fbpx

“ୟଶ୍’ ରଚିଲା ତାଣ୍ଡବ: କୂଳ ଲଂଘିଲା ସମୁଦ୍ର, ଘରେ ପଶିଲା ପାଣି, ୩ ମୃତ

ଭୁବନେଶ୍ୱର (ଓଡ଼ିିଶା ଭାସ୍କର): ବୁଧବାର ସକାଳ ୯ଟା ବେଳେ ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣଭାଗରେ ଲ୍ୟାଣ୍ଡ୍‌ଫଲ୍‌ କରିଛି ବାତ୍ୟା “”ୟଶ୍” । ଅର୍ଥାତ ରେମୁଣା-ବାହାନଗା ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୫୦ କି.ମି. ମଧ୍ୟରେ ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡ଼ି) ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ୩ରୁ ୪ ଘଣ୍ଟା ଧରି ଚାଲିଥିଲା । ଅପରାହ୍ନ ପ୍ରାୟ ୧ଟା ସମୟରେ ଲ୍ୟାଣ୍ଡ୍‌ଫଲ୍‌
ପ୍ରକ୍ରିୟା ଶେଷ ହୋଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଲ୍ୟାଣ୍ଡ୍‌ଫଲ୍‌ ପରେ ବାତ୍ୟା ନୀଳଗିରି ଓ ମୟୂରଭଞ୍ଜ ଦେଇ ଝାଡ଼ଖଣ୍ଡ ଅଭିମୁଖେ ଗତି କରୁଛି ଓ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ତେବେ ଏହି ବାତ୍ୟା ଯେଉଁ ଆକାରର କ୍ଷୟକ୍ଷତି ଘଟାଇବ ବୋଲି ଆକଳନ କରାଯାଉଥିଲା ସେହିପରି ହୋଇନଥିଲେ ମଧ୍ୟ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଗଛ ପଡ଼ି କେନ୍ଦୁଝରରେ ଜଣେ ଓ ବାଲେଶ୍ୱରରେ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଅଧିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍‌ଆର୍‌ସି ଶ୍ରୀ ଜେନାକହିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲୀ ଗ୍ରାମରେ ପୂର୍ଣ୍ଣଚନ୍ଦ୍ର ନାୟକ ନାମକ ବ୍ୟକ୍ତି ବୁଧବାର ସକାଳେ ଚାଲି ଚାଲି ନିକଟସ୍ଥ ମଠକୁ ଯାଇ ଫେରୁଥିଲେ । ହଠାତ୍‌ ଏକ ବରଗଛର ବଡ଼ ଡାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଏହାପରେ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ସେହିପରି ବାଲେଶ୍ୱର ଜିଲ୍ଲାରେ ଜଣେ ଯୁବକ ବାତ୍ୟା ଆଶ୍ରୟସ୍ଥଳୀରେ ଥିଲେ । ଜବରଦସ୍ତି ସେ ଘରକୁ ଯିବାକୁ ବାହାରିଥିଲେ ଓ ଘରକୁ ଗଲାବେଳେ ଗଛ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ବାତ୍ୟା ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଏସ୍‌ଆର୍‌ସି ସୂଚନା ଦେଇଥିବା ବେଳେ ମୟୁରଭଞ୍ଜର ବାରିଦାଠାରେ କଚ୍ଚା ଘର କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ବାତ୍ୟାଜନିତ କ୍ଷୟକ୍ଷତି ଆକଳନ କରାଯାଇଛି । ବାତ୍ୟା ଯୋଗୁଁ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ , କଟକ, ଢ଼େଙ୍କାନାଳ, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ନୀଳଗିରିରେ ପ୍ରବଳ ବର୍ଷା ଓ ପବନ ହୋଇଛି । ବାତ୍ୟା ୟାସ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ୪ ଜିଲ୍ଲା ଯଥା ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରର ତଳିଆ ଅଞ୍ଚଳରେ ଥିବା ୧୨୮ଟି ଗ୍ରାମ ଜଳମଗ୍ନ ହୋଇଛି। ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ଆହୁରି ଅଧିକ ପାଣି ଜମା ହେବ ବୋଲି ଆଶଙ୍କା କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜର କୁସୁମିରେ ୩ଶହ ମିଲିମିଟର, ରାଜନଗରରେ ୨୭୫, ଏରସମାରେ ୨୭୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ବାଲେଶ୍ୱରରେ ମଧ୍ୟ ବାତ୍ୟା ୟାସ ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱର ବସ୍ତା ଓ ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳରେ ବର୍ଷା ପାଣି ପଶି ଯାଇଛି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ଅବସ୍ଥାରେ ଅଛନ୍ତି କେତେକ ଗ୍ରାମବାସୀ । ଗାଁ ଭିତରେ ଅଣ୍ଟାଏ ଉଚ୍ଚରେ ପାଣି ଜମି ରହିଛି । ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସହାୟତା କରିଛନ୍ତି । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବାତ୍ୟା ୟାସ ପ୍ରଭାବ ଦେଖିବାକୁ ମିଳିଛି । ବଡ ବଡ ଗଛ ଉପୁଡି ପଡିବା ସହ କେତେକ ସ୍ଥାନରେ ଘର ଦ୍ୱାର ନଷ୍ଟ ହୋଇଥିବା ଖବର ଆସିଛି । ଏଥିସହ ବର୍ଷା ଲାଗି ରହିଛି ।

ଏଥିସହ ଜିଲ୍ଲାରେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ବାତ୍ୟା ପ୍ରଭାବରେ ସମୁଦ୍ରରେଉଚ୍ଚ ଜୁଆର ଦେଖିବାକୁ ମିଳିଛି । ବାଲେଶ୍ୱରର ଚାନ୍ଦିୁରର ବୁଧବାର ସକାଳୁ ଅତି ଭୟଙ୍କର ଭାବେ ଉଚ୍ଚ ଜୁଆର କୂଳରେ ମାଡ ହୋଇଛି । ବାତ୍ୟା ୟାସର ପ୍ରଭାବ ସମୁଦ୍ର ଉପକୂଳବର୍ତ୍ତି ଗାଁ ଗୁଡ଼ିକରେ ଦେଖିବାକୁ ମିଳିଛି । ବାଲେଶ୍ୱର ବସ୍ତା ଓ ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳରେ ବର୍ଷା ପାଣି ପଶିଯାଇଛି । ଏପରିକି ଗାଁ ଭିତରେ ଅଣ୍ଟାଏ ଉଚ୍ଚରେ ପାଣି ଜମି ରହିଛି । ଉଦ୍ଧାରକାରୀ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ସହାୟତା କରିଛନ୍ତି ।

ସେହିପରି ବାଲେଶ୍ୱର ଜାମକୁଣ୍ଡା ପଞ୍ଚାୟତର ତାଳପଦା ଗାଁରେ ପ୍ରବଳ ବେଗରେ ପାଣି ପଶିବାର ଦେଖିବାକୁ ମିଳିଛି । ବାଲେଶ୍ୱର ବାଲିଆପାଳର ପାକମୁଣ୍ଡି ଗାଁ ତଳିଆ ଅଞ୍ଚଳରେ ରହିଛି । ଭୋଗରାଇ ବ୍ଲକର ତାଳସାରି ବେଳାଭୂମି ସହିତ ସମୁଦ୍ର ତଟବର୍ତ୍ତି ମଟିକେଞ୍ଚା,କିଟର୍ତନୀୟା ମୁହାଁଣର ବ୍ୟାପକ ଅଞ୍ଚଳରେ ୫ଫୁଟ ଉଚ୍ଚରେ ଜୁଆର ପାଣି ମାଡ଼ିଯାଇଛି । ବହୁ ଗାଁରେ ପାଣି ପଶିବା ସହ ଦୋକାନ ଘରେ ମଧ୍ୟ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବାତ୍ୟା ସମୟରେ ପାରାଦୀପ ଅଠରବାଙ୍କି ରାମଚଣ୍ଡି ପଡ଼ା ଲୋକେ ଏକ ବିଦଶଙ୍କୁଳ ବ୍ରିଜ୍‌ ତଳେ ରାତିସାରା ଆଶ୍ରୟ ନେଇଥିଲେ ।

ମହାମାରୀ କରୋନା ଭୟରେ ବାତ୍ୟା ଆଶ୍ରୟସ୍ଥଳୀକୁ ନଯାଇ ୧୫୦ ଜଣ ଲୋକ ବ୍ରିଜ ତଳେ ରାତିସାରା ରହିଥିଲେ । ସମସ୍ତେ ଘରୁ ଖାଇବା ପାଇଁ ଖାଦ୍ୟ ଓ ପାଣି ନେଇ ସେଠାରେ ରହିଥିଲେ । ଖବର ପାଇ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଉଦ୍ଧାର କରିଥିଲେ । ସମୁଦ୍ର ପାଣି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଜମୁନାଶୁଳ, କଙ୍କଡ଼ାପାଳ, ଡଗାରା, ଜାମକୁଣ୍ଡା, ଆମ୍ୱଚୁଆ ଏବଂ ଭୋଗରାଇ ବ୍ଲକର ତାଳଶାରୀ, ଉଦୟପୁର, ଭମ୍ଭାରିଆ, ଉଷ୍ମନଗର, ବିଚିତ୍ରୁର, କୁମ୍ଭିରଗଡ଼ି ପ୍ରମୁଖ ଗାଁରେ ପଶି ଯାଇଥିବା ଦେଖିବାକୁ ମିଳିଛି ।

ସମୁଦ୍ର ପାଣି ଘରେ ପଶି ସମସ୍ତ ଆସବାବପତ୍ର ଭସାଇ ନେଇଥିବା ଅଭିଯୋଗ ହୋଇଛି । ସୌଭାଗ୍ୟକୁ ଘରେ କୌଣସି ଲୋକ ନଥିବା ଏବଂ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିବାରୁ ସେମାନଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ପାଣି ମାଡ଼ରେ କେତେକ ଘର ଭାଙ୍ଗି ଯାଇଛି । ବାତ୍ୟାରେ କେବଳ ବାଲିଆପାଳ ଓ ଭୋଗରାଇ ବ୍ଲକ କ୍ଷତିଗ୍ରସ୍ତ ହୋଇନାହିଁ । ସମଗ୍ର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବାଲେଶ୍ୱର ସଦର ମହକୁମାର ଚାନ୍ଦିୁର, ବଳରାମଗଡ଼ ପ୍ରମୁଖ ଅଞ୍ଚଳରେ ସମୁଦ୍ରର ଲୁଣା ପାଣି ପଶିଛି । ଏଥିରେ ବହୁ କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି । ଏହାଛଡ଼ା ପବନରେ ବହୁ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି ।

ଭଦ୍ରକସ୍ଥିତ ଜାତୀୟ ରାଜପଥର ଜାମୁଝାଡ଼ିରୁ ବାସୁଦେବପୁର ଅଭିମୁଖେ ଯାଉଥିବା ରାସ୍ତାକୁ ଖୋଳିଦେଇଛନ୍ତି ଜଳବନ୍ଦୀ ଥିବା ଗାଁ ଲୋକେ । ଫଳରେ ଉକ୍ତ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି । ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ୨୮୮ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ପାଣି ନିଷ୍କାସିତ ହୋଇନପାରି ଘରେ ପଶୁଥିବା ଅଭିଯୋଗ ହୋଇଛି । ପାଖାପାଖି ୧୦ ଖଣ୍ଡରୁ ଅଧିକ ଗାଁର ଲୋକେ ଜଳବନ୍ଦୀ ଜୀବନ ଅତିବାହିତକରୁଛନ୍ତି । ସେମାନଙ୍କ ପାଖରେ ପ୍ରଶାସନ ନପହଞ୍ଚିବାରୁ କିଛି ଉପାୟ ନପାଇ ଗାଁ ଲୋକେ ଭଦ୍ରକ-ବାସୁଦେବପୁର ରାସ୍ତାକୁ ଖୋଳି ପକାଇଛନ୍ତି ।

ସେପଟେ ଭଦ୍ରକ ସହରାଞ୍ଚଳର ସରକାର ନଗର ନିକଟରେ ବର୍ଷା ପାଣିରେ କାର ଭାସୁଥିବା ଦେଖିବାକୁ ମିଳିଛି । କାର ଗୁଡ଼ିକ ମରାମତି ପାଇଁ ଗ୍ୟାରେଜରେ ନିକଟରେ ଛିଡ଼ା ହୋଇଥିଲା । ତେବେ ଗତ ଦୁଇ ଦିନ ଧରି ହୋଇଥିବା ବର୍ଷା ପାଣି ଗାଡିଗୁଡ଼ିକ ଭାସୁଥିବା ଦେଖିବାକୁ ମିଳିଛି ।ବାତ୍ୟା “ୟଶ୍’ ପରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଛି । ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଯାତାୟତ ବ୍ୟବସ୍ଥା ଠପ୍‌ ହୋଇପଡ଼ିଥିଲା । ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବାହିନୀ ଏବଂ ପୋଲିସ ଅଧିକାରୀ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି ।କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଖୁଣ୍ଟଗୁଡ଼ିକର ମରାମତି କାର୍ଯ୍ୟ ଆରମ୍ଭ କରାଯିବା ସହ ବିଦ୍ୟୁତ ଯୋଗାଯୋଗ ବ୍ୟବସ୍ଥା ପୁଣି ଚାଲୁ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବାତ୍ୟା ୟାସର ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ଶେଷ ହୋଇଛି ।

ପାରାଦୀପକୁ ଆଉ କୌଣସି ବିଦ ନଥିବାରୁ ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରୁଛନ୍ତି । ଲୋକଙ୍କ ଜୀବନ ପ୍ରତି ବିଦ ଥିବାରୁ କଚ୍ଚା ଘରୁ ସେମାନଙ୍କୁ ଉଦ୍ଧାର କରି ପ୍ରଶାସନ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରଖିଥିଲେ । ବାତ୍ୟାର ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ଶେଷ ହେବା ପରେ ଲୋକେ ତାଙ୍କ ଆସବାବପତ୍ର ଧରି ଘରକୁ ଫେରିବା ସହ ପ୍ରଶାସନର ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଲେଶ୍ୱରରେ ରିଲିଫ୍‌ ଓ ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବାଲେଶ୍ୱର ପଠାଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱରରେ ଗସ୍ତ କରି ସମୀକ୍ଷା କରିଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତ୍ରିକାଶ ପାଣିଗ୍ରାହୀ ମଧ୍ୟ ସେଠାରେ ରହିଛନ୍ତି । ଏହି ମନ୍ତ୍ରୀମାନେ ଏବେ ଜିଲ୍ଲାରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.