚ୍‌ରେ ଦଳ ସହ ଯାତ୍ରା କରିପାରିନାହାନ୍ତି। ତେବେ ବର୍ତ୍ତମାନର ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ ପାଇଁ CSK ମ୍ୟାନେଜମେଣ୍ଟ ଧୋନିଙ୍କ ପାଇଁ ଫ୍ଲାଇଟ୍ ଟିକେଟ୍ ବୁକ୍ କରିଛି।

ଫ୍ରାଞ୍ଚାଇଜ୍ CEO କାସୀ ବିଶ୍ୱନାଥନ ନିଶ୍ଚିତ କରିଛନ୍ତି ଯେ, ଧୋନି ଦଳ ସହ ଲକ୍ଷ୍ନୌ ଯାଇପାରନ୍ତି। ଯଦି ସେ ଯାତ୍ରା କରନ୍ତି, ତେବେ ଲକ୍ଷ୍ନୌ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର ହେବ। ତେବେ ଧୋନି ମ୍ୟାଚ୍ ପାଇଁ ମୈଦାନରେ ନଜର ଆସୁଛନ୍ତି କି ନାହିଁ ଏବଂ ଯୁବ ଖେଳାଳି ନୋରୋନ୍‌ହା CSK ପାଇଁ କିଭଳି ପ୍ରଦର୍ଶନ କରୁଛନ୍ତି ସେ ଉପରେ ଏବେ ସମସ୍ତଙ୍କ ନଜର ।