ଅଗଷ୍ଟ ୧୫ ସୁଦ୍ଧା ଜେଲରୁ ମୁକୁଳିବେ ଦାରା ସିଂ: ଓକିଲ

୧୯୯୯ ମସିହା ଜାନୁଆରୀ ୨୧ ତାରିଖରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଘଟିଥିଲା ଲୋମ ଟାଙ୍କୁରା ଘଟଣା।

ନୂଆଦିଲ୍ଲୀ: କେନ୍ଦୁଝର ଜିଲ୍ଲା ମନୋହରପୁରରେ ଘଟିଥିବା ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅ ହତ୍ୟା ମାମଲାରେ ଅଭିଯୁକ୍ତ ଦାରା ସିଂ ଜେଲ୍‌ରୁ ମୁକୁଳିବେ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଲେ ଦାରା ସିଂଙ୍କ ଓକିଲ ଏପି ସିଂ।

ସେ କହିଛନ୍ତି; ଯଦି ଅଗଷ୍ଟ ୧୫ ସୁଦ୍ଧା ନଛାଡ଼ନ୍ତି, ତା’ହେଲେ ଅଗଷ୍ଟ ୧୯ ତାରିଖରେ ପୁଣି ଶୁଣାଣି ହେବ। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲା। ଦୀର୍ଘ ୨୬ ବର୍ଷ ଧରି ଜେଲ୍‌ରେ ଦାରା ସିଂ ରହିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି।

୧୯୯୯ ମସିହା ଜାନୁଆରୀ ୨୧ ତାରିଖରେ କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଘଟିଥିଲା ଲୋମ ଟାଙ୍କୁରା ଘଟଣା। ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅ ରାତିରେ ଗାଡ଼ି ଭିତରେ ଶୋଇଥିବା ବେଳେ ନିଆଁ ଲଗାଇ ଦିଆଯାଇଥିଲା। ଯାହାଫଳରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଘଟଣା ସମଗ୍ର ବିଶ୍ୱରେ ଆଲୋଡ଼ନ ଖେଳାଇ ଦେଇଥିଲା।

Uttarakhand Govt.

ଏନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେହି ବର୍ଷ ଜାନୁଆରୀ ୩୧ ତାରିଖରେ ଦାରା ସିଂଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଡିଜିପି ୱାବି ଖୁରାନିଆ ସେତେବେଳେ କେନ୍ଦୁଝରରେ ଏସ୍‌ପି ଥିଲା ବେଳେ ଦାରା ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୨୦୦୩ ମସିହାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ଯାହାକୁ ୨୦୧୧ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ।

ପରବର୍ତ୍ତୀ ସମୟରେ ଜେଲରୁ ମୁକୁଳିବା ପାଇଁ ସେ ସୁପ୍ରିମ କୋର୍ଟରେ ମର୍ସି ପିଟିସନ ଦାଖଲ କରାଯାଇଥିଲା। ସେତେବେଳେ ସୁପ୍ରିମକୋର୍ଟରେ ଦାରା ସିଂ କରିଥିବା ଆବେଦନରେ ଦର୍ଶାଇଛନ୍ତି କି, ଆଜୀବନ ସଜ୍ଜାର ଅବଧି ୧୪ ବର୍ଷ। କିନ୍ତୁ ସେ ଏହାଠୁ ଢେର ଅଧିକ ଅର୍ଥାତ ୨୪ ବର୍ଷରୁ ଅଧିକ ଜେଲରେ ରହିଲେଣି।

ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଜୁଲାଇ ୬ରେ ଅନୁଷ୍ଠିତ ବୈଠକରେ ଦାରା ସିଂଙ୍କ ସମେତ ୫୬ ଜଣ ଆଜୀବନ କଏଦୀଙ୍କ ଆଚରଣ ଓ ଦୀର୍ଘ ଦିନର ଜେଲ୍ ଦଣ୍ଡକୁ ଆଧାର କରି ସମୟ ପୂର୍ବରୁ ମୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ ପଠାଇଥିଲେ।