କଣ ନକଲେ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ!
ପ୍ରଣବୀ ଆହୁରି କୁହଛନ୍ତି, ମତେ ଲାଗୁଥିଲା ଯେ ମୋ ପାଖରେ ସବୁକିଛି ଅଛି। କିନ୍ତୁ ଶାନ୍ତି ନାହିଁ। ତେଣୁ ୨୦୨୫ ମସିହା ଫେବୃଆରୀରେ ମୁଁ ପ୍ରେମାନନ୍ଦ ମହାରାଜଙ୍କୁ ଶୁଣିବା ଆରମ୍ଭ କରିଥିଲି।
ନୂଆଦିଲ୍ଲୀ: ଚରିତ୍ର ଜଣେ। କିନ୍ତୁ ନାଁ ଦୁଇଟି। ଗୋଟିଏ ନାଁ ହେଉଛି ପ୍ରଣବୀ ତିୱାରୀ। ଇଏ ହେଉଛନ୍ତି ଜଣେ ସୁନ୍ଦରୀ, ଚୁଲବୁଲି, ଚଞ୍ଚଳା ଓ ହସଖୁରୀ। ଯାହାଙ୍କ ହସରେ ଦିୱାନା ହୋଇଥିଲା ପୂରା ଦୁନିଆ। ତାଙ୍କ ବିଜ୍ଞାପନ ଦେଖି ବେକାକୁ ହୋଇଯାଉଥିଲେ ପ୍ରଶଂସକ। ହେଲେ ପ୍ରଣବୀଙ୍କୁ ଏ ଚାକଚକ୍ୟ ଭଲ ଲାଗିଲା ନାହିଁ। ବିଚଳିତ ମନରେ ଅଙ୍କୁଶ ଲାଗାଇବା ପାଇଁ ଫେରିଲେ ଆଧ୍ୟାତ୍ମିକ ମାର୍ଗକୁ। ଆଉ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଗୁରୁ ଭାବେ ଗ୍ରହଣ କଲେ। ତାଙ୍କଠାରୁ ଦୀକ୍ଷା ଗ୍ରହଣ କରି ପ୍ରଣବୀରୁ ହୋଇଗଲେ ‘ଭଗବତୀ’।
ପ୍ରଣବୀ ତିୱାରୀ ପାଠ ପଢ଼ି ହୋଇଥିଲେ ଏୟାର ହୋଷ୍ଟେସ। ଆଉ ଏକ ପ୍ରତିଷ୍ଠିତ ବିମାନ କମ୍ପାନୀରେ ଭଲ ଦରମାରରେ ଚାକିରି କରୁଥିଲେ। ହେଲେ ତାଙ୍କ ମନ ଥିଲା ମୟାନଗରୀ ଆଡ଼େ। ସେଥିପାଇଁ ଉଦ୍ୟମ ଚଳାଇଥିଲେ। ମଝିରେ ମଝିରେ ଫୁରୁସତ ପାଇଲେ ଛୋଟମୋଟ୍ ବିଜ୍ଞାପନରେ ଅଭିନୟ କରୁଥିଲେ। ଧୀରେ ଧୀରେ ପ୍ରଣବୀଙ୍କ କ୍ରେଜ ବଢ଼ିଲା। ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ବିଜ୍ଞାପନରେ ନଜର ଆସିଥିଲେ। ଭଲ ଟଙ୍କା ରୋଜଗାର କରୁଥିଲେ। ଆଲିସାନ୍ ଘରେ ରହୁଥିଲେ ଓ ହାଇଫାଇ ଜୀବନ ଶୈଳୀରେ ବଞ୍ଚୁଥିଲେ। ହେଲେ ଜୀବନରେ ମାନସିକ ଶାନ୍ତି ପାଉନଥିଲେ। ତେଣୁ ରଙ୍ଗାରଙ୍ଗ ଚାକଚକ୍ୟ ଦୂନିଆଠାରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ।
ଆଧ୍ୟାତ୍ମିକ ମାର୍ଗକୁ କେମିତି ଆସିଲେ ପ୍ରଣବୀ?
ଏକ ପ୍ରୋଡକାଷ୍ଟରେ ପ୍ରଣବୀ କହିଛନ୍ତି; ମୁଁ ଜଣେ ଏୟାର ହୋଷ୍ଟେସ୍ ଥିଲି। କୃତି ସେନନଙ୍କ ସହ ବିଜ୍ଞାପନରେ କାମ କରିଛି। ମୋର କେତେକ ବିଜ୍ଞାପନ ଏମିତି ଥିଲା ଯେଉଁଥିରେ ମୁଖ୍ୟ ଭୂମିକାରେ କରିଛି। ମୁଁ ସମ୍ପୂର୍ଣ୍ଣ ଭାବେ ଅଭିନୟକୁ ଆସିବାକୁ ଚାହୁଁଥିଲି। କିନ୍ତୁ ମନ ଅଶାନ୍ତ ରହୁଥିଲା। ଅଭିନୟ ପ୍ରତି ମୋର ଆଗ୍ରହ କମିକମି ଯାଉଥିଲା ବୋଲି ପ୍ରଣବୀ କହିଛନ୍ତି।
ପ୍ରଣବୀ ଆହୁରି କୁହଛନ୍ତି, ମତେ ଲାଗୁଥିଲା ଯେ ମୋ ପାଖରେ ସବୁକିଛି ଅଛି। କିନ୍ତୁ ଶାନ୍ତି ନାହିଁ। ତେଣୁ ୨୦୨୫ ମସିହା ଫେବୃଆରୀରେ ମୁଁ ପ୍ରେମାନନ୍ଦ ମହାରାଜଙ୍କୁ ଶୁଣିବା ଆରମ୍ଭ କରିଥିଲି। ଆଉ ତାଙ୍କଠାରୁ ଦୀକ୍ଷା ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲି। ହେଲେ ବୁଝାବୁଝି ପରେ ଜାଣିବାକୁ ପାଇଲି, ତାଙ୍କଠାରୁ ଦୀକ୍ଷା ନେବା ବହୁତ କଷ୍ଟକର। ତେଣୁ ମୁଁ ପରିବାର ଲୋକଙ୍କ ସହ କଥା ହେଲି। ତା’ପରେ ସବୁକିଛି ଛାଡ଼ି ବୃନ୍ଦାବନ ଚାଲି ଆସିଲି। ଗତ ଦୁଇ ବର୍ଷ ହେଲା ମୋତେ ଲାଗୁଥିଲା ଯେମିତି କିଛି ଅଧୁରା ରହିଛି। ବୃନ୍ଦାବନରେ ମତେ ଜଣେ ଭାଇ ମିଳିଲେ, ଯାହାଙ୍କ ସାହାଯ୍ୟରେ ମୁଁ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲି ଓ ଦୀକ୍ଷା ନେଲି ବୋଲି ପ୍ରଣବୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଯେବେଠାରୁ ମୁଁ ଗୁରୁଦେବଙ୍କୁ ଶୁଣିବା ଆରମ୍ଭ କଲି, ମତେ ଲାଗିଲା ଯେ ବାସ ଏଇଠି ହିଁ ସବୁକିଛି ଅଛି। ତେଣୁ ସବୁକିଛି ପ୍ରଭୁଙ୍କ ଉପରେ ଛାଡ଼ି ଦେଇଛି। ୨୦୨୬ ମେ ମାସରେ ମୁଁ ବୃନ୍ଦାବନ ଚାଲି ଆସିଲି। ଦୀକ୍ଷା ନେଲି। ପ୍ରଣବୀ ଏବେ ଭାଗବତୀ ହୋଇ ଯାଇଛନ୍ତି। ଏହା ତାଙ୍କର ନୂଆ ପରିଚୟ। ସେ ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ରହି କୃଷ୍ଣ ଭକ୍ତି ଓ ନାମ ଜପ କରୁଛନ୍ତି।

