ହଠାତ୍ ଗାଏବ ହୋଇଯାଉଛି ରାସ୍ତା; ଦୂର ଦୂର ଯାଏଁ ଦିଶୁନି କିଛି, ସାରା ଦେଶରେ ଚିନ୍ତା ବଢାଇଲାଣି ରାଜଧାନୀ ଦିଲ୍ଲୀ ବାୟୁ ପ୍ରଦୂଷଣ…

ରାଜଧାନୀରେ ବହୁଛି ବିଷାକ୍ତ ବାୟୁ !

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଦିଲ୍ଲୀ ପରିସ୍ଥିତି। ବାୟୁ ଗୁଣବତ୍ତା ଅତ୍ଯନ୍ତ ଖରାପ ସ୍ଥିତି ଦେଇ ଗତି କରୁଛି। କିଏ ମୁହଁରେ ମାସ୍କ ଲଗାଇ ପଦାକୁ ବାହାରୁଛନ୍ତି ତ ଆଉ କିଏ ଗୋଡ ଠାରୁ ମୁଣ୍ଡ ଘୋଡାଇ ହୋଇ ବାହାରକୁ ବାହାରୁଛି। ଦିଲ୍ଲୀ ବାସୀଙ୍କୁ ଡରାଉଛି ଭୟଙ୍କର ପ୍ରଦୂଷଣ।

ତେବେ ଏହା କିଛି ନୂଆ କଥା ନୁହେଁ। କାରଣ ପ୍ରତିବର୍ଷ ଶୀତଋତୁ ଆସିବା ମାତ୍ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ଯନ୍ତ ଖରାପ ସ୍ତରକୁ ଚାଲିଯାଏ। ଏହାର ଆଖପାଖ ରାଜ୍ଯଗୁଡିକରେ ଏହି ସମୟରେ ବିଲରୁ ବାହାରୁଥିବା ନଡା ଜାଳିବାରୁ ଧୁଆଁ ଯୋଗୁଁ ଅଧୁକ ପ୍ରଦୂଷଣ ହେଉଥିବା କୁହାଯାଉଥିଲା।

ମାତ୍ର ଏଥିରେ ନିୟନ୍ତ୍ରଣ କରିବା ପରେ ମଧ୍ୟ ଏବେ ଯାଏଁ କିଛି ବି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଅର୍ଥାତ ଆଗଭଳି ଏବେ ବି ଦିଲ୍ଲୀ ବାୟୁର AQI ଅତ୍ଯନ୍ତ ଖରାପ ରହିଛି।

ରାଜଧାନୀରେ ବିଷାକ୍ତ ବାୟୁ ଗୁଣବତ୍ତା ଉପରେ ବୃଦ୍ଧି ପାଉଥିବା ଚିନ୍ତା ମଧ୍ୟରେ, ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ପ୍ରମୁଖ ହେଉଛି  ‘ନୋ ପିୟୁସି, ନୋ ଇନ୍ଧନ’ ନିୟମ ଲାଗୁ କରିବା।

ତେବେ ଏହା କଣ ଆସନ୍ତୁ ଜାଣିବା। ଏବେ, କେବଳ ଦିଲ୍ଲୀ ବାହାରେ ପଞ୍ଜିକୃତ BS-VI ଯାନଗୁଡ଼ିକୁ ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ, ଯେତେବେଳେ GRAP ମାନଦଣ୍ଡ ଅନୁଯାୟୀ ନିର୍ମାଣ କାର୍ଯ୍ୟକଳାପ ଏବଂ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଉପରେ ପ୍ରତିବନ୍ଧକ ଜାରି ରହିବ।

ବିଷାକ୍ତ ବାୟୁ ପ୍ରତି ବଢ଼ୁଥିବା ଚିନ୍ତାର ଏହି ପୃଷ୍ଠଭୂମିରେ, ଦିଲ୍ଲୀ ଏବଂ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବଢ଼ୁଥିବା ବାୟୁ ପ୍ରଦୂଷଣ ସଙ୍କଟ ଉପରେ ଲୋକସଭା ରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା।