ପ୍ରେମିକାଙ୍କ ପ୍ରେମ ପାଇବା ପାଇଁ ପତ୍ନୀଙ୍କୁ ମାରିଦେଲା ବିଡିଓ!
ମନୋଜ କୁମାର ଓ ଅନୁ କୁମାରୀଙ୍କ ପ୍ରଥମ ଦେଖା ମୁଜାଫରପୁରରେ ହୋଇଥିଲା। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା
ଦରଭଙ୍ଗା: ରଙ୍ଗୀଲା ବିଡିଓ। ବିବାହ ପରେ ପୋଲିସବାଲୀ ପ୍ରେମିକାଙ୍କୁ ମନ ଦେଇଥିଲେ! ପତ୍ନୀଙ୍କୁ ଛାଡ଼ି ପ୍ରେମିକାଙ୍କ ସହିତ ସମୟ ବିତାଉଥିଲେ। ହେଲେ ପତ୍ନୀ ବିରୋଧ କରିବାରୁ ଦେଲେ ଅକଥନୀୟ ନିର୍ଯାତନା। ନିର୍ଯାତନା ଅକଥନୀୟ ହେବାରୁ ଅଫେରା ପଥରେ ଚାଲିଗଲେ ପତ୍ନୀ। ଏପରି ହୃଦୟବିଦାରକ ଘଟଣା ବିହାର ଦରଭଙ୍ଗା ଜିଲ୍ଲାରେ ଘଟିଛି।
ମନୋଜ କୁମାର ଓ ଅନୁ କୁମାରୀଙ୍କ ପ୍ରଥମ ଦେଖା ମୁଜାଫରପୁରରେ ହୋଇଥିଲା। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ସେବେଠାରୁ ଉଭୟ ଯୋଗାଯୋଗରେ ରହିଥିଲେ। ସେପଟେ ଅନୁ କୁମାରୀଙ୍କ କଲେଜ ବାନ୍ଧବୀ ହେଉଛନ୍ତି ଅମ୍ରିତା କୁମାରୀ।
ପରବର୍ତ୍ତୀ ସମୟରେ ମନୋଜ କୁମାର ଦରଭଙ୍ଗା ଜିଲ୍ଲାରେ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ଭାବେ ଚାକିରି କରିଥିଲେ। ଆଉ ତାଙ୍କ ବାନ୍ଧବୀ ଅନୁ କୁମାରୀ ବେଗୁସରାଇରେ ଏଏସଆଇ ନିଯୁକ୍ତି ପାଇଥିଲେ। ଚାକିରି ପାଇବା ପରେ ଉଭୟ ନିଜ ପ୍ରଫେସନ୍କୁ ନେଇ ବ୍ୟସ୍ତ ଥିଲେ। ମଝିରେ ମଝିରେ କଥାବାର୍ତ୍ତା ହେଉଥିଲେ।
୨୦୨୨ ଡିସେମ୍ବରରେ ଅମ୍ରିତାଙ୍କୁ ବିବାହ କରିଥିଲେ ମନୋଜ। ବିବାହ ପରେ ପାରିବାରିକ ସମ୍ପର୍କ ଠିକ୍ଠାକ୍ ଥିଲା। ତେବେ ଯୌତୁକ ପାଇଁ ହଠାତ୍ ଉଭୟଙ୍କ ସଂସାରରେ ଉଠିଲା ଅଶାନ୍ତିର ଝଡ଼। ଯୌତୁକ ପାଇଁ ଅମ୍ରିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଅନ୍ୟପକ୍ଷରେ ଅନୁ କୁମାରୀଙ୍କ ନିକଟତର ହୋଇଥିଲେ ମନୋଜ। ଉଭୟ ପରସ୍ପରକୁ ଭଲ ପାଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଅମ୍ରିତା ଜାଣିଥିଲେ। ଏପରିକି ମନୋଜଙ୍କୁ ବିରୋଧ କରୁଥିଲେ ବୋଲି ଅମ୍ରିତାଙ୍କ ଭାଇ ରାଜକୁମା ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ଅମ୍ରିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା।
ଭାଇ ରାଜକୁମାଙ୍କ କହିବା ଅନୁସାରେ ଅମ୍ରିତାଙ୍କ ମୃତ୍ୟୁ ଦିନ ମନୋଜ କୁମାର ଓ ତାଙ୍କ ପ୍ରେମିକା ଅନୁ କୁମାରୀ ପାଟନାରେ ଏକ ହୋଟେଲରେ ରହିଥିଲେ। ସେମାନେ ଅମ୍ରିତାଙ୍କ ପାଖକୁ ଭିଡିଓ କଲ କରିଥିଲେ। ତା’ପରେ ଅମ୍ରିତା ଚରମ ନିଷ୍ପତ୍ତି ନେଇଥିଲେ। ପୋଲିସ ସେହି ସବୁ ତଥ୍ୟକୁ ଯାଞ୍ଚରେ ସାମିଲ କରିଛି।
ଅଧିକାରୀମାନେ କହିଛନ୍ତି; ଫୁଟେଜ୍ରେ ଅମୃତାଙ୍କୁ ଆକ୍ରମଣ କରାଯାଇଥିବା ଦେଖାଯାଉଛି। ଏହି ଫୁଟେଜ୍କୁ ଆଧାର କରି ମାମଲାର ବିଭିନ୍ନ ଦିଗ ଉପରେ ତଦନ୍ତ ଚାଲିଛି। ପୋଲିସ ଅମୃତା କୁମାରୀଙ୍କ ଦୁଇଟି ମୋବାଇଲ୍ ଫୋନ୍, ଗୋଟିଏ ଟାବଲେଟ୍ ଓ ଗୋଟିଏ ଲାପଟପକୁ ଖୋଜୁଛି।
ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଏହି ଇଲେକ୍ଟ୍ରୋନିକ୍ ଡିଭାଇସ୍ଗୁଡ଼ିକରେ ନିର୍ୟାତନା ଓ ଘଟଣା କ୍ରମ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ରହିଛି। କିନ୍ତୁ ଡିଭାଇସ୍ଗୁଡ଼ିକୁ ଗାଏବ କରି ଦିଆଯାଇଛି। ପୋଲିସ ବୈଷୟିକ ନିରୀକ୍ଷଣ ବ୍ୟବହାର କରି ଏହି ଜିନିଷଗୁଡ଼ିକୁ ଖୋଜୁଛି। ଏହା ସହିତ ବିଡିଓ ମନୋଜ କୁମାର ଓ ପ୍ରେମିକା ଏଏସଆଇ ଅନୁ କୁମାରୀଙ୍କ ମୋବାଇଲ୍ ଫୋନ୍ର ଫରେନ୍ସିକ ଯାଞ୍ଚ ପାଇଁ ପଠାଇ ଦେଇଛି।
ମୁଜାଫରପୁର ପୋଲିସ କହିବା ଅନୁଯାୟୀ, ତଦନ୍ତ ସମୟରେ ମୋବାଇଲ୍ ଚାଟ୍, କଲ୍ ବିବରଣୀ, ଲୋକେସନ୍ ଡାଟା ଓ ସିସିଟିଭି ଫୁଟେଜ ସମେତ ବୈଷୟିକ ପ୍ରମାଣ ସାମ୍ନାକୁ ଆସିଥିଲା। ଏହି ପ୍ରମାଣକୁ ଆଧାର କରି ବିଡିଓ ମନୋଜ ଓ ଏଏସଆଇ ଅନୁ କୁମାରୀଙ୍କୁ ଏକାଠି ପଚରାଉଚରା କରିଥିଲା। ଯଦିଓ ସେମାନେ ପ୍ରାରମ୍ଭରେ ଅନେକ ଅଭିଯୋଗକୁ ଅସ୍ୱୀକାର କରିଥିଲେ। କିନ୍ତୁ ବୈଷୟିକ ପ୍ରମାଣ ଉପସ୍ଥାପନ ହେବା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଥିବା କଥା ସାମ୍ନାକୁ ଆସିଥିଲା।
ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲା। କୋର୍ଟ ବିଡିଓ ମନୋଜ କୁମାରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କିନ୍ତୁ ବ୍ୟକ୍ତିଗତ ମୁଚାଲିକା ବଣ୍ଡରେ ଏଏସ୍ଆଇ ଅନୁ କୁମାରୀଙ୍କୁ ମୁକ୍ତ କରିଛନ୍ତି କୋର୍ଟ।
ବିଡିଓଙ୍କ ବ୍ୟତୀତ ତାଙ୍କ ବାପାମା, ଭାଇ ଓ ଭଉଣୀଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି।

