ଧ୍ରୁବ ରାଠୀଙ୍କ ବିରୋଧରେ ୱାରେଣ୍ଟ ଜାରି

ବିକାଶ ପାଣ୍ଡେଙ୍କ ଦ୍ୱାରା ଦାୟର ୮ ବର୍ଷ ପୁରୁଣା ମାନହାନି ମାମଲାରେ ଦିଲ୍ଲୀ କୋର୍ଟ ୟୁଟ୍ୟୁବର୍‌ ଧ୍ରୁବ ରାଠୀଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି।

ନୂଆଦିଲ୍ଲୀ: ୟୁଟ୍ୟୁବର୍‌ ଧ୍ରୁବ ରାଠୀଙ୍କ ବିରୋଧରେ ଦିଲ୍ଲୀର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ବିକାଶ ପାଣ୍ଡେଙ୍କ ଦ୍ୱାରା ଦାୟର କରାଯାଇଥିବା ପ୍ରାୟ ୮ ବର୍ଷ ପୁରୁଣା ମାନହାନି ମାମଲାରେ ଏହି ଆଦେଶ ଦିଆଯାଇଛି। ଧ୍ରୁବ ରାଠୀଙ୍କ ଘରେ ତାଲା ପଡ଼ିଥିବାରୁ ତାଙ୍କୁ ନୂଆ କରି ପଠାଯାଇଥିବା ସମନ୍‌ ପହଞ୍ଚାଯାଇପାରି ନଥିଲା। ଏହା ପରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି।

ଶନିବାର ସାକେତ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।ଧ୍ରୁବ ରାଠୀଙ୍କୁ ନୋଟିସ୍ ଦିଆଯାଇ ପାରିନି ବୋଲି କୋର୍ଟଙ୍କୁ ଜଣାଯାଇଥିଲା। ଏହାକୁ ଧ୍ୟାନରେ ରଖି କୋର୍ଟ ତାଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୧ରେ ହେବ।

ଚଳିତ ମାସରେ କୋର୍ଟ ଧ୍ରୁବ ରାଠୀଙ୍କୁ ପୁଣିଥରେ ସମନ୍‌ ପଠାଇବାକୁ ଅନୁମତି ଦେଇଥିଲେ। ଏଥିପାଇଁ ନୋଟିସ୍‌ ପହଞ୍ଚାଉଥିବା ଅଫିସରଙ୍କ ସହ ଯିବାକୁ ଅଭିଯୋଗକାରୀଙ୍କୁ ଅନୁମତି ଦିଆଯାଇଥିଲା। ତେବେ ଏହି ଉଦ୍ୟମ ସତ୍ତ୍ୱେ ଧ୍ରୁବ ରାଠୀଙ୍କ ଘରେ ତାଲା ପଡ଼ିଥିବାରୁ ସମନ୍‌ ପହଞ୍ଚାଯାଇପାରି ନଥିଲା। ଏହି କାରଣରୁ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି।

ଏହି ମାମଲା ‘BJP IT Cell Part 2’ ନାମକ ଏକ ଭିଡିଓକୁ ନେଇ ହୋଇଛି। ଏହି ଭିଡିଓରେ ନିଜର ମାନହାନି ହୋଇଥିବା ବିକାଶ ପାଣ୍ଡେ ଅଭିଯୋଗ କରିଥିଲେ।

୨୦୧୮ ମସିହାରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ଭିଡିଓକୁ ରିଟ୍ୱିଟ୍‌ କରିଥିଲେ। ପରେ ସେ ସୁପ୍ରିମକୋର୍ଟରେ ଏହାକୁ ରିଟ୍ୱିଟ୍‌ କରିବା ନିଜର ଭୁଲ୍‌ ଥିଲା ବୋଲି ସ୍ୱୀକାର କରିଥିଲେ।

ସୋସିଆଲ ମିଡିଆ ପେଜ୍‌ ‘I Support Narendra Modi’ର ପ୍ରତିଷ୍ଠାତା ବିକାଶ ପାଣ୍ଡେ ଅଭିଯୋଗ କରିଥିଲେ ଯେ, ଏହି ଭିଡିଓକୁ ରିଟ୍ୱିଟ୍‌ କରାଯିବା ଫଳରେ ତାଙ୍କ ସମ୍ମାନ ଓ ପ୍ରତିଷ୍ଠା କ୍ଷୁଣ୍ଣ ହୋଇଛି।

୨୦୧୯ ମସିହାରୁ ଧ୍ରୁବ ରାଠୀଙ୍କୁ ସମନ୍‌ ପହଞ୍ଚାଇବାରେ ବାରମ୍ବାର ସମସ୍ୟା ହେବାରୁ ତାଙ୍କ ବିରୋଧରେ ମାମଲାର ଶୁଣାଣି ଆଗକୁ ବଢ଼ିପାରି ନଥିଲା। ଧ୍ରୁବ ରାଠୀ ଲଗାତାର ଭାରତ ବାହାରେ ରହୁଥିବାରୁ ମାମଲା ବିଳମ୍ବ ହୋଇଥିବା ଅଭିଯୋଗକାରୀ ଦାବି କରିଥିଲେ।