ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍ ଖାଦ୍ୟରୁ ମଲା ବେଙ୍ଗ ମିଳିବା ଅଭିଯୋଗ
ଜଣ୍ଡିସ୍ ଆତଙ୍କ ମଧ୍ୟରେ ଖାଦ୍ୟର ମାନକୁ ନେଇ ଉଠିଲା ପ୍ରଶ୍ନ, ୨ ଛାତ୍ରୀ ଜଣ୍ଡିସ୍ରେ ଆକ୍ରାନ୍ତ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ୍ ଖାଦ୍ୟରୁ ମଲା ବେଙ୍ଗ ମିଳିଥିବା ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟର ବାଳିକା ହଷ୍ଟେଲ୍ ନମ୍ବର-୭ରେ ଛାତ୍ରୀମାନଙ୍କୁ ଦିଆଯାଇଥିବା ଖାଦ୍ୟରୁ ଏକ ମଲା ବେଙ୍ଗ ମିଳିଥିବା ଜଣାପଡ଼ିଛି। ଏହି ଘଟଣା ପରେ ହଷ୍ଟେଲ୍ରେ ଦିଆଯାଉଥିବା ଖାଦ୍ୟର ମାନ ଓ ପରିଚ୍ଛନ୍ନତାକୁ ନେଇ ପ୍ରଶ୍ନ ଉଠିଛି।
ମଙ୍ଗଳବାର ରାତିରେ ଛାତ୍ରୀମାନଙ୍କୁ ରାତ୍ରିଭୋଜନରେ ଚିଲି ସୋୟାବିନ୍ ତରକାରୀ ଦିଆଯାଇଥିଲା। ଏହି ତରକାରୀରୁ ମଲା ବେଙ୍ଗ ମିଳିଥିବା ଅଭିଯୋଗ ହୋଇଛି। ଏପଟେ ବିଶ୍ୱବିଦ୍ୟାଳୟରେ ଅନେକ ଛାତ୍ରୀ ଅସୁସ୍ଥ ହେଉଥିବା ବେଳେ ଖାଦ୍ୟରୁ ଏଭଳି ଜିନିଷ ମିଳିବା ଘଟଣା ଚିନ୍ତା ବଢ଼ାଇଛି।
ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟର ବାଳିକା ହଷ୍ଟେଲ୍ଗୁଡ଼ିକରେ ରହୁଥିବା ଛାତ୍ରୀଙ୍କ ମଧ୍ୟରେ ଜଣ୍ଡିସ୍ ରୋଗ ବ୍ୟାପୁଥିବା ଖବର ମିଳିଛି। ହଷ୍ଟେଲ୍ ନମ୍ବର-୭ର ଦୁଇ ଜଣ ଛାତ୍ରୀଙ୍କ ରିପୋର୍ଟରେ ଜଣ୍ଡିସ୍ ଚିହ୍ନଟ ହୋଇଛି। ଏହାସହ ୧୦ରୁ ଅଧିକ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି।
କେତେକ ଛାତ୍ରୀ ଝାଡ଼ା ଓ ବାନ୍ତିରେ ମଧ୍ୟ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଅସୁସ୍ଥତାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ହଷ୍ଟେଲ୍ରେ ଦିଆଯାଉଥିବା ଖାଦ୍ୟ ଓ ପିଇବା ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି।
ଅନ୍ୟପକ୍ଷରେ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛି। ଏହି ଟିମ୍ ହଷ୍ଟେଲ୍ର ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।
ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ପକ୍ଷରୁ କିଛି ପଦକ୍ଷେପ ନିଆଯାଇଛି। ହଷ୍ଟେଲ୍ ଛାତ୍ରୀଙ୍କ ପାଇଁ ୧୫୦୦ ଲିଟର ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ଗରମ ପାଣି ପାଇଁ ବଏଲର୍ ଲଗାଯାଇଛି।
ସେହିପରି, ଅଧିକ ସ୍ୱାସ୍ଥ୍ୟ ସମସ୍ୟା ନବଢ଼ିବା ପାଇଁ କ୍ୟାମ୍ପସ୍ରେ ଥିବା ସମସ୍ତ ଖାଦ୍ୟ ଦୋକାନକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏହାସହ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି।


