fbpx

ଆସୁଛି ବାତ୍ୟା ଜୱାଦ; ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ପୁରୀ ଜିଲ୍ଲାପାଳ

ପୁରୀ: ସମ୍ଭାବ୍ୟ ବାତ୍ୟା ନେଇ ପୁରୀ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ । ଜିଲ୍ଲାର ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଜିଲ୍ଲାପାଳ । ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ଓ କ୍ଷୟକ୍ଷତି ଆକଳନକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ।

ଅଗ୍ନିଶମ, ବିଦ୍ୟୁତ, ଗ୍ରାମ ଉନ୍ନୟନ, ପୂର୍ତ୍ତ, ଡାକ୍ତରୀ ଦଳକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ମହଜୁଦ ରଖିବା ସହ ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ । ଆଶ୍ରୟସ୍ଥଳୀରେ କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦେବା,ସଚେତନତା ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବ ଓ ୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହେବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩ ତାରିଖ ମଧ୍ୟରାତ୍ରିରୁ ପବନର ବେଗ ବଢ଼ିବ । ଏହାର ପ୍ରଭାବରେ ୪୦ରୁ ୪୫ କିମି ବେଗରେ ବହିପାରେ । ୪ ତାରିଖ ଦିନ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ ବାତ୍ୟା । ୪ ତାରିଖ ଦିନ ବର୍ଷା ଓ ପବନର ବେଗବଢ଼ିବ ଓ ୫ ତାରିଖରେ କେବଳ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.