fbpx

ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମେଡିସିନ୍ 2-DG କୁ ମିଳିଲା ଆପାତ୍ତକାଳୀନ ମଞ୍ଜୁରୀ

ନୂଆଦିଲ୍ଲୀ, ୦୮ । ୦୫ (ଓଡ଼ିଶା ଭାସ୍କର)  : କରୋନା ମହାମାରୀରେ ହନ୍ତସନ୍ତ ହେଉଥିବା ଭାରତୀୟଙ୍କ ପାଇଁ ଖୁସି ଖବର । କୋଭିଡ୍ ମୁକାବିଲା ପାଇଁ ଆଉ ଏକ ମେଡିସିନ୍ କୁ ଅନୁମତି ମିଳିଛି । ଡିଆରଡିଓର ଏକ ଲ୍ୟାବ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର୍ ମେଡିସିନ୍ ଆଣ୍ଡ ଏଲାଇଡ୍ ସାଇନ୍ସ ଦ୍ୱାରା ପ୍ରସ୍ତୁତ ହେଉଥିବା କୋଭିଡ୍ ମେଡିସିନ୍ 2-DG କୁ ଆପାତ୍ତକାଳୀନ ଅନୁମତି ପ୍ରଦାନ କରାଯାଇଛି । ଏହାର କ୍ଲିନିକାଲ୍ ଟ୍ରାଏଲ୍ ରୁ ଜଣାପଡିଛି ଯେ, ଏହାର କୋଭିଡ୍ ରୋଗୀଙ୍କୁ ଶୀଘ୍ର ଠିକ୍ କରିବା ପାଇଁ ବେଶ୍ ସହାୟକ ହେବ । ଖାଲି ସେତିକି ନୁହେଁ ବରଂ ଏହା ରୋଗୀଙ୍କୁ ଦରକାର ପଡୁଥିବା ଅଧିକ ଅକ୍ସିଜେନର ମାତ୍ରା ମଧ୍ୟ କମାଇବ । ଯାହା ଫଳରେ ଅକ୍ସିଜେନର ବ୍ୟବହାର ବି କମ୍ ହୋଇଯିବ । ଏହାକୁ ଆଜି ଡିସିଜିଆଇ ପକ୍ଷରୁ ଭାରତରେ ବ୍ୟବହାର କରିବା ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଏହି ଔଷଧକୁ ନେଉଥିବା ରୋଗୀ ଖୁବ୍ ଶୀଘ୍ର କରୋନା ମୁକ୍ତ ହେଉଥିବା ଜଣାପଡିଛି । ଦାବି କରାଯାଇଛି ଯେ, ଏହାକୁ ନେଇଥିବା କରୋନା ଆକ୍ରାନ୍ତ ମାନଙ୍କ ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଏହି ଔଷଧ ପାଉଡର୍ ପରି ହୋଇଥିବା ବେଳେ ଏହାକୁ ପାଣିରେ ମିଶାଇ ପିଇବାକୁ ପଡେ । ଏହି 2-DG ସଂକ୍ରମିତ କୋଷଗୁଡିକରେ ବୃଦ୍ଧି ପାଇ ଭୁତାଣୁ ସଂଶ୍ଳେଷଣକୁ ରୋକିଥାଏ ।

ଏହି ଔଷଧକୁ ଡିଆରଡିଓ ଏବଂ ଡ.ରେଡ୍ଡିଜ୍ ଲାବରୋଟୋରୀ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି । ୨୦୨୦ ମେ ରୁ ଅକ୍ଟୋବର ମଧ୍ୟରେ ହୋଇଥିବା ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହି ଔଷଧ ଖୁବ୍ ପ୍ରଭାବଶାଳୀ ପ୍ରମାଣିତ ହୋଇଥିଲା । ଆଉ ଏହାକୁ ପ୍ରୟୋଗ କରାଯାଇଥିବା ରୋଗୀଙ୍କ ମଧ୍ୟରେ ଖୁବ୍ ଶୀଘ୍ର ରିକଭରୀ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଏହାର ପରୀକ୍ଷଣ ୧୧୦ ଜଣ ରୋଗୀଙ୍କ ଶରୀରରେ କରାଯାଇଥିବା ବେଳେ ଏହା ସେମାନଙ୍କ ଠାରେ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା ।

Get real time updates directly on you device, subscribe now.